‘ବିକଶିତ ଓଡ଼ିଶା’ ପାଇଁ କଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ୍ : ଧର୍ମେନ୍ଦ୍ର ପ୍ରଧାନ

‘ବିକଶିତ ଓଡ଼ିଶା’ ପାଇଁ କଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ୍ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର,୨୦/୨ : ଭୁବନେଶ୍ବର,୨୦/୨ : ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ ହୋଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତବର୍ଷ ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରାଯାଇଛି। ଏହି ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡ଼ିଆ ମାଧ୍ୟମରେ ପୋଷ୍ଟ କରିଛନ୍ତି କି, ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ପ୍ରାୟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି । ଏହି ବଜେଟ୍ ଓଡ଼ିଶାର ଶିକ୍ଷା, ଦକ୍ଷତା, ଶିଳ୍ପ, କୃଷି ଓ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସହ ସବୁ ବର୍ଗର ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ । 

ଆଜିର ଲୋକକଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ୍ ଡବଲ ଇଞ୍ଜିନ ସରକାରର ବିକାଶମୂଳକ ଦୂରଦୃଷ୍ଟିର ପ୍ରତିଫଳନ । ଆଜିର ବଜେଟରୁ ରାଜ୍ୟର ଗରିବ, ଚାଷୀ, ମହିଳା, ଯୁବ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ବଞ୍ଚିତ ବର୍ଗର ଲୋକମାନେ ବିଶେଷ ଭାବେ ଉପକୃତ ହେବେ । ସାମାଜିକ ସୁରକ୍ଷା ସୁନିଶ୍ଚିତ ହେବ । ଗାଁରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରର ବିକାଶ ହେବ । ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟସେବା, ଖାଦ୍ୟ ସୁରକ୍ଷା, କ୍ରୀଡ଼ା, ସାମାଜିକ ଓ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶାର ଭବିଷ୍ୟତକୁ ସୁଦୃଢ଼ କରିବ ।

ଚଳିତ ବଜେଟରେ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡା ଜିଲ୍ଲାରେ ନୂତନ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା, ପାରାଦୀପ ଓ ବଲାଙ୍ଗୀରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିୟରିଂ କଲେଜ୍, ଚିପିଲିମାରେ ପଶୁଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ ଏବଂ ସମ୍ବଲପୁର ଓ ବ୍ରହ୍ମପୁରରେ ୨୭୮ କୋଟି ଟଙ୍କା ବିନିଯୋଗରେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ର ଦୁଇଟି ନୂତନ କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଥିବାରୁ ଧନ୍ୟବାଦ । ଏସସିବି, ଭିମସାର ଓ ଏମକେସିଜି ମେଡିକାଲର ପୁନର୍ବିକାଶ ସହ ନୟାଗଡ଼ ଓ ଖୋର୍ଦ୍ଧା ଠାରେ ଫାର୍ମା ଓ ମେଡଟେକ୍ ପାର୍କ ସହ ଓଡ଼ିଶା ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରାଯିବ । ଭିସୁଟ, ବୁର୍ଲା ଏବଂ ଓୟୁଟିଆରକୁ ବିଶ୍ୱସ୍ତରୀୟ ବୈଷୟିକ ବିଦ୍ୟାଳୟରେ ରୂପାନ୍ତରିତ କରାଯିବା ସହ ଓଡ଼ିଶା ରାଜ୍ୟ ଇନୋଭେସନ ମିଶନ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । 

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ମଡେଲରେ ବରଗଡ଼-ଝାରସୁଗୁଡ଼ା-ସମ୍ବଲପୁର, ବ୍ରହ୍ମପୁର-ଛାତ୍ରପୁର-ଗୋପାଳପୁର ଏବଂ ଜୟପୁର-କୋରାପୁଟ-ସୁନାବେଡାକୁ ସ୍ୱତନ୍ତ୍ର ଅର୍ଥନୈତିକ କ୍ଲଷ୍ଟର ଭାବେ ବିକଶିତ କରାଯିବ । ବୁର୍ଲା ରିଙ୍ଗ୍ ରୋଡ୍ ନିର୍ମାଣ ସହ ଜମାଦରପାଲିରେ ଏୟାରଷ୍ଟ୍ରିପକୁ ବିମାନବନ୍ଦରରେ ବିକଶିତ କରାଯିବା ସମ୍ବଲପୁରର ଗମନାଗମନ ଓ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବ । ୧୦୦୦ କୋଟି ବ୍ୟୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରି ପ୍ରତିଷ୍ଠା, ପୁରୀକୁ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର ଓ ହୀରାକୁଦ ସମନ୍ୱିତ ପର୍ଯ୍ୟଟନର ବିକାଶ, ୮୦ କୋଟି ଟଙ୍କା ବ୍ୟୟରେ ମହାନଦୀ ତଟବର୍ତ୍ତୀ ଅଞ୍ଚଳର ବିକାଶ, ‘ଓଡ଼ିଶା ହୋମ ଷ୍ଟେ ଏଷ୍ଟାବ୍ଲିସମେଣ୍ଟ ଯୋଜନା’ ଓ ନୂତନ ପର୍ଯ୍ୟଟନ ଲ୍ୟାଣ୍ଡ୍ ବ୍ୟାଙ୍କ ଯୋଜନା ଏହି କ୍ଷେତ୍ରକୁ ନୂଆ ଗତି ପ୍ରଦାନ କରିବ । 

 ‘ଉଦ୍ୟମୀ ଯୋଜନା’, ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’, ଦୁର୍ଦ୍ଦଶାଜନିତ ସ୍ଥାନାନ୍ତରଣ ସମସ୍ୟାର ସମାଧାନ ପାଇଁ ‘ଡାଲଖାଇ ଯୋଜନା’ ଏବଂ ଖଣି ପ୍ରଭାବିତ ଅଞ୍ଚଳ ପାଇଁ ‘ସିଏମ ସମ୍ପଦ ଯୋଜନା’, କେନ୍ଦୁପତ୍ର ତୋଳାଳିଙ୍କ ସୁବିଧା ପାଇଁ ପ୍ରୋତ୍ସାହନ ଭଳି ଲୋକକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରଚଳନ କରାଯାଇଥିବା ବେଳେ ରାଜ୍ୟ ଏଆଇ ମିଶନ ଭଳି ଯୋଜନା ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତର ୨୦୪୭ର ଲକ୍ଷ୍ୟକୁ ସାକାର କରିବ ।