ସାର ସମସ୍ୟା ନେଇ ରାଜ୍ୟପାଳଙ୍କୁ ଫେରାଦ ହେଲା କିଷାନ କଂଗ୍ରେସ
ଭୁବନେଶ୍ୱର,୧୮/୯ : ଚଳିତ ବର୍ଷ ଖରିଫ୍ ସମୟରେ ଆଗୁଆ ମୌସୁମୀ, ରୁଆ ବେଉଷଣରେ ଅଗ୍ରଗତି, ଚାଷୀ ଧାନଚାଷ ପ୍ରତି ଅଧିକ ଆଗ୍ରହୀ ଥିବା ସ୍ଥଳେ ସରକାର ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ସାର ଯୋଗାଇ ଦେଇ ପାରୁନାହାନ୍ତି । ସାର କଳାବଜାରୀ ବ୍ୟାପକ ଭାବେ ବଢ଼ି ଚାଲିଛି । ରୋକ୍ ଲଗାଇବାରେ ସରକାର ସମ୍ପୂର୍ଣ୍ଣ ବିଫଳ । ବିଶେଷ କରି ଖରିଫ୍ ଧାନ ଅଧିକ ଅମଳ ହେଲେ ସରକାରଙ୍କୁ ଅଧିକ ବୋନସ୍ ଦେବାକୁ ପଡ଼ିବ ବୋଲି ଜାଣିଶୁଣି ସାର ଯୋଗାଣରେ ଏଭଳି ଷଡ଼ଯନ୍ତ୍ର କରାଯାଉଛି । ଗତ ବର୍ଷର ବଳକା ସାରକୁ ଚଳିତ ବର୍ଷର ଲକ୍ଷ୍ୟଧାର୍ଯ୍ୟ ସାର ସହିତ ମିଶ୍ରଣ କରିବା ନିଅଣ୍ଟିଆ ହେବାର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକ କହିଛନ୍ତି ।
ଦୀର୍ଘ ଦେଢ଼ମାସ ହେଲା ସାରା ରାଜ୍ୟରେ ସାରର ବ୍ୟାପକ କଳାବଜାରୀ ଓ ନିଅଣ୍ଟିଆ ଯୋଗୁଁ ଚାଷୀ ରାଜରାସ୍ତାରେ ଥିବା ବେଳେ ସରକାର ବେପରୁଆ ଭାବେ ନିଘୋଡ଼ ନିଦରେ ଶୋଇଛନ୍ତି । ପ୍ୟାକ୍ସ ଓ ଲ୍ୟାମ୍ପ୍ସଗୁଡ଼ିକରେ ସାର ମହଜୁଦ ନ ଥିବାରୁ ଲମ୍ବା ଲାଇନରେ ଦୀର୍ଘ ସମୟ ଠିଆ ହେବା ସତ୍ତେ୍ୱ ଚାଷୀ ସାର ପାଉନାହିଁ । ଫଳରେ ସରକାରୀ ନିଯୁକ୍ତିପ୍ରାପ୍ତ ଘରୋଇ ଡିଲରମାନେ ସାରର ବ୍ୟାପକ କଳାବଜାରୀ କରୁଛନ୍ତି । ଏପରିକି ୟୁରିଆ ସାର ପ୍ୟାକେଟ୍ ପିଚ୍ଛା ୨୬୭ ଥିବାବେଳେ ଏହା ବଜାରରେ ୮ଶହ ରୁ ୯ଶହ ଟଙ୍କା ଚଢ଼ାଦରରେ ବିକ୍ରି କରାଯାଉଛି । କଳାବଜାରୀଙ୍କୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ଓ ସରକାର ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଖୁଲମ୍ଖୁଲା ଭାବେ କୃଷି ସମବାୟ ସମିତିର ସମ୍ପାଦକ ଓ ଘରୋଇ ଡିଲରମାନେ ଚାଷୀମାନଙ୍କୁ ଢେର୍ ଶୋଷଣ କରୁଛନ୍ତି । ଗତ ବିଜେଡି ସରକାରର ୨୫ବର୍ଷ ଶାସନ ଓ ବର୍ତ୍ତମାନ ବିଜେପି ସରକାରର ୧୬ମାସ ଶାସନ ଭିତରେ ସମବାୟ ସମିତିଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ସାର ଗଚ୍ଛିତ ପାଇଁ ଗୋଦାମ ଘର ନିର୍ମାଣ କରା ଗଲା ନାହିଁ । ଫଳରେ ଲ୍ୟାମ୍ପ୍ସ ଓ ପ୍ୟାକ୍ସ ସ୍ତରରେ ଏପରି ଅଭାବନିୟ ପରିସ୍ଥିତି ସୃଷ୍ଟି ହେଉଛି । ଗୋଟିଏ ପଟେ ସରକାର ଚଳିତ ଖରିଫ୍ ପାଇଁ ଯଥେଷ୍ଟ ସାର ଯୋଗାଇ ଦିଆଗଲାଣି ଏବଂ ଦେଢ଼ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ସାର ବର୍ତ୍ତମାନ ମହଜୁଦ ଅଛି ବୋଲି ସଫେଇ ଦେଉଥିବା ବେଳେ ଚାଷୀ ପାଖରେ ସାର କିଲୋଟିଏ ମଧ୍ୟ ପହଞ୍ଚି ପାରୁନାହିଁ । ସରକାର ସାରକୁ ସୁଲଭ ମୂଲ୍ୟରେ ସୁ-ବିତରଣ ପାଇଁ ବ୍ୟବସ୍ଥା କରିବାକୁ ବ୍ଳକଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଯେଉଁ ସ୍କ୍ୱାର୍ଡ ଗଠନ କରିଛନ୍ତି ତାହା ଠିକ୍ ଭାବେ କାଯ୍ୟକାରୀ କରୁନାହିଁ । ଯାହା ଫଳରେ ସାର ପାଇଁ ଚାଷୀ ଆନ୍ଦୋଳନ ଦିନକୁ ଦିନ ମୁଣ୍ଡ ଟେକୁଛି । ଅପର ପକ୍ଷରେ ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ସାର ନିଅଣ୍ଟିଆ ସମୟରେ ରାସାୟନିକ ସାର ଅଧିକ ବ୍ୟବହାର ନ କରିବାକୁ ଚାଷୀଙ୍କୁ ପରାମର୍ଶ ଦେଉଛନ୍ତି । ଏହା କିନ୍ତୁ କଟା ଘା’ରେ ଚୁନ ସଦୃଶ ପରି ମାନ୍ୟବର ମନ୍ତ୍ରୀଙ୍କର ଏଭଳି ବିବୃତ୍ତି ଚାଷୀକୁଳକୁ ବ୍ୟଥିତ କରିଛି । ଚାଷୀଙ୍କ ସ୍ୱାର୍ଥ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ସରକାର ତୁରନ୍ତ ଆବଶ୍ୟକ ମୁତାବକ ସାର ଯୋଗାଇ ଦେବା ଓ କଳାବଜାରୀକୁ ରୋକିବା ପାଇଁ ଗଣମାଧ୍ୟମରେ ସୂଚନା ଦେବା ସହ ବାରମ୍ବାର ଦାବୀ କରୁଛନ୍ତି ।
ଚାଷୀଙ୍କ ଆବଶ୍ୟକ ମୁତାବକ ୟୁରିଆ ସହିତ ଅନ୍ୟାନ୍ୟ ସାର ଯୋଗାଣ, କଳାବଜାରୀ ରୋକିବା, ପ୍ରତି ପ୍ୟାକ୍ସ ଓ ଲ୍ୟାମ୍ପ୍ସରେ ସ୍ୱତନ୍ତ୍ର ଭାବେ ସାର ଗୋଦାମ ନିର୍ମାଣ, କେନ୍ଦୁଝରର ହରିଚନ୍ଦନପୁର ଏବଂ ଅନୁଗୋଳର କେରଜଙ୍ଗଠାରେ ରେଲୱେ ର୍ୟାେକ ପଏଣ୍ଟ ପ୍ରତିଷ୍ଠା ପାଇଁ ଆଜି ଓଡ଼ିଶାର ବରେଣ୍ୟ ରାଜ୍ୟପାଳଙ୍କ ହସ୍ତକ୍ଷେପ ନିମନ୍ତେ କିଷାନ କଂଗ୍ରେସ ପକ୍ଷରୁ ଅଖିଳ ଭାରକ କିଷାନ କଂଗ୍େରସ ରାଷ୍ଟ୍ରୀୟ ସଂଯୋଜକ ତଥା ପିସିସି କିଷାନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ରାଜଭବନଠାରେ ସାକ୍ଷାତ ଆଲୋଚନା କରି ଓଡ଼ିଶା ସରକାରଙ୍କୁ ଏହି ଦିଗରେ ଆଶୁ ପଦକ୍ଷେପ ଗ୍ରହଣ ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରତିନିଧି ମଣ୍ଡଳୀରେ କିଷାନ କଂଗ୍ରେସ ନେତା ବୃନ୍ଦାବନ ଖଟେଇ, ଧ୍ରୁବ ଚରଣ ପରିଡ଼ା, ଦାଶରଥି ସାହୁ, ସଦାନନ୍ଦ ଓଝା, ସୁଧିର କୁମାର ବେହେରା, ପ୍ରମୋଦ କୁମାର ବେହେରା, ସୁବାଷ ଚନ୍ଦ୍ର ବାରିକ, ରଘୁନାଥ ଦୀକ୍ଷିତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Editor 


