ଖାଲ ଜାଗାକୁ କ୍ଷୁଦ୍ର ବନରେ ପରିଣତ କଲେ ତ୍ରିଲୋଚନ

ଖାଲ ଜାଗାକୁ କ୍ଷୁଦ୍ର ବନରେ ପରିଣତ କଲେ ତ୍ରିଲୋଚନ

ଆନନ୍ଦପୁର, ୧୦/୮ : ଫକୀରପୁରସ୍ଥିତ ୧୧ ନମ୍ୱର୍ ୱାର୍ଡ ସ୍ଥିତ ଜୟଦୂର୍ଗା ପ୍ରାଥମିକ ବିଦ୍ୟାଳୟ ନିକଟରେ ବୈତରଣୀ ନଦୀବନ୍ଧକୁ ଲାଗି କରି ଥିବା ଏକ ବିଶାଳ ଖାଲକୁ କ୍ଷୁଦ୍ର ଜଙ୍ଗଲରେ ପରିଣତ କଲେ ପ୍ରକୃତି ବନ୍ଧୁ ତ୍ରିଲୋଚନ ସାହୁ । ଏହି ସ୍ଥାନରେ ପାଖାପାଖି ୧୫୦ ରୁ ଊର୍ଦ୍ଧ୍ବ ବିଭିନ୍ନ ଫଳ, ଫୁଲ ଏବଂ ଅନ୍ୟାନ୍ୟ ଦୀର୍ଘସ୍ଥାୟୀ ଗଛ ଲଗାଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହି ସ୍ଥାନରେ ପ୍ରତି ବର୍ଷ ପ୍ରାୟ ପାଞ୍ଚରୁ ଛଅ ମାସ ଧରି ଚାରିରୁ ପାଞ୍ଚ ଫୁଟ ଯାଏଁ ପାଣି ରୁହେ । କ୍ରମାଗତ ଭାବେ ପ୍ରାୟ ଚାରିମାସ ହେବ ଏହି ପରିତ୍ୟକ୍ତ ଜାଗାରେ ଏକ କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରିବା ପାଇଁ ଶ୍ରୀ ସାହୁ ସକ୍ଷମ ହୋଇପାରିଛନ୍ତି । 

ଅନେକ ଘାତ ପ୍ରତିଘାତକୁ ସାମ୍ନା କରି ନିଜସ୍ଵ ଉଦ୍ୟମରେ ଗୋଟିଏ ଜାଗାରେ ଏତେ ସଂଖ୍ୟକ ଗଛ ଲଗାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବିଗତ ଦିନରେ ଶ୍ରୀ ସାହୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ସହିତ ବନ୍ୟପ୍ରାଣୀ ସରଂକ୍ଷଣ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ହେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି । ତ୍ରିଲୋଚନଙ୍କ ଏହି ଉଦ୍ୟମ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ବୁଦ୍ଧିଜୀବୀ, ପରିବେଶପ୍ରେମୀ ଆଦି ଶୁଭେଚ୍ଛା ଜଣାଇଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ସ୍ବେଛାସେବୀ ରଞ୍ଜିତ ନାୟକ, ରାଜକିଶୋର ବାରିକ, ପ୍ରସନ୍ନ ନାହାକ, ମନୋଜ କୁମାର ସାହୁ, ଦେବାନନ୍ଦ ଦେହୁରୀ, ନାରାୟଣ ଦେହୁରୀ ଆଦି ସହଯୋଗ କରିଛନ୍ତି । ସମସ୍ତେ କିଛି ନା କିଛି ଗଛ ଲଗାଇବା ପାଇଁ ଶ୍ରୀ ସାହୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।