ନୂଆପଡ଼ା ବିକାଶର ସାରଥୀ ହେବେ ଜୟ ଢୋଲକିଆ : ମୋହନ ଚରଣ ମାଝୀ

ନୂଆପଡ଼ା ବିକାଶର ସାରଥୀ ହେବେ ଜୟ ଢୋଲକିଆ : ମୋହନ ଚରଣ ମାଝୀ

ଭୂବନେଶ୍ୱର, ୧୫/୧୧ : ଭାରତୀୟ ଜନତା ପାର୍ଟି ନୂଆପଡ଼ା ଉପନିର୍ବାଚନରେ ବିଜୟ ଲାଭ କରି ଇତିହାସ ରଚିଛି । ନୂଆପଡ଼ାବାସୀ ବିଜେପି ଉପରେ ଭରସା ଓ ବିଶ୍ୱାସ ରଖିଛନ୍ତି । ନୂଆପଡ଼ାରେ ଏଥର ବିକାଶ ହେବ । ବିଜେପି ସରକାର ଏଠାରେ ୧୪୨୧ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ଜୟ ଢୋଲକିଆଙ୍କ ନେତୃତ୍ୱରେ ନୂଆପଡ଼ା ରାଜ୍ୟର ଏକ ନମ୍ବର ଜିଲ୍ଲା ହେବ । ବିଜେପିର ସଂକଳ୍ପ ଓ ବାପାଙ୍କ ସ୍ୱପ୍ନକୁ ପାଥେୟ କରି ନୂଆପଡ଼ାକୁ ନୂଆ ବିଧାୟକ ନୂଆ ରୂପ ଦେବେ ବୋଲି ରାଜ୍ୟ କାର୍ଯ୍ୟାଳୟରେ ନୂଆପଡ଼ାର ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କ ପାଇଁ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଶ୍ରୀ ମାଝୀ କହିଛନ୍ତି ଯେ, ଗତକାଲି ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ବିଜୟୀ ଉତ୍ସବ ପାଳନ କରାଯାଇଥିବାବେଳେ ଆଜି ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବିଜେପି ସରକାର ୧୬ ମାସ ଅତିକ୍ରମ କରି ଏବେ ୧୭ ମାସରେ ପଦାର୍ପଣ କରିଛି । ଗତ ଛଅ ମାସ ପୂର୍ବର ନୂଆପଡ଼ାର ଜିଲ୍ଲା ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ବିଜେପି ସରକାର ପ୍ରତି ନୂଆପଡ଼ାବାସୀଙ୍କ ସମର୍ଥନ ଦେଖିଥିଲି । ଦୀର୍ଘ ୨୪ବର୍ଷ ଧରି ଅବହେଳାର ଶିକାର ହୋଇଥିବା ଏଠାକାର ଲୋକେ ଆଶା ବାନ୍ଧିଥିଲେ ଯେ ସରକାର ପରିବର୍ତନ ହୋଇଛି ଏବେ ନୂଆପଡ଼ାର ବିକାଶ ହେବ । ଏହି ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୁଁ ନିଜେ ଦାୟିତ୍ୱ ନେଇଛି । ଜୟ ଢୋଲିକିଆ ଏହି ବିକାଶର ସାରଥୀ ହେବେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର କାର୍ଯ୍ୟକର୍ତାମାନେ ଅକ୍ଲାନ୍ତ ପରିଶ୍ରମ କରି ବିଜେପିକୁ ବିପୁଳ ବିଜୟ କରାଇଛନ୍ତି । ଏଥିପାଇଁ ସମସ୍ତ ନୂଆପଡ଼ାବାସୀ ଓ ଦଳୀୟ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ । 

ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ନୂଆପଡ଼ାବାସୀଙ୍କ ଆର୍ଶୀବାଦ କାରଣରୁ ଜୟ ଢ଼ୋଲକିଆ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ନୂଆପଡ଼ାର ବିକାଶ ପାଇଁ ଜଗନ୍ନାଥ ତାଙ୍କୁ ଶକ୍ତି ଦିଅନ୍ତୁ । ନୂଆପଡ଼ାକୁ ନୂଆ ବିଧାୟକ ନୂଆ ରୂପ ଦେବେ । ସେ ଅଖଣ୍ଡ ପରିଶ୍ରମ କରି ନୂଆପଡ଼ାବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରନ୍ତୁ । ଏନେଇ ନୂଆପଡ଼ାବାସୀ ଓ ବିଜେପି କାର୍ଯ୍ୟକତାଙ୍କୁ ଯେତେ ଧନ୍ୟବାଦ ଦେଲେ ତାହା କମ୍ ହେବ । ସମସ୍ତେ ବହୁ ପରିଶ୍ରମ କରି ନିଷ୍ଠାପର ଭାବେ ଉଦ୍ୟମ କରିଛନ୍ତି । ସମସ୍ତେ ନିଜର ବୁଦ୍ଧି, ବିଦ୍ୟା, ଯୋଗ୍ୟତା ସବୁକୁ ଏହି ନିର୍ବାଚନରେ ଲଗାଇ ଦଳକୁ ବିଜୟୀ ଲାଭ କରାଇଛନ୍ତି । ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ପରିଶ୍ରମ କରି ଲୋକଙ୍କ ପାଖରେ ପହଂଚି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଚାଂଇ ପାରିଛନ୍ତି । ପରିବାରବାଦ ନୁହେଁ ପ୍ରତ୍ୟେକ ପରିବାର ପାଇଁ ବିଜେପି ସମର୍ପିତ ।

ଓଡ଼ିଶାରେ ବିଜେପିର ଲୋକପ୍ରିୟତା ଯେଉଁଭଳି ଭାବେ ବଢ଼ିଚାଲିଛି ଏହି ଊପନିର୍ବାଚନରେ ବିପୁଳ ବିଜୟ ହେଉଛି ତାର ପ୍ରତିଫଳନ । ବିହାର ନିର୍ବାଚନ ସହ ଓଡ଼ିଶା ଓ ଜାମୁକାଶ୍ମରୀର ଉପନିର୍ବାଚନର ଫଳାଫଳ ସାରା ଦେଶକୁ ପ୍ରଭାବିତ କରିଛି । ବିଜେପି ଯାହା ପ୍ରତିଶ୍ରୁତି ଦିଏ ତାହା ପୂରଣ କରେ । ଏବେ ବିଜେପି ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଉଛି ତାହା ପୂରଣ କରିବା ଦାୟିତ୍ୱ ହେଉଛି ଆମ ସମସ୍ତଙ୍କର । ମୁଖମନ୍ତ୍ରୀ ଘୋଷଣା କରିଥିବା ସମସ୍ତ କାର୍ଯ୍ୟକୁ ନିକ୍ଷୁଣଭାବେ କରିବା ପାଇଁ ସଂକଳ୍ପ ନେବାକୁ ଶ୍ରୀ ସାମଲ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ଏହି ବିଜୟ ପାଇଁ ଶ୍ରୀ ଢୋଲକିଆ ନୂଆପଡ଼ାବାସୀଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ, ୧୧ତାରିଖରେ ନୂଆପଡ଼ାବାସୀ ଗଣତନ୍ତ୍ରର ଏହି ମହାପର୍ବକୁ ପାଳନ କରି ପାଖାପାଖି ୮୩% ଭୋଟିଂ କରିଛନ୍ତି । ନୂଆପଡ଼ାରେ ଯେଉଁ ବିଜୟ ହୋଇଛି ସେ ବିଜୟ ମୋର ଏକଲାର ବିଜୟ ନୁହେଁ । ଏହି ବିଜୟ ହେଉଛି ନୂଆପଡ଼ା ଅଂଚଳର ସମସ୍ତ ଜନସାଧାରଣଙ୍କ ବିଜୟ । ଭାରତୀୟ ଜନତା ପାର୍ଟିର ଡବଲଇଞ୍ଜିନ୍ ସରକାରର ବିଜୟ । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯିଏ ନୂଆପଡ଼ା ଜିଲ୍ଲାର ବିକାଶ ଦାୟିତ୍ୱ ନେଇଛନ୍ତି ଏହା ହେଉଛି ତାଙ୍କର ବିଜୟ । ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ ଏବଂ ରାଷ୍ଟ୍ରୀୟ କାର୍ଯ୍ୟକର୍ତାଙ୍କ ବିଜୟ । ନୂଆପଡ଼ା ବିକାଶର ବିଜୟ । ଏଠାକାର ପ୍ରତ୍ୟେକ ସମାଜର ଉନ୍ନତିର ବିଜୟ । ବିଜେପି ପାର୍ଟିର ଶୀର୍ଷ ନେତୃମଣ୍ଡଳୀ ଯେଉଁଭଳି ଜଣେ ନୂଆ ସଦସ୍ୟଙ୍କୁ ଗୋଟିଏ ପରିବାର ଭଳି ପଥପ୍ରଦର୍ଶନ କଲେ, ଉପନିର୍ବାଚନ ସଂଚାଳନ କଲେ ଓ ଦଳୀୟ କାର୍ଯ୍ୟକର୍ତାମାନେ ନୂଆପଡ଼ାବାସୀ ଲୋକଙ୍କୁ ଏକତ୍ରିତ କରି ଯେଉଁଭଳି ଉପ ନିର୍ବାଚନା ଶେଷ କଲେ ସେଥିପାଇଁ ଶ୍ରୀ ଢୋଲକିଆ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ଏହି ସମ୍ବଦ୍ଧର୍ନା ସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ବାବୁ ସିଂ, ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି, ନୂଅପଡ଼ା ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ଓ ଜୟ ଢୋଲକିଆଙ୍କ ମା’ କଳ୍ପନା ଢୋଲକିଆ ପ୍ରମୁଖ ଯୋଗଦେଇଥିଲେ । ସଭା ଶେଷ ହେବା ପରେ ଜୟ ଢ଼ୋଲକିଆ ଶ୍ରୀ ଜଗନ୍ନାଥଙ୍କ ଆର୍ଶୀବାଦ ପାଇଁ ପରିବାରବର୍ଗ ସହ ପୁରୀ ଶ୍ରୀମନ୍ଦିର ଗସ୍ତ କରିଥିଲେ ।