ଖୁଣ୍ଟାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳିତ

ଖୁଣ୍ଟା, ୨୧/୮ : ଏସସିଏସଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆସିଥିବା ରାୟକୁ ପ୍ରତିବାଦ କରି ଦିଆ ଯାଇଥିବା ୧୨ଘଣ୍ଟିଆ ଭାରତ ବନ୍ଦ ଡାକରାକୁ ନେଇ ଗୋପବନ୍ଧୁ ନଗର ବ୍ଲକର ଖୁଣ୍ଟାଠାରେ ଖେରୱାଳ ଜାର୍ପା ସମିତି ଖୁଣ୍ଟା ପକ୍ଷରୁ ଶାନ୍ତି ପୂର୍ଣ୍ଣଭାବେ ବନ୍ଦ ପାଳିତ ହୋଇଯାଇଛି । ଏହି ଅବସରରେ ଖେରୱାଲ ଜାର୍ପାସମତିର ସଦସ୍ୟ ତଥା ପୂର୍ବତନ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରି ଅମର ସିଂ ସରେନଙ୍କ ନେତୃତ୍ବରେ ରବିନ୍ଦ୍ର ନାଥ ହେମ୍ବ୍ରମ , ପ୍ରଫୁଲ୍ଲ ମାଝୀ , ଗୋବିନ୍ଦ ମୁର୍ମୁ ରାମଚ଼ନ୍ଦ୍ର ହେମ୍ବ୍ରମ, ଦାମଦୋର ମୁର୍ମୁଙ୍କ ସମେତ ଅନ୍ୟ ସଦସ୍ୟମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ସୁପ୍ରିମକୋର୍ଟଙ୍କ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗଙ୍କ ଜାତି ଭିତରେ ବର୍ଗିକରଣ ରାୟକୁ ବିରୋଧ କରି ବିଭିନ୍ନ ଶ୍ଲୋଗାନମାନ ଦେଇ ଖୁଣ୍ଟା ବଜାର ପରିକ୍ରମା କରିଥିଲେ ।
ଏହି ଅବସରରେ ଆନ୍ଦୋଳନକାରୀମାନେ ପିକେଟିଂ କରି ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ, ତହସିଲ, ବ୍ୟାଙ୍କ ସମେତ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରାଇଥିଲେ । ତେବେ ଆନ୍ଦୋଳନକାରୀଙ୍କ ଅଭିଯୋଗ ଏହି ରାୟ ପରୋକ୍ଷରେ ସମସ୍ତ ଏସସିଏସଟିମାନଙ୍କୁ ଦୁର୍ବଳ କରିବା ସହ ତାଙ୍କ ମଧ୍ୟରେ ଥିବା ଏକତା ଓ ଅଖଣ୍ଡତାକୁ ସମାପ୍ତ କରିବାର ଏକ ଷଡ଼ଯନ୍ତ୍ର I ଏହି ରାୟ ଦ୍ୱାରା ସଂରକ୍ଷଣକୁ ଗୋଟିଏ ପୀଢି ମଧ୍ୟରେ ସିମିତ ରଖିବା ଏବଂ ସଂରକ୍ଷଣ ବ୍ୟବସ୍ଥାକୁ ପରୋକ୍ଷରେ ସମାପ୍ତ କରିବାର ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ଆଣିଥିଲେ ।
ଯାହାକୁ ଖେରୱାଲ ଜାର୍ପା ସମିତି ଦୃଢ଼ ନିନ୍ଦା କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରୁଛି । ଏହି ବନ୍ଦର ପ୍ରଭାବରେ ଯାତ୍ରୀ ବାହି ବସ୍ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ଥିବା ଦେଖିବାକୁ ମିଳିଥିଲା । ତେବେ ଖୁଣ୍ଟା ବଜରକୁ ବାଦ ଦେଲେ ଅନ୍ୟ କୌଣସି ସ୍ଥାନ ବାସିପିଠା, ଡ଼ୁକୁରା, ପୁରୁଣାପାଣି ଆଦି ଛକମାନଙ୍କରେ ଏହି ବନ୍ଦର ପ୍ରଭାବ ପଡ଼ିନଥିଲା ।