ସି.ଆର.ପି.ଏଫ.ର ୮୭ତମ ପ୍ରତିଷ୍ଠା ଦିବସ ପାଳନ କଲା ଗ୍ରୁପ୍ ସେଣ୍ଟର

ସମ୍ବଲପୁର,୨୮/୭ : ଦେଶର ସର୍ବୋତ୍ତମ ଏବଂ ଗୌରବଶାଳୀ ଅର୍ଦ୍ଧସାମରିକ ବାହିନୀ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀର ୮୭ ତମ ପ୍ରତିଷ୍ଠା ଦିବସ ସମ୍ବଲପୁର ଗୌଶାଳାର ଗ୍ରୁପ୍ ସେଣ୍ଟରରେ ଡେପୁଟି ଇନ୍ସପେକ୍ଟର ଜେନରାଲ ସଞ୍ଜୟ କୁମାର ସିଂହ ମାର୍ଗଦର୍ଶନରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ସମସ୍ତ ସାହସୀ ସୈନିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଯାଇଥିଲା।
ଏହା ବ୍ୟତୀତ, ପୋଲିସ ଉପ ମହାନିରୀକ୍ଷକ ଙ୍କ ଅଭିଭାଷଣରେ ୨୭ ଜୁଲାଇ ୧୯୩୯ ରେ ସି ଆର ପି ଏଫ୍ ପ୍ରତିଷ୍ଠା ତାରିଖରୁ ଆଜି ପର୍ଯ୍ୟନ୍ତ ବାହିନୀ ଦ୍ୱାରା କରାଯାଇଥିବା ସାହସ/ବୈରାଗ ଏବଂ ବଳିଦାନର ଇତିହାସର କାହାଣୀ ଉଲ୍ଲେଖ କରାଯାଇଥିଲା। ଯେଉଁଥିରେ ମୁଖ୍ୟତଃ ହଟ୍ ସ୍ପ୍ରିଙ୍ଗ୍ ଲଦାଖରେ ଚୀନ୍ ସେନା ଏବଂ ସର୍ଦ୍ଦାର ପୋଷ୍ଟ କଚ୍ଛରେ ପାକିସ୍ତାନୀ ସେନାକୁ ପରାସ୍ତ କରିବାର ବିଜୟ ଗାଥା ଉଲ୍ଲେଖ କରାଯାଇଥିଲା ଏବଂ ସହିଦମାନଙ୍କୁ ମନେ ପକାଯାଇଥିଲେ।
ଏହା ବ୍ୟତୀତ, ସେ ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ପାଇଁ CRPFର କର୍ତ୍ତବ୍ୟ ଏବଂ ସଫଳତା ବିଷୟରେ ଉପସ୍ଥିତ ସୈନିକମାନଙ୍କୁ ବୁଝାଇଥିଲେ। ଶେଷରେ, "ସି ଆର୍ ପି ଏଫ୍ ସର୍ବଦା ଅଜେୟ, ଭାରତ ମାତା କି ଜୟ" ସ୍ଲୋଗାନ ସହିତ ଅଭିଭାଷଣ ଶେଷ ହୋଇଥିଲା। ଏହି ଅବସରରେ ଫିଟ୍ ଇଣ୍ଡିଆ ଅଧୀନରେ ସାଇକେଲ ରାଲି, ବୃକ୍ଷରୋପଣ କାର୍ଯ୍ୟକ୍ରମ, ସ୍ୱଚ୍ଛତା ଅଭିଯାନ ପରି ଅନେକ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ତା ସହିତ ବାହିନୀର ପରମ୍ପରା ଅନୁଯାୟୀ ସୈନିକ ସମ୍ମିଳନୀ, ପିଲାମାନଙ୍କ ମଧ୍ୟରେ ଚିତ୍ରକଳା ପ୍ରତିଯୋଗିତା, ସୈନିକ ମାନଙ୍କ ମଧ୍ୟରେ ଫୁଟବଲ୍ ଏବଂ ଭଲିବଲ୍ ଖେଳ ଅନ୍ତର୍ଭୁକ୍ତ ଥିଲା l