ପଞ୍ଚଭୂତରେ ଲୀନ ହେଲେ ଉତ୍ତମ ମହାନ୍ତି

ଭୁବନେଶ୍ବର,୨୮/୨ : ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଉତ୍ତମ ମହାନ୍ତି । ଶୋକାକୁଳ ପରିବେଶରେ ଭୁବନେଶ୍ବରର ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କରାଯାଇଛି। ପୁଅ ବାବୁସାନ ମହାନ୍ତି ମୁଖାଗ୍ନି ଦେଇଥିଲେ । ଏହି ଶୋକାକୁଳ ପରିବେଶରେ ଉତ୍ତମ ମହାନ୍ତିଙ୍କ ସଂପର୍କୀୟ, ପ୍ରଶଂସକ, ଶୁଭେଚ୍ଛୁ ଆଦି ଉପସ୍ଥିତ ଥିଲେ । ଅନ୍ତିମ ସଂସ୍କାର ପୂର୍ବରୁ ପାର୍ଥିବ ଶରୀରକୁ ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା । ଉତ୍ତମଙ୍କ ବିୟୋଗରେ ଓଲିଉଡ୍ ତଥା ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।
ଗତ ୬ ତାରିଖ ଦିନ ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଥିଲା। ଏହା ପରେ ତାଙ୍କୁ ଭୁବନେଶ୍ବରର କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ୮ ତାରିଖରେ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଥିଲା। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ତାଙ୍କର ଲିଭର ସିରୋସିସ୍ ସହ ନିମୋନିଆର ଚିକିତ୍ସା ଚାଲିଥିଲା।
ଦୀର୍ଘ ୨୨ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ସେ ଗତକାଲି ରାତିରେ ଚିରବିଦାୟ ନେଇଗଲେ। ଆଜି ପୂର୍ବାହ୍ଣରେ ତାଙ୍କର ମରଶରୀର ଦିଲ୍ଲୀରୁ ବାହାରୁ ଦିନ ପ୍ରାୟ ୧୧ଟାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ଥିଲା। ବିମାନବନ୍ଦରରୁ ମରଶରୀରକୁ ତାଙ୍କର ଜଗନ୍ନାଥ ବିହାରସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର କଳାକାରମାନେ, ପରିବାର, ଆତ୍ମୀୟସଜ୍ଜନ, ପ୍ରଶଂସକ ପ୍ରମୁଖ ଅନ୍ତିମ ଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଲୋକପ୍ରିୟ ଚଳଚ୍ଚିତ୍ର ତାରକା ସ୍ଵର୍ଗତ ଉତ୍ତମ ମହାନ୍ତିଙ୍କ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ଅଭିନେତା ଉତ୍ତମ ମହାନ୍ତି ୧୯୭୭ରେ ମୁକ୍ତିଲାଭ କରିଥିବା ଅଭିମାନ ଚଳଚ୍ଚିତ୍ରରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ତା’ପରେ ଆଉ ସେ ପଛକୁ ଫେରିନାହାନ୍ତି । ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଦେଇ ଓଡ଼ିଆ ସିନେ ପ୍ରେମୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ । ୨୦୦ରୁ ଅଧିକ ସିନେମାରେ ନାୟକ, ଚରିତ୍ର ଅଭିନେତା, ଭାଇ, ସ୍ୱାମୀ ଓ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ତାଙ୍କର ଦ୍ୱିତୀୟ ଫିଲ୍ମ ଥିଲା ପତିପତ୍ନୀ । ଏହାପରେ ରାମାୟଣ, ତପସ୍ୟା, ରାମ ବଳରାମ, ଆରତୀ, ଶଂଖମହୂରୀ, ସରପଞ୍ଚ ବାବୁ, ଦଣ୍ଡା ବାଳୁଙ୍ଗା ଭଳି ଚଳଚ୍ଚିତ୍ରରେ ଉତ୍ତମ ଦର୍ଶକଙ୍କ ମନ ଜିତିଥିଲେ । ୮୦ ଦଶକରେ ଉତ୍ତମ ପାଲଟି ଯାଇଥିଲେ ଓଲିଉଡ୍ର ସବୁଠାରୁ ଲୋକପ୍ରିୟ ତଥା ରୋମାଣ୍ଟିକ୍ ହିରୋ ।
ଅଭିଳାଷ, ରାମ ରହିମ, ଜାଇଫୁଲ, ଚକା ଭଉଁରୀ, ମମତା ମାଗେ ମୂଲ, ସମୟ ବଡ଼ ବଳବାନ, ପୂଜାଫୁଲ, ଶଙ୍ଖା ସିନ୍ଦୁର, ସହରୀ ବାଘ, ଜୋର ଯାର ମୂଲକ ତାର, ଭକ୍ତ ସାଲବେଗ, ପକା କମ୍ବଳ ପୋତ ଛତା, କପାଳ ଲିଖନ, ସୂନା ଚଢ଼େଇ, ତୁଣ୍ଡ ବାଇଦ, ଚକା ଆଖି ସବୁ ଦେଖୁଛି, ପରଦେଶୀ ଚଢ଼େଇ, ଦଇଦ ଦଉଡ଼ି, ପଞ୍ଚୁ ପାଣ୍ଡବ, ଦାଦାଗିରି, ପାଚେରୀ ଉଠିଲା ମଝି ଦୁଆରୁ, ଉଦଣ୍ଡୀ ସୀତା ଆଦି ସିନେମା ଉତ୍ତମଙ୍କୁ ଓଲିଉଡର ରୋମାଣ୍ଟିକ ସୁପରଷ୍ଟାରର ମାନ୍ୟତା ଦେଇଥିଲା । ପରବର୍ତ୍ତୀ ସମୟରେ ସେ ଚରିତ୍ର ଅଭିନେତା ଭାବେ ଦର୍ଶକଙ୍କ ହୃଦୟରେ ରାଜ କରିଥିଲେ । ଏ ଯୁଗର କୃଷ୍ଣ ସୁଦାମା, ରୋମିଓ ଦ ଲଭର ବୟ, ପାଗଳ କରିଛି ପାଉଁଜି ତୋର ଫିଲ୍ମ ତାଙ୍କୁ ସଫଳତାର ଆଉ ଏକ ଶୀର୍ଷ ସୋପାନରେ ପହଞ୍ଚାଇଥିଲା । ତେବେ ୨୦୨୨ରେ ରିଲିଜ୍ ହୋଇଥିବା ବିଦ୍ୟାରାଣ ଚଳଚ୍ଚିତ୍ରରେ ଶେଷ ଥର ପାଇଁ ସେ ନିଜ ପୁଅ ତଥା ଓଲିଉଡର ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ସହ ବଡ଼ ପରଦାରେ ଆସିଥିଲେ ।
ଉତ୍ତମ ମହାନ୍ତି କେବଳ ଓଡିଆ ନୁହେଁ ହିନ୍ଦୀ ଫିଲ୍ମରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ହିନ୍ଦି ଫିଲ୍ମ ‘ନୟା ଜହର’ରେ ସେ ଅଭିନୟ କରିଥିଲେ । ୧୯୯୧ ମସିହାରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା । ଯାହାକୁ ନିର୍ଦ୍ଦେଶନା ଦେଇଥିଲେ ଜ୍ୟୋତି ସରୂପ । ଉତ୍ତମଙ୍କ ସହ ମହାଭାରତର ଅର୍ଜୁନ ଭୂମିକାରେ ଆସିଥିବା ଅଭିନେତା ଅର୍ଜୁନ ଓ ଶତାବ୍ଦୀ ରାୟ, ନବୀନ ନିଶ୍ଚଳ ପ୍ରମୁଖ ଅଭିନୟ କରିଥିଲେ । ବରିଷ୍ଠ ଅଭିନେତା ସ୍ୱର୍ଗତ ସାଧୁ ମେହେରଙ୍କ ପରେ ସେ ଏକମାତ୍ର ଓଡ଼ିଆ ଅଭିନେତା ଭାବେ ଏକ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ ।