"ସିପିସି' ଛତିଶଗଡ଼-ପଶ୍ଚିମ ଓଡ଼ିଶା ସାଂସ୍କୃତିକ ସଂସ୍ଥାନର ସମ୍ବଲପୁର ଚେପ୍ଟର୍ ପକ୍ଷରୁ ପଞ୍ଜିକରଣ ବାବଦରେ ଆଲୋଚନା ଚକ୍ର

ସମ୍ବଲପୁର ପ୍ରତିନିଧି(ଅଭ୍ୟର୍ଥନା ରଣା), ୨୪/୭ : ନିକଟ ଅତୀତରେ ଗଠିତ ହୋଇଥିବା 'ସିପିସି' ଛତିଶଗଡ଼-ପଶ୍ଚିମ ଓଡ଼ିଶା ସାଂସ୍କୃତିକ ସଂସ୍ଥାନର ସମ୍ବଲପୁର ଚେପ୍ଟର୍ ପକ୍ଷରୁ ଅଏଁଠାପାଲିସ୍ଥିତ ଏହାର ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ଏକ ବୈଠକରେ ଏହାର ପଂଜିକରଣ ବାବଦରେ ବିଶଦ ଆଲୋଚନା ହୋଇଯାଇଛି । ଗାୟତ୍ରୀ ଗ୍ରୁପ୍ ଅଫ୍ ଏଜୁକେସନାଲ୍ ଇଷ୍ଟିଚ୍ୟୁଟ୍ର ମୂଖ୍ୟ ଶିକ୍ଷାବିତ୍ ଶିବ ନାରାୟଣ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ହିଣ୍ଡାଲ୍କୋ କଂପାନୀର ପ୍ରାକ୍ତନ ଯୁଗ୍ମ ସଭାପତି ଇଂ. ସୁଶାନ୍ତ ଗୁରୁ, ପୂର୍ବତନ୍ ଶିକ୍ଷା-ନିରୀକ୍ଷକ ଶିକ୍ଷାବିତ୍ ଭକ୍ତପ୍ରସାଦ ନନ୍ଦ, ଭାରତୀୟ ଖାଦ୍ୟ ନିଗମର ଭୂତପୂର୍ବ ପ୍ରବନ୍ଧକ ଜିତେନ୍ଦ୍ରୀୟ ସେଠ୍, ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର, ଓଡ଼ିଶା ବିତ୍ତୀୟ ବିଭାଗୀୟ ପୂର୍ବତନ ଅଧିକାରୀ ପାର୍ବତୀ ସେଠ୍, ତନ୍ତ୍ରବିତ୍ ସଦାନନ୍ଦ ପଣ୍ଡା ଓ ସଂସ୍କୃତି ଗବେଷକ ଡ. ସପନ ମିଶ୍ର ପ୍ରମୂଖ ଯୋଗ ଦେଇ ସଂସ୍ଥାନର ବିଭିନ୍ନ ଦିଗ ବାବଦରେ ସବିଶେଷ ଆଲୋଚନା ପୂର୍ବକ ଏହାର ପଂଜିକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଦିଗରେ ଅନେକ ନୀତିଗତ ନିଷ୍ପତ୍ତି ନେଇଥିଲେ।
ପ୍ରକାଶଯୋଗ୍ୟ ଯେ, ପୂର୍ବରୁ ମଇ ମାସରେ ପଶ୍ଚିମ ଓଡ଼ିଶାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ଛତିଶଗଡ଼ର ରାୟପୁର ଯାଇ ସେଠାରେ ମହା ମହିମ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ସାକ୍ଷାତ କରି ଉଭୟ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସୁସମ୍ପର୍କକୁ ଆହୁରି ସୂଦୃଢ଼ କରିବାକୁ ଅନେକ ପ୍ରସ୍ତାବ ଦେଇଥିଲେ । ସେହି ସମୟରେ ରାୟପୁରସ୍ଥିତ ବୃନ୍ଦାବନ ହଲ୍ଠାରେ ଉଭୟ ପକ୍ଷର ଏକ ବୁଦ୍ଧିଜୀବି, ଶିକ୍ଷାବିତ, ସାହିତ୍ୟିକ, ସାଂସ୍କୃତିକ ନେତୃସ୍ତରୀୟ ମିଳନ ସମାରୋହ ମଧ୍ୟ ଅନୁଷ୍ଠିତ। ହୋଇଥିଲା । ସେଠାରେ ଉଭୟ ପକ୍ଷର ସହମତି କ୍ରମେ ଦୁଇ ପକ୍ଷର ତିନି ଜଣ ଲେଖାଏଁ ନିର୍ବାଚିତ ସଦସ୍ୟଙ୍କୁ ନେଇ ପ୍ରସ୍ତାବିତ 'ସିପିସି' ଛତିଶଗଡ଼-ପଶ୍ଚିମ ଓଡ଼ିଶା ସାଂସ୍କୃତିକ ସଂସ୍ଥାନର ନିୟମାବଳୀ, ଲକ୍ଷ୍ୟ-ଆଭିମୁଖ୍ୟ, ସମ୍ବିଧାନ ଓ କାର୍ଯ୍ୟାବଳୀର ନିର୍ଦ୍ଧାରଣ ପୂର୍ବକ ଏହାର ପଂଜିକରଣ ପାଇଁ ଆବଶ୍ୟକୀୟ ସମସ୍ତ କାର୍ଯ୍ୟ ସଂପାଦନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ଉଭୟ ସମ୍ବଲପୁର ଓ ରାୟପୁରଠାରେ ଏହାର କାର୍ଯ୍ୟାଳୟ ସହ ଉଭୟ ଅଂଚଳର ମିଳିତ ସହଯୋଗ ପାଇଁ ଏହା ପରିଚାଳିତ ହେବ ବୋଲି ସର୍ବମତରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଦୁଇ ମାସ ମଧ୍ୟରେ ଏହି ସମସ୍ତ ଦିଗରେ ବିଭିନ୍ନ ବିଶେଷ ବ୍ୟକ୍ତିଙ୍କ ପରାମର୍ଶ ଗ୍ରହଣ କରି ଏହାର 'ବାଏ-ଲ' ପ୍ରସ୍ତୁତ କରାଯାଇ ରେଜିଷ୍ଟ୍ରେସନ୍ ପାଇଁ ଚୁଡ଼ାନ୍ତ ପ୍ରକ୍ରିୟାକରଣ କରାଯାଇଛି । ଉଭୟ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଅଂଚଳର ବହୁବିଧ ସାଂସ୍କୃତିକ, ସାମାଜିକ ଓ ଅନ୍ୟାନ୍ୟ ଜନ ହିତକର କାମ ପାଇଁ ଏହି ସଂସ୍ଥାନ କାର୍ଯ୍ୟ କରିବ।