କଥା ରଖିଲା କଂଗ୍ରେସ, ଆଣିଲା ଅନାସ୍ଥା ପ୍ରସ୍ତାବ ; ସମର୍ଥନ ପାଇଁ ବିଜେଡିକୁ ଅନୁରୋଧ

କଥା ରଖିଲା କଂଗ୍ରେସ,  ଆଣିଲା ଅନାସ୍ଥା ପ୍ରସ୍ତାବ ; ସମର୍ଥନ ପାଇଁ ବିଜେଡିକୁ ଅନୁରୋଧ

ଭୁବନେଶ୍ବର, ୧୮/୯ : ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ବିଧାନସଭା ଅଧିବେଶନ ନେଇ ଗତକାଲି କଂଗ୍ରେସ ବିଧାୟକ ଦଳ ରଣନିତୀ ବୈଠକରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ଚଳିତ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତଦନୁଯାୟୀ ଆଜି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ କାଡାମଙ୍କ ନେତୃତ୍ବରେ ବାଚସ୍ପତିଙ୍କ ଊଦ୍ଦେଶ୍ୟରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦିଆଯାଇଛି। ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ୧୫ଜଣ ବିଧାୟକଙ୍କ ସମର୍ଥନ ଥିବା ସମ୍ବଳିତ ନୋଟିସ ବାଚସ୍ପତିଙ୍କ ଊଦ୍ଦେଶ୍ୟରେ ବିଧାନସଭା ସଚିବଙ୍କୁ ପ୍ରଦାନ କରାଯାଇଛି।

ବହୁ ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ରାଜ୍ୟରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅତ୍ୟାଚାର, ଗଣଧର୍ଷଣ, ହତ୍ୟା ଓ ଅନ୍ୟାନ୍ୟ ପାଶବିକ ଅତ୍ୟାଚାର ବହୁ ମାତ୍ରାରେ ବୃଦ୍ଧି ପାଉଥିଲେ ମଧ୍ୟ ସରକାର ଏଭଳି ପରିସ୍ଥିତିକୁ ଆୟତ୍ତ କରିବାରେ ବିଫଳ ହୋଇଥିବା କହିଥିଲେ । ଓଡ଼ିଶା ଆଜି ମହିଳା ଅତ୍ୟାଚାର କ୍ଷେତ୍ରରେ ଭାରତବର୍ଷରେ ପ୍ରଥମ ରାଜ୍ୟଭାବେ ସ୍ଥାନ ପାଇଛି, ଯେଊଁଠି କି ମହିଳା ଅତ୍ୟାଚାର ସର୍ବାଧିକ । ଏପରିକି ରାଜ୍ୟରେ କୌଣସି ଏକ ଜିଲ୍ଲା ନାହିଁ ଯେଊଠି କି ମହିଳାଙ୍କ ଉପରେ ଏଭଳି ସଙ୍ଗୀନ ଅପରାଧ ଘଟୁ ନାହିଁ ।

ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବୟସ୍କା ମହିଳା ଓ ଗୃହିଣୀ ମଧ୍ୟ ଏଭଳି ସଙ୍ଗୀନ ଅପରାଧର ଶିକାର ହେଉଛନ୍ତି । ଓଡିଶାରେ ମହିଳାମାନେ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ। ତତସହିତ ରାଜ୍ୟରେ କୃଷକମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇ ପଡିଛି। ସାରର କଳା ବଜାରି ରୋକିବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ସେହିଭଳି ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ୧୫ମାସରେ ଗୋଟିଏ ବି ନିଯୁକ୍ତି ଭିତ୍ତିକ ପରୀକ୍ଷାକୁ ସୂଚାରୁ ରୂପେ କରି ପାରିଲେ ନାହିଁ। ଲକ୍ଷଲକ୍ଷ ଛାତ୍ରଛାତ୍ରୀମାନଙ୍କ ସହ ଏ ସରକାର ଖେଳ ଖେଳୁଛନ୍ତି । ଏ ସରକାର ଆସିବା ପରେ ବିକାଶର ନିରନ୍ତର ପ୍ରକ୍ରିୟା ସାମଗ୍ରିକଭାବେ ବିଫଳ ହୋଇଛି । ଜନତାଙ୍କୁ ଦେଇଥିବା କଥା ରକ୍ଷା କରିବାରେ ବିଫଳ ହୋଇଛି ସରକାର। ଏ ସମସ୍ତ ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ଅନାସ୍ତା ପ୍ରସ୍ତାବ ଆଗତ କରିବାକୁ ନୋଟିସ ଦିଆଯାଇଛି। 

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ପିସିସି ସଭାପତି ଶ୍ରୀଯୁକ୍ତ ଦାସ ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଥିଲେ। ଶ୍ରୀଯୁକ୍ତ ଦାସ କହିଥିଲେ ଯେ ବିଜେଡି ଦଳ ଅନାସ୍ଥା ପ୍ରସ୍ତାବ ଆଣୁ, ଆମେ ତାହାକୁ ସମର୍ଥନ କରିବୁ। ନଚେତ ଆମେ ଅନାସ୍ଥା ପ୍ରସ୍ତାବ ଆଣିବୁ ଓ ବିଜେଡି ଦଳ ଉକ୍ତ ପ୍ରସ୍ତାବକୁ ସମର୍ଥନ କରୁ ବୋଲି ଶ୍ରୀ ଦାସ କହିଥିଲେ ।