ଅନ୍ତର୍ଜାତୀୟ ଯୁବ ଦିବସ ଓ “ଏଚ.ଆଇ.ଭି/ଏଡସ୍ ଓ ଯୌନ ସଂକ୍ରମିତ ରୋଗ’’ ନିରାକରଣ ପାଇଁ ଶୁଭାରମ୍ଭ ହେଲା ସ୍ୱତନ୍ତ୍ର ସଚେତନତା ଅଭିଯାନ

ଅନ୍ତର୍ଜାତୀୟ ଯୁବ ଦିବସ ଓ “ଏଚ.ଆଇ.ଭି/ଏଡସ୍ ଓ ଯୌନ  ସଂକ୍ରମିତ ରୋଗ’’ ନିରାକରଣ ପାଇଁ ଶୁଭାରମ୍ଭ ହେଲା ସ୍ୱତନ୍ତ୍ର ସଚେତନତା ଅଭିଯାନ

ରାଉରକେଲା, ୧୩/୮ : କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ “ଏଚ.ଆଇ.ଭି/ଏଡସ୍ ଓ ଯୌନ ସଂକ୍ରମିତ ରୋଗ’’ର ନିରାକରଣ ପାଇଁ ଆଜିଠାରୁ ଦେଶବ୍ୟାପୀ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଅଭିଯାନ ଦେଶର 61 ହଜାର ଗାଁରେ ଆରମ୍ଭ କରାଯାଇଛି l ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ଏହି ଅଭିଯାନ ଆଜି ଓଡ଼ିଶାରେ ଶୁଭାରମ୍ଭ ହୋଇଛି । ରାଜ୍ୟର ୧୬00ଗାଁରେ ଏହି ଅଭିଯାନ ଆରମ୍ଭ ହୋଇଛି l

ସ୍ଥାନୀୟ ସରକାରୀ ସ୍ୱୟଂଶାସିତ କଲେଜ, ପାନପୋଷରେ ରାଜ୍ୟସ୍ତରୀୟ ଏକ କାର୍ଯ୍ୟକ୍ରମରେ ଏହି ଅଭିଯାନର ଶୁଭାରମ୍ଭ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ମହାଲିଙ୍ଗ କହିଥିଲେ ଯେ ରାଜ୍ୟରେ ଏବେ 60 ହଜାରରୁ ଉର୍ଦ୍ଧ୍ବ ଏଚ.ଆଇ.ଭି ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି lପରିସଂଖ୍ୟାନ ଅନୁସାରେ ଗଞ୍ଜାମ ଜିଲ୍ଲା ରେ ସର୍ବାଧିକ ଏଚ.ଆଇ.ଭି ସଂକ୍ରମିତ ରହିଛନ୍ତି l ଏହାକୁ ଦୃଷ୍ଟି ରେ ରଖି ଖଲ୍ଲିକୋଟ ବ୍ଲକର ବଡ଼ପାଲ୍ଲୀ ଗ୍ରାମ ପଂଚାୟତରେ ବ୍ୟାପକ ସଚେତନତା ଏବଂ ଏହାକୁ ଏଚ.ଆଇ.ଭି ମୁକ୍ତ ଘୋଷଣା କରିବାକୁ ପରୀକ୍ଷାମୂଳକ ଭାବେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି l

ସେ କହିଥିଲେ ଯେ ଏବେ ଏଚ.ଆଇ.ଭି ସଂକ୍ରମଣ ଯୁବବର୍ଗଙ୍କୁ କବଳିତ କରିବାକୁ ଆରମ୍ଭ କଲାଣି l ତେଣୁ ଯୁବବର୍ଗ ସଚେତନ ହେଲେ “ଏଚ.ଆଇ.ଭି/ଏଡସ୍ ଓ ଯୌନ ସଂକ୍ରମିତ ରୋଗ’’ର ନିରାକରଣ ସମ୍ଭବ ହୋଇପାରିବ । ସାମାଜିକ ଗଣ ମାଧ୍ୟମ ଜରିଆରେ ଏଚ.ଆଇ.ଭି ସମ୍ବନ୍ଧୀୟ ସଚେତନତା ର ଛୋଟ ଛୋଟ ଭିଡ଼ିଓ ପୋଷ୍ଟ କରି ସଚେତନତାକୁ ବ୍ୟାପକ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ l

ଆଜି ଏହି ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରି ସେ ଆହୁରି ମଧ୍ୟ କହିଥିଲେ ଯେ ଏହାର ପ୍ରଚାର ପ୍ରସାର ପାଇଁ ଜିଲାସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ, ଗ୍ରାମାଂଚଳରୁ ସହରାଂଚଳ ପର୍ଯ୍ୟନ୍ତ ସଚେତନତା ଶିବିର ଏବଂ ଲୋକନୃତ୍ୟ ଆଦି କାର୍ଯ୍ୟକ୍ରମ ହେଉଛି । ଏ କ୍ଷେତ୍ରରେ ସର୍ବାଧିକ ପ୍ରବଣ ଭାବେ ପରିଗଣିତ ହେଉଥିବା ଯୁବବର୍ଗଙ୍କୁ ଶିକ୍ଷାନୁଷ୍ଠାନମାନଙ୍କରେ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ନେଇ ନାଟକ, ଦୌଡକୁଦ,କୁଇଜ, ଆଦି ପ୍ରତିଯୋଗୀତା ମାଧ୍ୟମରେ ସଚେତନ କରାଯାଉଛି । ଏହା ବ୍ୟତୀତ ଅଭିଯାନ ଅନ୍ତର୍ଗତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି- ଓସାକ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେଉଛି । 

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଉରକେଲା ବିଧାୟକ ଶ୍ରୀ ଶାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଶ୍ରୀ ଦୁର୍ଗାଚରଣ ତନ୍ତି, ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ,ଆର.ଏମ.ସି କମିଶନର ଆଶୁତୋଷ କୁଲକର୍ଣ୍ଣି, ପାନପୋଷ ସରକାରୀ ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ଏବଂ ଅନ୍ୟ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ ଅଧ୍ୟକ୍ଷତା କରି ଆଜି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଓସାକ୍ସ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।

ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ପ୍ରଭାତରୁ ସ୍ଥାନୀୟ ଆରଜିଏଚ ରାଉରକେଲାରୁ ରେଡ ରିବନ କ୍ଲବର ଛାତ୍ରଛାତ୍ରୀମାନେ ସଚେତନତା ଶୋଭାଯାତ୍ରା କରି ଆସି ସରକାରୀ ସ୍ୱୟଂଶାସିତ କଲେଜ, ପାନପୋଷରେ ପହଂଚିଥିଲେ । ଶେଷରେ ସିଡିଏମ ଓ ପିଏଚଓ ଡାକ୍ତର ପ୍ରଶାନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଓସାକ୍ସ ର ଯୁଗ୍ମ ନିର୍ଦେଶକ ଡାକ୍ତର ଡ଼ି ଏସ ଅରବିନ୍ଦ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ ପ୍ରଦାନ କରିଥିଲେ l