ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାଉରକେଲା, ୨/୯ : ଜଙ୍ଗଲ ସଂରକ୍ଷଣ ସଂଶୋଧନ ଅଧିନିୟମ - ୨୦୨୩କୁ କାର୍ଯ୍ଯକାରୀ କରି ଆଦିବାସୀମାନଙ୍କୁ ବିସ୍ଥାପନ କରିବା ସହିତ ଜଳ, ଜଙ୍ଗଲ, ଜମି ତଥା ବାସଗୃହର ମାଲିକାନା ଅଧିକାରରୁ ବଞ୍ଚିତ କରିବା ବିରୋଧରେ ଦେଶର ୩୧ଟି ରାଜ୍ଯରେ ତୃତୀୟ ଚରଣ ଆନ୍ଦୋଳନ ଭାବରେ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। 

ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ ଆଦିବାସୀ ଅଞ୍ଚଳରେ ମାଟିତଳେ ଲୁଚିରହିଥିବା ମୂଲ୍ଯବାନ ଧାତୁର ଉପଯୋଗ କରିବା ପାଇଁ ପୁଞ୍ଜିପତିମାନଙ୍କୁ ଜମି ଆବଣ୍ଟନ କରି ଆଦିବାସୀମାନଙ୍କୁ ଜଳ, ଜଙ୍ଗଲ, ଜମି ତଥା ଭିଟାମାଟିର ମାଲିକାନା ଅଧିକାରରୁ ବଞ୍ଚିତ କରାଯାଉଥିବା ଏବଂ ଏଥିଯୋଗୁଁ ସମଗ୍ର ଦେଶରେ ଆଦିବାସୀମାନେ ବିସ୍ଥାପିତ ହେଉଛନ୍ତି ବୋଲି ଅଭିଯୋଗ କରାଯାଇଛି।

ବିକାଶ ନାମରେ ବିସ୍ଥାପନ ହେଉଛି। କିନ୍ତୁ ଏହା ଦ୍ବାରା ଆଦିବାସୀମାନେ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି। ବଡ ବଡ ବନ୍ଧ ନିର୍ମାଣ ସମୟରେ ଆଦିବାସୀମାନଙ୍କୁ ୫ମ ଓ ୬ଷ୍ଠ ଅନୁସୂଚୀ ଅଞ୍ଚଳରୁ ବିସ୍ଥାପନ କରି ଅଣ-ଅନୁସୂଚୀ ଅଞ୍ଚଳରେ ଥଇଥାନ କରାଯାଉଛି। ଫଳରେ ୫ମ ଓ ୬ଷ୍ଠ ଅନୁସୂଚୀ ସମାପ୍ତ ହେବାର ଆଶଙ୍କା ଦେଖାଦେଇଛି ବୋଲି ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ଶିଳ୍ପାୟନ ଦ୍ବାରା ହେଉଥିବା ସହରୀକରଣ ମାଧ୍ଯମରେ ୫ମ ଓ ୬ଷ୍ଠ ଅନୁସୂଚୀ ଅଞ୍ଚଳର ଆଦିବାସୀଙ୍କ ଠାରୁ ଜମି ଛଡାଇ ନିଆଯାଇ ବିସ୍ଥାପନ କରାଯାଉଛି ବୋଲି ଅଭିଯୋଗ କରାଯାଇଛି।

ଆଜିର ଏହି ବିକ୍ଷୋଭରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ସଭାପତି ରବିନ୍ କୁମାର ବେକଙ୍କ ସମେତ ରବି ଶଙ୍କର ଓ ଅନ୍ୟ ଆଦିବାସୀ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।