ଚମତ୍କାର ନାଟ୍ୟାନୁଷ୍ଠାନ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ନାଟକ 'ଡାଆଣୀ' ମଞ୍ଚସ୍ଥ
ନୟାଗଡ଼,୫/୯ : ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ 'ଚମତ୍କାର' ପକ୍ଷରୁ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଦିବାସୀ ପରମ୍ପରା, କଳା, ସଂସ୍କୃତି ତଥା ଜନଜୀବନ ଉପରେ ଆଧାରିତ ନାଟକ ଡାଆଣୀ ମଞ୍ଚସ୍ଥ ହୋଇଯାଇଛି। ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ବିଜୟ ମହାନ୍ତିଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ।
ଆଦିବାସୀ ପରମ୍ପରା ଆଧାରିତ ସଂସ୍କାର ମୂଳକ ନାଟକ ‘ଡାଆଣୀ’ ଆଦିବାସୀ ଜନଜୀବନରେ କିପରି ପ୍ରଭାବ ପକାଇଥାଏ ତାହାର ନିଚ୍ଛକ ପ୍ରଦର୍ଶନ ଏହି ନାଟକ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ନାଟକର ମୁଖ୍ୟ ଚରିତ୍ର ଭଗିଆର ସ୍ତ୍ରୀ ନୁନୀ ଏକାକିନୀ ଆଦିବାସୀ ଚଳଣିରେ ଘାଣ୍ଟି ଚକଟି ହେଉଥି ବାବେଳେ କୁଚକ୍ରୀ, ଯୁବତୀ ଚୋରା ଚାଲାଣକାରୀ ଅଣଆଦିବାସୀ ସରପଞ୍ଚ, ଠିକାଦାରଙ୍କ ଚକ୍ରାନ୍ତରେ ଭଗିଆ ଦାଦନ ଯାଏ ଏବଂ ସେଠାରେ କୌଣସି କାରଣରୁ ମୃତ୍ୟୁ ବରଣ କରେ । ଆଦିବାସୀ ମାନଙ୍କ ସବୁଠାରୁ ବଡ଼ ଉତ୍ସବ ପରବ ରାତିରେ ଠିକାଦାର ଦ୍ଵାରା ଧର୍ଷିତା ହୁଏ ଏକାକୀ ରହୁଥିବା ନିରୀହା ନୁନୀ। ଧର୍ଷିତା ନୁନୀକୁ ଆଦିବାସୀ ସମାଜ ମିଥ୍ୟା ଆରୋପ ଲଗାଇ ‘ଡାଆଣୀ’ର ଆଖ୍ୟାଦେଇ ଗୁଣିଆ ଦ୍ଵାରା ଝଡ଼ାଫୁଙ୍କାର ବ୍ୟବସ୍ଥା କରିବା, ନିଶାଗ୍ରସ୍ତ ପୋଲିସ ଅଧିକାରୀଙ୍କ ଦ୍ୱାରା ଅଧିକ ନିର୍ଯ୍ୟାତନା ସହିତ ନୁନୀକୁ ସାମାଜିକ ବାସନ୍ଦ କରାଯାଇଥିବା ବେଳେ ଆଦିବାସୀ ଜନଜୀବନ ଉପରେ ଗବେଷଣା କରୁଥିବା ଡ.ଚୌଧୁରୀ ନୁନୀକୁ ସବୁଦିନ ପାଇଁ ଧର୍ମପତ୍ନୀ ଭାବେ ଗ୍ରହଣ କରିନେଇଥିଲେ। ଏପରି ଏକ ଅନ୍ଧବିଶ୍ୱାସ ଏବଂ ସଂସ୍କାର ମୂଳକ ନାଟକ ଦର୍ଶକ ମାନଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିଥିଲା ।
ଏହି ନାଟକର ବିଭିନ୍ନ ଭୂମିକାରେ ରାକେଶ ଦାସ, ଲକ୍ଷ୍ମୀଧର ମହାପାତ୍ର, ଉମାଶଙ୍କର ମିଶ୍ର, ଜିତେନ୍ଦ୍ର ଚୌଧୁରୀ, ପ୍ରଦୀପ୍ତ ଡାକୁଆ, ନୀଳକଣ୍ଠ ଦାଶ, ନିଶିକାନ୍ତ ମହାପାତ୍ର, ବିରୂପାକ୍ଷ ସ୍ଵାଇଁ, ସୁଧାଂଶୁ ଶେଖର ପଣ୍ଡା, ଶାଶ୍ଵତ ମିଶ୍ର, ବାଲୁଙ୍କେଶ୍ଵର ବିଶୋଇ, ପ୍ରଶାନ୍ତ କୁମାର ଖଟୁଆ,ଦେବାଶିଷ ମହାପାତ୍ର, ପ୍ରହଲ୍ଲାଦ ପ୍ରଧାନ, ଦିଲ୍ଲୀପ ପ୍ରଧାନ, ସୋମନାଥ ସାହୁ,ସୋନାଲୀ ଶୁଚିସ୍ମିତା, ଅନ୍ତିମାଶା, ସନ୍ତୋଷିନୀ ମଲ୍ଲିକ୍ ଏବଂ ଦିବ୍ୟଜ୍ୟୋତି ପଟ୍ଟନାୟକ ପ୍ରମୁଖ ଅଭିନୟ କରିଥିଲେ।

Editor 


