କଟକଣାକୁ ଫୁ, ରଥକୁ ମୋବାଇଲ ନେଲେ, ମନ ପସନ୍ଦର ଫଟୋ ଉଠାଇଲେ

କଟକଣାକୁ ଫୁ, ରଥକୁ ମୋବାଇଲ ନେଲେ, ମନ ପସନ୍ଦର ଫଟୋ ଉଠାଇଲେ

ଭୁବନେଶ୍ବର,୧୮/୭ :  ରଥ ଉପରକୁ ମୋବାଇଲ ନେଲେ ହେବ କାର୍ଯ୍ୟାନୁଷ୍ଠାନ ନୂତନ ଭାବେ ଦାୟିତ୍ବ ନେବା ପରେ ଏଭଳି ପ୍ରତିକ୍ରିୟା ରଖିଥିଲେ ଶ୍ରୀମନ୍ଦିରର ନୂତନ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ମାତ୍ର ସୁନାବେଶରେ ରଥ ଉପରେ ସବୁ କଟକଣାକୁ ଫୁ କରି ଦେଇ ଉଡ଼ାଇ ଦେଇଛନ୍ତି ଦଇତାପତି ସେବାୟତମାନେ । ଅବସର ଥିଲା ସୁନାବେଶର । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ପୋଲିସର କଡ଼ା ପ୍ରହରା ଥିଲା । ମାତ୍ର ସବୁ ଯେମିତି ଥିଲା ଧର୍ମକୁ ଆଖିଠାର ଭଳି । ଦଇତାପତି ସେବାୟତମାନେ ଆଜି ରଥ ଉପରକୁ ମୋବାଇଲ ନେଇ ଦିଅଁଙ୍କ ସାମ୍ନାରେ ଛିଡ଼ା ହେବା ସହ ମନ ପସନ୍ଦର ଫଟୋ ମଧ୍ୟ ଉଠାଇଛନ୍ତି । ଯାହା ଏବେ ଭକ୍ତଙ୍କ ମହଲରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।

ଶ୍ରୀ ପାଢୀ ଦାୟିତ୍ବ ନେବା ପରେ କହିଥିଲେ କି, ରଥ ଉପରକୁ ମୋବାଇଲ ନେଲେ କାର୍ଯ୍ୟାନୁଷ୍ଠାନ ହେବ । ରଥ ଉପରେ ଫଟୋ ଓ ସେଲ୍ଫି ନେବା ଉପରେ କଟକଣା ଲାଗିବ । ଅଣ ସେବାୟତ ରଥ ଉପରକୁ ଯାଇପାରିବେ ନାହିଁ । କୌଣସି ପରିସ୍ଥିତିରେ ବିଶୃଙ୍ଖଳା ଆଚରଣକୁ ବରଦାସ୍ତ କରାଯିବ ନାହିଁ । ସେବାୟତ ମହାପ୍ରଭୁଙ୍କ ଆଗରେ ରହିବେ ନାହିଁ । ସବୁ ନିଯୋଗ ସହ ଆଲୋଚନା ହୋଇ ସମନ୍ୱୟ ରକ୍ଷା କରାଯିବ ।

ମାତ୍ର ଆଜିର ଦୃଶ୍ୟ ଦେଖିଲେ ଏହା ବାରି ହୋଇପଡ଼ୁଛି କି କଟକଣା କେବଳ କଟକଣାରେ ରହିଯାଇଛି। ଆଡ଼ପ ମଣ୍ଡପ ବିଜେ ସମୟରେ ବଡ଼ ଠାକୁରଙ୍କ ପଡ଼ିଯିବା ଘଟଣା ଏବେ ଯାଏ ମନରୁ ଲିଭିନି । ରଥଯାତ୍ରା ମଝିରେ ମୁଖ୍ୟ ପ୍ରଶାସକ ପଦବୀ ବି ପରିବର୍ତ୍ତନ ହେଲା । ମାତ୍ର କଟକଣା କଟକଣା ବାଟରେ ଅଟକି ଗଲା ଯେମିତି। ଏବେ ପ୍ରଶ୍ନ ଉଠୁଛି ଏଭଳି ଦୃଶ୍ୟ ଏବେ ନଜରକୁ ଆସିବା ପରେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନା କେବଳ କଟକଣା କଟକଣା ବାଟରେ ରହିଯିବ ।