ତହସିଲ ପକ୍ଷରୁ ମାଙ୍କଡ଼ିଆମାନଙ୍କୁ ପଟ୍ଟା ବଣ୍ଟନ

ଖୁଣ୍ଟା,୧୭/୮ : ଖୁଣ୍ଟା ତହସିଲ ତଥା ଶିମିଳିପାଳ ପାଦଦେଶରେ ଥିବା ଡେଙ୍ଗାମ ପଞ୍ଚାୟତ ଅଧିନସ୍ଥରେ ଥିବା ମାଙ୍କଡ଼ିଆ ସଂପ୍ରଦାୟର ଲୋକମାନଙ୍କୁ ସରକାରଙ୍କ ଜଙ୍ଗଲ ଜମି ଯୋଜନା ମାଧ୍ୟମରେ ପଟ୍ଟା ବଣ୍ଟନ କରାଯାଇଛି । ଅନୁଷ୍ଠିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଅତିଥି ଭାବେ ସରପଞ୍ଚ ନବକିଶୋର ମୁର୍ମୁ, ଖୁଣ୍ଟା ତହସିଲଦାର ସାଧବୀ ଦେହୁରିଆ, ରାଜସ୍ଵ ନିରୀକ୍ଷକ କପିଳେଶ୍ୱର ଗୋଛାୟତ ପ୍ରମୁଖ ଯୋଗଦେଇ ଆର୍ଥୀକ ଅନଗ୍ରସର ଥିବା ମାଙ୍କଡ଼ିଆ ସଂପ୍ରଦାୟର ବିକାଶ ପାଇଁ ସରକାରଙ୍କ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସୁଚାଇ ଥିଲେ ।
ସେମାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା, ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ଏବଂ ଜୀବନ ଜୀବିକା ନିର୍ବାହ ସଂପର୍କରେ ସଚେତନ କରାଇଥିଲେ । ଏହି ଅବସରରେ ତହସିଲ ପକ୍ଷରୁ ଚୟନ ହୋଇଥିବା ୪୦ଜଣ ହିତାଧିକାରୀଙ୍କୁ ଅତିଥିଗଣ ଜଙ୍ଗଲ ଜମି ଯୋଜନା ମାଧ୍ୟମରେ ପଟ୍ଟା ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସଂଯୋଜକ ପ୍ରହଲ୍ଲାଦ ବେହେରା, ଦୁଷ୍ମନ୍ତ ବେହେରା, ସସ୍ମିତା ମୁର୍ମୁଙ୍କ ସମେତ ଡେଙ୍ଗାମ ଗ୍ରାମର ଗ୍ରାମବାସୀ ଯୋଗ ଦେଇଥିଲେ ।