ସରକାରୀ ଅଫିସରେ ଗଣ୍ଡଗୋଳ କରି ଫଶିଲେ ଯୁବକ ; ରଘୁନାଥପାଲି ଥାନାରେ ମାମଲା ରୁଜୁ କଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷ

ରାଉରକେଲା,୧୬/୯ : ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଆଞ୍ଚଳିକ ଦପ୍ତରରେ ଗଣ୍ଡଗୋଳ କରିବା, ମହିଳା ଓ ଶିଶୁଙ୍କୁ ଦପ୍ତର ଭିତରେ ପୂରାଇ ଧାରଣାରେ ବସିବା, ଅଧିକାରୀମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା, ମୁଖ୍ୟ ଫାଟକରେ ତାଲା ପକାଇବା ଏବଂ ସର୍ବୋ ପରି ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରି ରବିନ୍ଦ୍ର ପ୍ରଧାନ ନାମକ ଜଣେ ଯୁବକ ଫଶିଛନ୍ତି । ଖୋଦ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷ ତାଙ୍କ ନାଁରେ ରଘୁନାଥପାଲି ଥାନାରେ ଏତଲା ଦେଇଥିବାବେଳେ ପୋଲିସ ଭାରତ ନ୍ୟାୟ ସଂହିତାର ୭ଟି ଦଫାରେ ମାମଲା ରୁଜୁ କରି ତଦନ୍ତ ଆର ଆରମ୍ଭ କରିଛି ।
ବୋର୍ଡ କର୍ତ୍ତୃପକ୍ଷ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ରବିନ୍ଦ୍ର କୁମାର ପ୍ରଧାନ ନାମକ ଜଣେ ଯୁବକ ବିନା ପୂର୍ବ ସୂଚନାରେ ୧୨ତାରିଖ ଦିନ ମହିଳା ଓ ଶିଶୁମାନଙ୍କୁ ଆଣି ଦପ୍ତର ଭିତରେ ଗଣ୍ଡଗୋଳ କରିବା ସହ ମୁଖ୍ୟ ଫାଟକରେ ତାଲା ପକାଇଥିଲେ । ସମ୍ପୃକ୍ତ ଯୁବକ ବେଦବ୍ୟାସ ସେବା ସଂଘ ଲେଖାଥିବା ପେଜରେ ଅଭିଯୋଗ କରିଥିବାବେଳେ ସମ୍ପୃକ୍ତ ପେଜରେ ସଂସ୍କାର ପଞ୍ଜିକରଣ ନମ୍ବର କିମ୍ବା ଠିକଣା ନାହିଁ । ଏଥିରେ କେବଳ ଦୁଇଟି ଫୋନ ନମ୍ବର ଗୋଟିଏ ଇ-ମେଲ୍ ଆଇଡି ରହିଛି । ତେବେ ଏଭଳି ଏକ ପେଜରେ ଅଭିଯୋଗ କରିବା ସହ ବାହାର ଲୋକଙ୍କୁ ଆଣି ସରକାରୀ ଦପ୍ତରରେ ଗଣ୍ଡଗୋଳ କରିବା, ଦପ୍ତରର ଅଧିକାରୀମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ଏବଂ ମୁଖ୍ୟ ଫାଟକରେ ତାଲା ପକାଇଥିବା ପ୍ରଦ୍ୟୁଷଣ ବୋର୍ଡ କର୍ତ୍ତୃପକ୍ଷ ତାଙ୍କ ଏତଲାରେ ଦର୍ଶାଇଛନ୍ତି ।
କେବଳ ଏହିଠାରେ ନୁହେଁ ପୂର୍ବରୁ ଭୁବନେଶ୍ଵର ମୁଖ୍ୟ ଦପ୍ତରରେ ମଧ୍ୟ ସମ୍ପୃକ୍ତ ଯୁବକ ଏଭଳି ଗଣ୍ଡଗୋଳ କରିଥିବା ଦର୍ଶାଯାଇଛି । ଆଗାମୀ ଦିନରେ ବୋର୍ଡର ଆଞ୍ଚଳିକ ଦପ୍ତରକୁ ବନ୍ଦ କରିଦେବା ପାଇଁ ଧମକ ବି ଦେଇଛନ୍ତି । ତେଣୁ ସରକାରୀ ଅଫିସରେ ପଶି ଅଫିସରଙ୍କୁ ଧମକାଇବା, ଉଦ୍ଦେଶ୍ୟମୂଳକ ଭାବେ ଗଣ୍ଡଗୋଳ କରିବା ଓ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ବୋର୍ଡ ପକ୍ଷରୁ ଏତଲାରେ ଅନୁରୋଧ କରାଯାଇଛି । ରଘୁନାଥପାଲି ପୁଲିସ୍ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ଆଜି ମାମଲା ରୁଜୁ କରିଛି । ରୁଜୁ ହୋଇଥିବା ୪୫୧ ନମ୍ବର ମାମଲାରେ ପୁଲିସ୍ ପକ୍ଷରୁ ୧୯୧(୨) ୧୩୨/ ୨୯୨/ ୧୨୭ (୨)/ ୩୫୧ (୩)/ ୧୯୦ ଦଫାରେ ମାମଲା ରୁଜୁ କରାଯିବା ସହିତ ତଦନ୍ତ ଆରମ୍ଭ ହୋଇଛି ।