ସିଲ୍‌ଭର ସିଟିରେ ଅମିତ ଶାହଙ୍କ ମେଗା ରୋଡ୍‌ ସୋ

ସିଲ୍‌ଭର ସିଟିରେ ଅମିତ ଶାହଙ୍କ ମେଗା ରୋଡ୍‌  ସୋ

କଟକ,୧୫/୫ : ସିଲ୍‌ଭର ସିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହ ବିଶାଳ ରୋଡ୍‌ ସୋ’ରେ ଯାଇ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ଲାଗି ଭୋଟ୍‌ ଭିକ୍ଷା କରୁଛନ୍ତି । ଏଥିରେ ହଜାର ହଜାର ବିଜେପି କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ୍‌ ହୋଇଛନ୍ତି । ସୋରଡ଼ା ସଭା ସାରିବା ପରେ ଅପରାହ୍ନରେ କଟକରେ ପହଞ୍ଚିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। 

କଟକରେ ପହଞ୍ଚିବା ପରେ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅମିତ ଶାହ ଗୋପବନ୍ଧୁ ପାର୍କକୁ ଯାଇଥିଲେ । ସେଠାରୁ ଆରମ୍ଭ ହୋଇଛି ବିଜେପିର ବିରାଟ ରୋଡ୍‌ ସୋ’। ଏହି ରୋଡ୍‌ ସୋ’ରେ କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବିଧାୟକ ପ୍ରାର୍ଥୀମାନେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ସାମିଲ ହୋଇଛନ୍ତି ।

ଦୀର୍ଘ ସମୟ ଧରି ରାସ୍ତାର ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ହଜାର ହଜାର ସଂଖ୍ୟାର ସାଧାରଣ ଜନତା ଓ ବିଜେପି କର୍ମକର୍ତ୍ତାଙ୍କ ଅଭିବାଦନକୁ ହାତ ହଲାଇ ଶାହ ଗ୍ରହଣ କରିଥିଲେ । ଶାହଙ୍କ ରୋଡ୍‌ ସୋ’ ଗୋପବନ୍ଧୁ ପାର୍କରୁ ବାହାରି ବକ୍ସି ବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଗୌରୀଶଙ୍କର ପାର୍କ, ନୟାସଡକ ଦେଇ ବାଲୁବଜାର ପର୍ଯ୍ୟନ୍ତ ଯିବ। ସେଠାରୁ ଅମିତ ଶାହ ଭୁବନେଶ୍ୱର ଫେରିବାର ରହିଛି । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।