ପୁରୁଣା ପେନସନ ଲାଗି ଦିଲ୍ଲୀରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମିଳନୀ ; ୨୫ ନଭେମ୍ବର ଦିଲ୍ଲୀ ଚାଲ ମହା ଆନ୍ଦୋଳନ

ପୁରୁଣା ପେନସନ ଲାଗି ଦିଲ୍ଲୀରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମିଳନୀ ; ୨୫ ନଭେମ୍ବର ଦିଲ୍ଲୀ ଚାଲ ମହା ଆନ୍ଦୋଳନ

ନୂଆଦିଲ୍ଲୀ,୯/୧୧ : ସାରା ଭାରତ ବର୍ଷରେ କାର୍ଯ୍ୟରତ କେନ୍ଦ୍ର ଓ ସମସ୍ତ ରାଜ୍ୟର ସରକାରୀ କର୍ମଚାରୀଙ୍କ ଦାବି ପୁରୁଣା ପେନସନକୁ ସାକାର କରିବା ନେଇ ରାଷ୍ଟ୍ରୀୟ ପୁରୁଣା ପେନସନ ଅଭିଯାନ ସଂଗଠନ ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଏକ୍ଜିକ୍ୟୁଟିଭ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ରାଜ୍ୟର ନେତୃତ୍ୱମାନେ କେନ୍ଦ୍ର ସରକାର ଘୋଷଣା କରିଥିବା ୟୁନିଫାଏଡ ପେନସନ ସ୍କିମକୁ ବିରୋଧ କରି ଦେଶର ଏକ କୋଟି ଶିକ୍ଷକ ଏବଂ କର୍ମଚାରୀମାନଙ୍କ ପାଇଁ ପୁରୁଣା ପେନସନ ଲାଗୁକରିବା ନିମନ୍ତେ କେନ୍ଦ୍ରସରକାରଙ୍କୁ ଦାବି କରିଥିଲେ।

କେନ୍ଦ୍ର ସରକାର ୟୁନିଫାଏଡ ସ୍କିମ ଲାଗୁ କରିବା ପରେ ସମଗ୍ର ଦେଶର ସରକାରୀ କର୍ମଚାରୀମାନଙ୍କର ମାତ୍ର ୩% କର୍ମଚାରୀ ନେସନାଲ ପେନସନ ସ୍କିମରୁ ୟୁନିଫାଏଡ଼ ପେନସନ ସ୍କିମକୁ ବିକଳ୍ପ ବାଛିଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ, ସମଗ୍ର ଭାରତରେ ସରକାରୀ କର୍ମଚାରୀମାନେ ପୁରୁଣା ପେନସନ ସ୍କିମ ଅତିରିକ୍ତ କୌଣସି ବିକଳ୍ପ ଚାହୁଁ ନାହାଁନ୍ତି, ଯେଉଁଥିପାଇଁ କି ଏହା ଲାଗୁ କରିବା ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି । ବୈଠକରେ ଓଡିଶାରୁ ରାଜ୍ୟ ଏନଏମଓପିଏସର ସଭାପତି ବିଜୟ ମଲ୍ଲ ଓଡ଼ିଶାର ପ୍ରତିନିଧି ଭାବେ ଯୋଗଦାନ କରିବା ସହ ଭାରତର ପେନସନ ମ୍ୟାନ ଭାବେ ପରିଚିତ ଶ୍ରୀ ବିଜୟ ବନ୍ଧୁ ସାରା ଦେଶରେ ଅଗଣିତ ସରକାରୀ କର୍ମଚାରୀଙ୍କ ଦ୍ଵାରା ଆସନ୍ତା ୨୫ନଭେମ୍ବର ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପୁରୁଣା ପେନସନ ମହା ଆନ୍ଦୋଳନରେ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ସରକାରୀ କର୍ମଚାରୀମାନଙ୍କୁ ଅନୁରୋଧ କରିଥିଲେ।