ପକ୍ଷୀମାନଙ୍କ ପାଇଁ ଜଳ ଠେକି ବ୍ୟବସ୍ଥା କଲେ ପ୍ରକୃତିବନ୍ଧୁ ତ୍ରିଲୋଚନ

ଆନନ୍ଦପୁର,୨୦/୫ : ଆନନ୍ଦପୁର ପୌରପରିଷଦର ବିଭିନ୍ନ ଅଞ୍ଚଳରେ ଚଢ଼େଇମାନଙ୍କ ପାଇଁ ପାଣି ଭର୍ତ୍ତି ଠେକି ବ୍ୟବସ୍ଥା ପ୍ରକୃତିବନ୍ଧୁ ତଥା "ନେକ୍ସଟ୍ ଇଣ୍ଡିଆ"ର ସମ୍ପାଦକ ତ୍ରିଲୋଚନ ସାହୁ କରିଛନ୍ତି । ଏହି କାର୍ଯ୍ୟକ୍ରମ "ନେକ୍ସଟ୍ ଇଣ୍ଡିଆ" ତରଫରୁ କରାଯାଇଥିଲା । ଦିନକୁ ଦିନ ଖରା ବଢୁଥିବା ଅବସ୍ଥାରେ ବିଭିନ୍ନ ସମୟରେ ବନ୍ୟ ପ୍ରାଣୀ ଏବଂ ପକ୍ଷୀମାନେ ପାଣି ଅଭାବରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଖରା ଦିନେ ଜଳା ଭାବ ପାଇଁ ଅନେକ ପକ୍ଷୀଙ୍କର ଜୀବନ ଯାଉଥିବାର ନଜିର ଅଛି ।
ଏହି ସମସ୍ୟାକୁ ସମାଧାନ କରିବାକୁ ଯାଇ ସମାଜସେବୀ ତ୍ରିଲୋଚନ ସାହୁ ଆନନ୍ଦପୁର ପୌରପରିଷଦର ବିଭିନ୍ନ ସ୍ଥାନ ଯଥା ଶାଳବଣି ଛକ, ମୋଚିନ୍ଦା ଛକ -ଫକୀରପୁର ରାସ୍ତା, ଘଷିପୁରା, ଫକୀରପୁର, ଇରିଆ, ଜଅଁରା, ଝଡେଶ୍ୱର ନଦୀ ଘାଟ ଓ ବ୍ରିଜ୍ ଛକ ଆଦି ବିଭିନ୍ନ ସ୍ଥାନ ମାନଙ୍କରେ ପକ୍ଷୀମାନଙ୍କ ଉଦ୍ଦେଶ୍ୟରେ ଜଳ ଭର୍ତ୍ତି ଠେକି ବାନ୍ଧିଥିଲେ । ଆଗାମୀ ଦିନରେ ଆନନ୍ଦପୁର ପୌରପରିଷଦର ଅନ୍ୟାନ୍ୟ ସ୍ଥାନରେ ଜଳ ଭର୍ତ୍ତି ଠେକି ବାନ୍ଧିବେ ବୋଲି ସୂଚନା ଦେଇଛନ୍ତି । ପ୍ରତ୍ୟେକ ସପ୍ତାହରେ ପାଣି ଦେବା, ପକ୍ଷୀମାନଙ୍କ ସୁରକ୍ଷା ଏବଂ କାଉ ବଂଶ ବୃଦ୍ଧି ପାଇଁ ବିଭିନ୍ନ ଅଭିନବ ପନ୍ଥା ଅବଲମ୍ବନ କରି ସୁରକ୍ଷା କରିବେ ବୋଲି କହିଛନ୍ତି ।
ମୋଚିନ୍ଦା ଛକ-ଫକୀରପୁର ରାସ୍ତାରେ ସକାଳ ଓଳି କେତେକ କାଉ ଦେଖାଯାଉଥିବାବେଳେ ଏହି କାଉମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ କାମ କରିବେ ବୋଲି ଶ୍ରୀ ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସମାଜସେବୀ ରାଜ୍ କିଶୋର ବାରିକ୍, ପ୍ରସନ୍ନ ନାହାକ, ରଞ୍ଜିତ ନାୟକ, ସରୋଜ କୁମାର ସାହୁ ଓ ମନୋଜ କୁମାର ସାହୁ ସହଯୋଗ କରିଥଲେ ।