ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ
ଭୁବନେଶ୍ବର,୧/୪ : ହାଇଟେକ୍ ମେଡ଼ିକାଲ୍ କଲେଜ ପରିସରରେ ଥିବା, ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ଉତ୍କଳ ଦିବସ ମହାସମାରୋହରେ ପାଳନ କରାଯାଇଛି । ବିଦ୍ୟାର୍ଥୀମାନେ ବିଦ୍ୟା ଅର୍ଜନ କରିବା ସହ ଓଡ଼ିଶାର ଗାରିମାମୟ ଅଧ୍ୟାୟ ଏବଂ ପରମ୍ପରା ସଂପର୍କରେ ଜାଣିବା ଦରକାର। ଜାତୀୟତାବୋଧ ଦିବସ ଗୁଡ଼ିକରେ ମହାବିଦ୍ୟାଳୟ ଛୁଟି ରହିଲେ, ଛାତ୍ରଛାତ୍ରୀମାନେ ଏହି ଦିବସର ଗାରିମା ସଂପର୍କରେ ଜାଣିବାରୁ ବଞ୍ଚିତ ହୁଅନ୍ତି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ସାହୁ କହିଛନ୍ତି।
ବିଦ୍ୟାର୍ଥୀମାନେ ଦେଶ, ଜାତି ଓ ରାଷ୍ଟ୍ର ସଂପର୍କରେ ଯଥେଷ୍ଟ ଜ୍ଞାନ ଅର୍ଜନ କରିବା ଆବଶ୍ୟକ ବୋଲି ମହାବିଦ୍ୟାଳୟର ଓଡିଆ ଭାଷା, ସାହିତ୍ୟ ବିଭାଗର ଅଧ୍ୟାପକ ତଥା ଆନ୍ତଃରାଷ୍ଟ୍ରୀୟ ଓଡିଶୀ ନୃତ୍ୟ ଶିଳ୍ପୀ ଡକ୍ଟର ଚିତ୍ତରଞ୍ଜନ ସାହାଣୀ କହିଥିଲେ। ଉତ୍ସବରେ ପଦାର୍ଥ ବିଜ୍ଞାନର ବରିଷ୍ଠ ଅଧ୍ୟାପକ ଡକ୍ଟର ମୁରଲୀଧର ସ୍ବାଇଁ, ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ଶରତ କୁମାର ନାୟକ, ରସାୟନ ବିଭାଗର ମୁଖ୍ୟ ଡ଼କ୍ଟର ଧର୍ମେନ୍ଦ୍ର କୁମାର ଜେନା, ଜୀବ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଭାତ କୁମାର ସାହୁ ଏବଂ ଇଁରାଜୀ ବିଭାଗର ଅଧ୍ୟାପକ ପ୍ରିୟବ୍ରତ ସେଠୀ ବିଦ୍ୟାର୍ଥୀମାନଙ୍କୁ ଓଡିଶାର ଅସ୍ମିତା ସଂପର୍କରେ ବୁଝାଇଥିଲେ। ବିଦ୍ୟାର୍ଥୀମାନଙ୍କ ଦ୍ବାରା ରାଜ୍ୟଗାନ ବନ୍ଦେ ଉତ୍କଳ ଜନନା ଗାନ କରାଯିବା ସହ ଗଣିତ ବିଭାଗର ଅଧ୍ୟାପକ ତଥା ବିଶିଷ୍ଟ ସଂଗୀତଜ୍ଞ ଆଲୋକ କୁମାର ସାହୁ ଏବଂ ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ଶୁଭଦର୍ଶିନୀ ସାହୁଙ୍କ ଦ୍ବାରା ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Editor 


