ଅଧା ମୂଲ୍ୟରେ ଗାଡ଼ି ଯୋଗାଇବା ଆଳରେ ଠକାମୀ : ସ୍ୱାମୀ-ସ୍ତ୍ରୀ ଗିରଫ, ବୁଲେଟ ଓ କାର୍ ଜବତ

ଅଧା ମୂଲ୍ୟରେ ଗାଡ଼ି ଯୋଗାଇବା ଆଳରେ ଠକାମୀ :  ସ୍ୱାମୀ-ସ୍ତ୍ରୀ ଗିରଫ, ବୁଲେଟ ଓ କାର୍ ଜବତ

ଖୁଣ୍ଟା,୧୬/୮ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ କରକଚ଼ିଆ ଗ୍ରାମର ଜଣେ ମହିଳା ଓ ତାଙ୍କର ସ୍ୱାମୀ କମ୍ପାନୀ ମୂଲ୍ୟଠାରୁ ଅଧା ଦାମରେ ବିଭିନ୍ନ ଗାଡ଼ି ଯୋଗାଇଦେବା ଆଳରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଖୁଣ୍ଟା ପୋଲିସ ମହିଳା ଓ ତାଙ୍କର ସ୍ୱାମୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି l ଯାହାକୁ ନେଇ ସ୍ଥାନୀୟ ଥାନାରେ କେଶ ନଂ ୨୬୦ /୨୪ରେ ଏକ ମାମଲା ରୁଜ କରାଯାଇଛି ।

ଅଭିଯୋଗରୁ ପ୍ରକାଶ ଯେ, ଖୁଣ୍ଟା ଥାନା ଅଧିନ କରକଚ଼ିଆ ଗ୍ରାମର କବିତା ସିଂ ତାଙ୍କର ସ୍ୱାମୀଙ୍କ ସହ ମିଶି କମ୍ପାନୀର ଅଫର ଅଛି, ବାଇକ ହେଉ କିମ୍ବା ୪ ଚକିଆ ଯେଉଁ ଗାଡ଼ି ନେବ ତାର ପ୍ରକୃତ ମୂଲ୍ୟ ଠାରୁ ଅଧା ଦାମରେ ନୂତନ ଗାଡ଼ି ମିଳିବ ବୋଲି କହି ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ । ପରେ ସଂପୃକ୍ତ ଟଙ୍କା ଦାତା ବ୍ୟକ୍ତିଙ୍କୁ ତାଙ୍କର ଇଚ୍ଛା ଅନୁଯାୟୀ ବାଇକ, ସ୍କୁଟି, ବୁଲେଟ ଇତ୍ୟାଦି ଯୋଗାଇ ମଧ୍ୟ ଦେଇଥିଲେ । ଅଧା ଦାମରେ ଗାଡ଼ି ପାଇ ହିତାଧିକାରୀ ଖୁସୀ ତ ହୋଇଥିଲେ । ମାତ୍ର ଏହି ଖୁସି ବେଶ ଦିନ ନ ଥିଲା | ଗାଡ଼ି ପାଇବାର କିଛି ମାସ ପରେ ଫାଇନ୍ସ କମ୍ପାନୀ ଇଏମଆଇ ପ୍ରଦାନ କରି ନଥିବା ଅଭିଯୋଗରେ କେତେକ ହିତାଧିକାରୀଙ୍କ ଗାଡ଼ି ଗୁଡ଼ିକୁ ପାଇନାନ୍ସ କମ୍ପାନୀ ଗୁଡିକ ଟାଣି ନେଇଥିଲା । ପରବର୍ତ୍ତୀ ସମୟରେ ହିତାଧିକାରିମାନେ ଘଟଣା ସଂପର୍କରେ ସଂପୃକ୍ତ ମହିଳାଙ୍କୁ ଯୋଗାଯୋଗ କରିଥିଲେ ।   

କବିତା ବିଭିନ୍ନ ଆଳ ଦର୍ଶାଇ ସେମାନଙ୍କୁ ଠକି ଚାଲିଥିଲେ । ପରବର୍ତ୍ତୀ ସମୟର ତାଙ୍କର ମୋବାଇଲ ସୁଇଚ୍ ଅଫ ଆସିଥିଲା । ଯାହାକୁ ନେଇ ଏହି ହିତାଧିକାରୀମାନେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇବା ସହ ଘଟଣା ସଂସ୍ପର୍କରେ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ ଏହାର ଖୋଳତାଡ଼ ଆରମ୍ଭ କରାଯାଇଥିଲା । ତଦନ୍ତ ସମୟରେ ସଂପୃକ୍ତା ମହିଳା କବିତା ଓ ତାର ସ୍ୱାମୀ ବାପି ବେହେରା ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା , ବାରିପଦା ସଦର , ଉଦଳା , କପ୍ତିପଦା , ଶରତ ସମେତ ପୋଡ଼ଶୀ ବାଲେଶ୍ଵର ଜିଲ୍ଲାର ସହଦେବ ଖୁଣ୍ଟା , ଚାନ୍ଦିପୁର ଆଦି ଥାନା ଅଧୀନରେ ଥିବା ବିଭିନ୍ନ ଥାନା ଇଲାକା ରୁ ଶତାଧିକ ଲୋକଙ୍କଠାରୁ ଏଭଳି ଅଭିନବ ଉପାୟରେ ଠକିଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିବା ଖୁଣ୍ଟା ଥାନା ଆଇଆଇସି ସୁଜାତା ଖମାରୀ ପ୍ରକାଶ କରିଛନ୍ତି । 

ତେବେ ଏହି ଠକାମୀ ଭିଆଇଥିବା ଅଭିଯୁକ୍ତା ସ୍ତ୍ରୀ କବିତା ଓ ତାର ସ୍ୱାମୀ ବାପିକୁ ପୋଲିସ ଗିରଫ କରିଥିବାବେଳେ ଓଡ଼ି ୧୧ କ୍ୟୁ - ୫୧୮୦ ନମ୍ବର ବିଶିଷ୍ଠ ଏକ ଲାଲ ରଙ୍ଗର ବୁଲେଟ ଏବଂ ଓଡ଼ି ୦୧ ଏଟି - ୩୦୩୦ ନମ୍ବର ବିଶିଷ୍ଟ ଏକ ଲାଲ ରଙ୍ଗର ସେଲେରିଓ କାରକୁ ଜବତ କରାଯାଇଥିବା ବେଳେ ଗିରଫ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇ ଆଇସି ଖମାରୀ ପ୍ରକାଶ କରିଛନ୍ତି ।