ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ

ଭୁବନେଶ୍ଵର, ୧୧/୭ : ସମ୍ଵିଧାନ ବଞ୍ଚାଅ ସମାବେଶରେ ରାହୁଲ ଗାନ୍ଧିଙ୍କ ରଣହୁଙ୍କାର। କହିଲେ ଗରିବଙ୍କୁ ଲୁଟୁଛନ୍ତି ସରକାର । ବିଜେପି ସମ୍ବିଧାନ ଉପରେ ଆକ୍ରମଣ କରୁଛି। ପୂର୍ବରୁ ବିଜେଡି ଲୁଟୁଥିଲା ଏବେ ବିଜେପି ଲୁଟୁଛି। ଏଠି ଅଦାନୀଙ୍କ ପାଇଁ ରଥ ଅଟକୁଛି। ଏହା ଲୋକଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର। ଓଡ଼ିଶାରେ ୪୦ ହଜାରରୁ ଉର୍ଦ୍ଧ୍ଵ ମହିଳା ଗାଏବ। ଏମାନେ କୁଆଡ଼େ ଗଲେ କେହି ଜାଣି ନାହାଁନ୍ତି। ଦିନକୁ ୧୫ ମହିଳାଙ୍କୁ ଦୁଷ୍କର୍ମ ହେଉଛି, ହେଲେ ସରକାର ନୀରବଦ୍ରଷ୍ଟା। ଓଡ଼ିଶା ପାଇଁ ଆମର ଏ ଲଢେଇ ଜାରି ରହିବ।
ରାହୁଲ କହିଛନ୍ତି, ଆଦିବାସୀଙ୍କ ହକ୍ ପାଇଁ କଂଗ୍ରେସ ଲଢେଇ କରିବ। ଜଳ, ଜମି, ଜଙ୍ଗଲ ଆଦିବାସୀଙ୍କର ଅଛି ଓ ରହିବ। ଏଠାରେ ନପଚାରି ଆଦିବାସୀଙ୍କୁ ଜମିରୁ ହଟାଯାଉଛି। ସଠିକ୍ କ୍ଷତିପୂରଣ ମିଳୁନି, ଓଲଟା ଧମକ ମିଳୁଛି। ପେସା ଆଇନ ଲାଗୁ ହେଉନି, କିନ୍ତୁ ଆମେ ଏହାକୁ ଲାଗୁ କରିବୁ। ନିର୍ୟାନତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହେବ। ଆପଣଙ୍କ ଜମିପଟ୍ଟା କଂଗ୍ରେସ ଫେରସ୍ତ କରିବ। ଦଳିତଙ୍କୁ ନା ସରକାରରେ ସ୍ଥାନ ମିଳୁଛି ନା ବ୍ୟୁରୋକ୍ରେସିରେ। ଜାତି ଜନଗଣନା ନିହାତି ଜରୁରୀ, ଏହା ସେମାନଙ୍କୁ ସଶକ୍ତ କରିବ। ଓଡ଼ିଶାର ଜନତାଙ୍କ ପାଇଁ ବିକାଶ କରିବା ଉଚିତ୍। କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୋଦି ଫସଲ ବୀମା ଯୋଜନା ଲାଗୁ କରିଥିଲେ। ଏଥିପାଇଁ ମୋଦି ଆପଣଙ୍କ ଠାରୁ ଟଙ୍କା ନେଲେ, କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନି। ଜାତି ଜନଗଣନାକୁ ଅସ୍ତ୍ର କରି ଜଳ, ଜମି, ଜଙ୍ଗଲ ପାଇଁ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ରାହୁଲ ଗାନ୍ଧି ।