ଟିଟିଆ ଆଦର୍ଶ ବିଦ୍ୟାଳୟରୁ ଶସସ୍ତ୍ର ଲୁଟ୍ ଉଦ୍ୟମ ; ୨ ରାତ୍ରି ଜଗୁଆଳିଙ୍କ ହାତ, ଗୋଡ଼, ମୁହଁ ବାନ୍ଧିଲେ ଲୁଟେରା
ଖୁଣ୍ଟା,୧୭/୯ : ବିଳମ୍ବିତ ରାତିରେ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରି ୨ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଲୁଟ୍ ଉଦ୍ୟମ । ହାତ, ଗୋଡ଼ ଓ ମୁହଁକୁ ବାନ୍ଧି ଡକାୟତ ଉଦ୍ୟମ ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ତଥା ଖୁଣ୍ଟା -ବାରିପଦା ରାଜ୍ୟ ରାଜ୍ୟପଥପାର୍ଶ୍ଵରେ ଥିବା ଟିଟିଆ ଆଦର୍ଶ ବିଦ୍ୟାଳୟରେ I
ସୂଚନା ଅନୁଯାୟୀ , ମଙ୍ଗଳବାର ବିଳମ୍ବିତ ରାତିରେ ୮ ଜଣ ମୁଖା ପିନ୍ଧା ଯୁବକ ପାଚେରି ଡେଇଁ ପ୍ରବେଶ କରିବା ସହ ବିଦ୍ୟାଳୟ ପଛପଟ କବାଟର ତାଲା ଭାଙ୍ଗି ବିଦ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ । ବିଦ୍ୟାଳୟ ମୁଖ୍ୟଦ୍ୱାରରେ ଶୋଇଥିବା ରାତ୍ରି ଜଗୁଆଳି ମନୋରଞ୍ଜନ ବାସ୍କେ ଓ ଛାତ୍ରାବାସର ରାତ୍ରୀ ଜଗୁଆଳି ଶତୃଘନ ପାତ୍ରଙ୍କ ବେକରେ ତେଲଙ୍ଗା କଟୁରୀ ଲଗାଇ ସେମାନଙ୍କ ମୋବାଇଲ ଫୋନ ଗୁଡ଼ିକୁ ଛଡ଼ାଇ ନେଇଥିଲେ । ଚିତ୍କାର କଲେ ତଣ୍ଟି କାଟି ଦେବାକୁ ଧମକ୍ ଦେଇ ଭୟଭୀତ କରି ସେମାନଙ୍କୁ ଶୋଇଥିବା ଖଟରେ ବାନ୍ଧି ସେମାନଙ୍କ ମୁହଁ, ହାତ ଓ ଗୋଡ଼କୁ ସେଲୋଟେପ ଦ୍ୱାରା ବାନ୍ଧି ଦେଇଥିଲେ ।
୮ ଦୁର୍ବୃତ୍ତଙ୍କ ମଧ୍ୟରୁ ୨ଜଣ ଦୁର୍ବୃତ୍ତ ବନ୍ଧା ହୋଇଥିବା ଦୁଇ କର୍ମଚାରୀଙ୍କୁ ଜଗି ରହିଥିବାବେଳେ ଅନ୍ୟ ୬ ଜଣ ଚାବି ଓ ସୋଲାର ବ୍ୟାଟେରି ସମ୍ପର୍କରେ ଧମକ୍ ଦେଇ ପଚାରି ଚାବି ନେଇ ଯାଇଥିଲେ । ପ୍ରାୟ ୧୫ମିନିଟ୍ ପରେ ରାତ୍ରି ଜଗୁଆଳି ଶତୃଘନ କୌଶଳ କ୍ରମେ ବନ୍ଧା ହୋଇଥିବା ଖଟରୁ ନିଜକୁ ମୁକ୍ତ କରିଥିଲେ l ହାତ ଓ ଗୋଡ଼ ବନ୍ଧା ଅବସ୍ଥାରେ କୋଠରୀରୁ ଖସି ଶୌଚାଳୟ ର ଝରକା ଭାଙ୍ଗି ଘଟଣା ସମ୍ପର୍କରେ ୱାର୍ଡ଼େନ ପ୍ରମିଳା ମାରଣ୍ଡିଙ୍କୁ ଅବଗତ କରାଇଥିଲେ ।
ପ୍ରମିଳା ଏହି ଘଟଣା ସମ୍ପର୍କରେ ରାତିରେ ବିଦ୍ୟାଳୟର ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମିଶ୍ରଙ୍କୁ ଫୋନ ମାଧ୍ୟମରେ ସୂଚାଇଥିଲେ । ପରବର୍ତ୍ତି ସମୟରେ ଅଧ୍ୟକ୍ଷା ଘଟଣା ସଂପର୍କରେ ଖୁଣ୍ଟା ଥାନା ଓ ଟିଟିଆ ଗ୍ରାମବାସୀମାନଙ୍କୁ ଜଣାଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ଅଧ୍ୟକ୍ଷା ଶ୍ରୀମତି ମିଶ୍ର ରାତି ୩ଟାରେ ବିଦ୍ୟାଳୟରେ ପହଞ୍ଚିଥିଲେ । ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଗ୍ରାମବାସୀ ଆସୁଥିବା ଜାଣି ସଂପୃକ୍ତ ଡକାୟତମାନେ ଧରାପଡ଼ି ଯିବା ଭୟରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଯିବା ସମୟରେ ଲୁଟେରାମାନେ ବିଦ୍ୟାଳୟର ସମ୍ମୁଖ ଫାଟକ ଚାବି ସମେତ ଅନ୍ୟ ୩ଟି କୋଠରୀର ଚାବି ଓ ଗୋଟିଏ ବାଇକ୍ ଚାବି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରବର୍ତ୍ତି ସମୟରେ ବନ୍ଧା ହୋଇଥିବା ମନୋରଞ୍ଜନଙ୍କୁ ଅଧ୍ୟକ୍ଷା ଓ ଗ୍ରାମବାସୀ ଖୋଲିଥିଲେ ।
ତେବେ ଲୁଟ୍ ପାଇଁ ଆସିଥିବା ସମସ୍ତ ଲୁଟେରା ପ୍ରାୟ ୩୦ରୁ ୩୨ବର୍ଷ ବୟସ ମଧ୍ୟରେ ହୋଇଥିବା ଏବଂ ସେମାନେ ଓଡ଼ିଆରେ କଥାବାର୍ତ୍ତା ହେଉଥିବା ବନ୍ଧା ହୋଇଥିବା କର୍ମଚାରୀ ଦ୍ବୟ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ଖବରପାଇ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସିସିଟିଭି ଫୁଟେଜକୁ ସଂଗ୍ରହ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ତେବେ ଲୁଟେରାମାନେ କେଉଁଥିରେ ଆସିଥିଲେ ଏବଂ ଲୁଟ୍ କରିବାରେ ବିଫଳ ହୋଇ କେଉଁଆଡ଼େ ଗଲେ ତାହା ସ୍ପଷ୍ଟ ହୋଇପାରିନାହିଁ। ଜଗୁଆଳି ଶତୃଘନ ପାତ୍ରଙ୍କ ସାହସ ଏବଂ ଉପସ୍ଥିତ ବୁଦ୍ଧି ଯୋଗୁଁ ଲୁଟେରାମାନେ ଲୁଟ୍ କରିବାରେ ବିଫଳ ହୋଇଥିବାବେଳେ ଲୁଟ୍ ପୂର୍ବର ସମସ୍ତ କାଣ୍ଡ ସିସିଟିଭିରେ କଏଦ ହୋଇଛି । ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ଏବେ ସୁଦ୍ଧା ଘଟଣାରେ କୌଣସି ଅଭିଯୁକ୍ତଙ୍କ ପତ୍ତା ପାଇପାରିନାହିଁ ।

Editor 


