କାଉଡିଆଙ୍କ ଯାତ୍ରା ଏବଂ ପ୍ରସାଦ ସେବନ

ରାଉରକେଲା, ୫/୮ : ଇସ୍ପାତ ସହର ରାଉରକେଲାରେ ଶ୍ରାବଣ ମାସର ତୃତୀୟ ସୋମବାରକୁ ନେଇ ବିଭିନ୍ନ ସାମାଜିକ ଓ ଧାର୍ମିକ ସଂଗଠନ ପକ୍ଷରୁ ବିଶାଳ କାଉଡିଆ ଯାତ୍ରା ବାହାର କରାଯାଇଛି । ଏହି ସାମାଜିକ ଓ ଧାର୍ମିକ ସଂଗଠନର କାଉଡିଆମାନେ ଡିଜେ ଓ ବାଦ୍ୟର ତାଳେତାଳେ ନାଚି ନାଚି ରାଉରକେଲାରୁ ବେଦବ୍ଯାସ ପୀଠ ଆଡକୁ ଯାତ୍ରା କରିଥିଲେ। ବେଦବ୍ଯାସ ବ୍ରାହ୍ମଣୀ ନଦୀରୁ ଜଳ ଉଠାଇ ସର୍ବପ୍ରଥମେ ବାଲୁକେଶ୍ଵର ଓ ଚନ୍ଦ୍ରଶେଖର ମହାଦେବଙ୍କୁ ଅର୍ପଣ କରିବା ପରେ ଘୋଘର ଧାମ ଏବଂ ଅନ୍ୟ କେତେକ କାଉଡିଆ ତରକେରାର ଧବଳେଶ୍ଵର ଶିବ ମନ୍ଦିର ଅଭିମୁଖେ ଜଳ ନେଇ ବୋଲ ବମ୍ ଧ୍ବନୀ ଦେଇ ଯାତ୍ରା କରିଥିଲେ।
ଅନ୍ଯପକ୍ଷରେ ବେଦବ୍ଯାସ ଛକଠାରୁ ରାଜଗାଙ୍ଗପୁର ଛକ ପର୍ଯ୍ୟନ୍ତ ରାଜ୍ଯ ରାଜପଥ କଡରେ ବିଭିନ୍ନ ସଂଗଠନ ପକ୍ଷରୁ କାଉଡିଆଙ୍କ ସେବା ପାଇଁ ଚା', ବିସ୍କୁଟ ଏବଂ ପ୍ରସାଦ ସେବନର ବ୍ଯବସ୍ଥା ସହିତ ଭଜନ କାର୍ଯ୍ୟକ୍ରମର ବ୍ଯବସ୍ଥା ମଧ୍ଯ କରାଯାଇଥିଲା। ଏଥର ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ ସମେତ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରୁ କାଉଡିଆଙ୍କ ଯାତ୍ରା ଘୋଘର ଧାମ ଅଭିମୁଖେ ଆସିଥିଲା। କେତେକ କାଉଡିଆଙ୍କ ଦଳ ରାଉରକେଲା ରେଳଷ୍ଟେସନରେ ଓହ୍ଲାଇ ସଙ୍କଟମୋଚନ ହନୁମାନଙ୍କ ମନ୍ଦିରରେ ପ୍ରସାଦ ସେବନ କରିବା ପରେ ବେଦବ୍ଯାସ ଅଭିମୁଖେ ଯାତ୍ରା କରିଥିଲେ। ବେଦବ୍ଯାସ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏଥର କାଉଡିଆଙ୍କ ପାଇଁ ସମସ୍ତ ବ୍ଯବସ୍ଥା ସହିତ ପ୍ରସାଦ ସେବନ ଓ ପିଇବା ପାଣିର ବ୍ଯବସ୍ଥା କରାଯାଇଥିଲା। ଏଥି ସହିତ ବସ୍ ବ୍ଯାରିକେଟ୍ ସହିତ ଅଗ୍ନିଶମ ବ୍ଯବସ୍ଥା, ଶାନ୍ତି ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଥିଲା। ଏଥର ବିର୍ସା ଡାହାର ରୋଡର ଶ୍ରୀ ମନୋକାମନା ସିଦ୍ଧି ହନୁମାନ ମନ୍ଦିର ପରିସରରୁ କାଉଡିଆଙ୍କ ଯାତ୍ରା ବାହାରି ବୋଲ ବମ୍ ଧ୍ବନୀ ଦେଇ ବେଦବ୍ଯାସ ଅଭିମୁଖେ ଜଳ ଅର୍ପଣ କରିବା ପାଇଁ ଯାଇଥିଲେ।
ଏହି ଅବସରରେ ବେଦବ୍ଯାସ ସମିଲ ଛକ ବେଲଡିହି ମା' କାଉଡିଆ ସେବାସଂଘ ପକ୍ଷରୁ ଚା' ବିସ୍କୁଟ ସହିତ ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଥିଲା। ସେହିପରି ମାରଓ୍ବାଡି ଯୁବା ମଞ୍ଚ ପକ୍ଷରୁ କାଉଡିଆଙ୍କ ସେବା ପାଇଁ ପ୍ରସାଦ ସେବନର ବ୍ଯବସ୍ଥା ସହିତ ମାଣ୍ଡିଆକୁଦର ସ୍ଥିତ ଉଗ୍ରସେନ ସ୍ପଞ୍ଜ ପ୍ରାଇଭେଟ ଲିମିଟେଡ ପକ୍ଷରୁ କାଉଡିଆଙ୍କ ପାଇଁ ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଥିଲା। ସେହିପରି ରାଉରକେଲା ସହରର ଅନ୍ଯାନ୍ଯ ସଂଗଠନ ପକ୍ଷରୁ ମଧ୍ୟ କାଉଡିଆଙ୍କ ପାଇଁ ପ୍ରସାଦ ସେବନ ସହିତ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା।