କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି : ଓଡ଼ିଶା ପୋଲିସ

ଭୁବନେଶ୍ଵର,୨/୮ : ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସନ୍ଧ୍ୟାରେ ପୀଡ଼ିତା ଆଖି ବୁଜିଛନ୍ତି । ଜୁଲାଇ ୧୯ରେ ଘଟିଥିବା ଏହି ଅଭାବନୀୟ ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରିବାରେ ସମର୍ଥ ହୋଇ ପାରିନାହିଁ। ଏହା ମଧ୍ୟରେ ଓଡ଼ିଶା ପୋଲିସ ଏକ୍ସରେ ଟୁଇଟ୍ କରି ଘଟଣାର ତଦନ୍ତକୁ ନେଇ ବଡ଼ ଟିପ୍ପଣୀ କରିଛନ୍ତି।
ଓଡ଼ିଶା ପୋଲିସ ଏକ୍ସରେ ଲେଖିଛି ଯେ, ବଳଙ୍ଗା ଘଟଣାରେ ପୀଡିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଏଣୁ ସମସ୍ତଙ୍କୁ ଅନୁରୋଧ ଯେ,ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ।
ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଗତ ଜୁଲାଇ ୧୯ରେ ଅଭାବନୀୟ ଘଟଣା ଘଟିଥିଲା । ଜଣେ ନାବାଳିକାଙ୍କୁ ତିନି ଜଣ ଦୁର୍ବୃତ୍ତ ବାଇକ୍ ଉଠାଇ ଏକ ନିଛାଟିଆ ସ୍ଥାନକୁ ନେଇଥିଲେ । ପ୍ରଥମେ ନିଶା ଦେଇ ବେହୋସ କରିବା ପରେ କିରୋସିନ ଢାଳି ନାବାଳିକା ଦେହରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା ।