‘ଅପରେସନ ସାଇବର କବଚ’ ; ରାଜ୍ୟରେ ମୋଟ ୯୨୪ଟି ବେନାମୀ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ
ଭୁବନେଶ୍ବର,୧୮/୨ : ସାଇବର ଅପରାଧ ନେଟୱର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ‘ଅପରେସନ ସାଇବର କବଚ’ ଜୋରଦାର ଭାବେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଏହି ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି । ସେହି ଅନୁଯାୟୀ, ସାଇବର ଠକେଇରେ ବ୍ୟବହୃତ ‘ବେନାମୀ ବ୍ୟାଙ୍କ ଆକାଉଣ୍ଟ’ (ମ୍ୟୁଲ୍ ଆକାଉଣ୍ଟ) ଏବଂ ସେଥିରେ ସମ୍ପୃକ୍ତ ସହାୟକମାନଙ୍କୁ ଚିହ୍ନଟ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଏ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ମୋଟ ୯୨୪ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି। ଏହା ସହ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ୬୮ଟି ସାଇବର ମାମଲା, ଚେକ୍ ମାଧ୍ୟମରେ ଟଙ୍କା ଉଠାଣ ସମ୍ପର୍କିତ ୧ଟି ମାମଲା ଏବଂ ନକଲି ସିମ୍ ଇସ୍ୟୁ କରୁଥିବା ପଏଣ୍ଟ ଅଫ୍ ସେଲ୍ (PoS) ସମ୍ପର୍କିତ ୧ଟି ମାମଲା ରୁଜୁ କରାଯାଇଛି। ଏହି ସମସ୍ତ ମାମଲାରେ ୬୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସହ ୯ଟି ପୁରୁଣା ଏଫ୍.ଆଇ.ଆର୍ ସହ ସଂପୃକ୍ତ ୨୧୮ଜଣ ସନ୍ଦିଗ୍ଧ ସହାୟକ ଓ ଆକାଉଣ୍ଟଧାରୀଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି । ଏହି ଅଭିଯାନରେ କଟକ (UPD) ଜିଲ୍ଲା ପୋଲିସ ୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସହ ପୁରୁଣା ମାମଲାରେ ୪ଜଣଙ୍କୁ ନୋଟିସ୍ ଜାରି କରିଛି।
ସେହିପରି କନ୍ଧମାଳ ଜିଲ୍ଲା ପୋଲିସ ୩୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧୨ଟି ସାଇବର ମାମଲା ରୁଜୁ କରିଛି। ବାଲେଶ୍ୱର ଜିଲ୍ଲା ପୋଲିସ ୩ଟି ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ରାୟଗଡ଼ା ଜିଲ୍ଲା ପୋଲିସ ୪ଟି ଆକାଉଣ୍ଟ ଯାଞ୍ଚ କରି ୩ଟି ମାମଲା ରୁଜୁ କରି ପୁରୁଣା ମାମଲାରେ ୩ଜଣଙ୍କୁ ନୋଟିସ୍ ଜାରି କରିଛି। ଏହା ସହିତ ଅନୁଗୁଳ ଜିଲ୍ଲା ପୋଲିସ ୩ଟି, ଗଞ୍ଜାମ ଜିଲ୍ଲା ପୋଲିସ ୧ଟି, କଳାହାଣ୍ଡି ଜିଲ୍ଲା ପୋଲିସ ୧୦ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି।
ବ୍ରହ୍ମପୁର ଜିଲ୍ଲା ପୋଲିସ ୫ଟି ଆକାଉଣ୍ଟ ଯାଞ୍ଚ କରି ସମ୍ପୃକ୍ତ ପୁରୁଣା ମାମଲାରେ ୫ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି, ବୌଦ୍ଧ ଜିଲ୍ଲା ପୋଲିସ ୪ଟି ଆକାଉଣ୍ଟ ଯାଞ୍ଚ କରି ସମ୍ପୃକ୍ତ ପୁରୁଣା ମାମଲାରେ ୪ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ସେହିପରି ମୟୂରଭଞ୍ଜ ଜିଲ୍ଲା ପୋଲିସ ୧୯ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ସମ୍ପୃକ୍ତ ପୁରୁଣା ମାମଲାରେ ୧୯ ଜଣ ବ୍ୟକ୍ତିଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ସେହିପରି କେନ୍ଦୁଝର ଜିଲ୍ଲା ପୋଲିସ ୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୦୨ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି । ମାଲକାନଗିରି ଜିଲ୍ଲା ପୋଲିସ ୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୦୪ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ସେହିପରି ନୟାଗଡ଼ ଜିଲ୍ଲା ପୋଲିସ ୩୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୩୫ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି ଏବଂ କଟକ ଜିଲ୍ଲା ପୋଲିସ ୧୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୦୪ ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାରେ ଚେକ୍ ମାଧ୍ୟମରେ ଟଙ୍କା ଉଠାଣ ସମ୍ପର୍କିତ ଏକ ମାମଲାରେ ୧୬ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା ପୋଲିସ ପକ୍ଷରୁ ୧ଟି ପଏଣ୍ଟ ଅଫ୍ ସେଲ୍ (POS) ଯାଞ୍ଚ ପରେ ୧ଟି ମାମଲା ରୁଜୁ କରାଯାଇ ୧ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନ ସମ୍ପୃକ୍ତ ଜିଲ୍ଲାର ଏସ୍.ପି. ଓ ଡି.ସି.ପି.ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର ଟିମ୍ମାନଙ୍କ ସକ୍ରିୟ ସହଯୋଗରେ ସଫଳତାର ସହିତ ପରିଚାଳିତ ହୋଇଛି। ସାଇବର ଅପରାଧୀଙ୍କ ଆର୍ଥିକ ଢାଞ୍ଚାକୁ ସମୂଳେ ଧ୍ୱଂସ କରିବା ହେଉଛି ‘ଅପରେସନ ସାଇବର କବଚ’ର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟର ଜନସାଧାରଣଙ୍କ ଡିଜିଟାଲ ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ସଦା ସର୍ବଦା ଦୃଢ଼ ସଂକଳ୍ପବଦ୍ଧ।

Editor 


