ନବୀନ ପଟ୍ଟନାୟକ : ଦୁଇ ଦଶନ୍ଧିର ରାଜନୈତିକ ଜୀବନ, ପ୍ୟାରୀ- ପାଣ୍ଡିଆନ

ନବୀନ ପଟ୍ଟନାୟକ : ଦୁଇ ଦଶନ୍ଧିର ରାଜନୈତିକ ଜୀବନ, ପ୍ୟାରୀ- ପାଣ୍ଡିଆନ

ଭୁବନେଶ୍ବର, ୧୧/୬ : ନବୀନଙ୍କ ରେକର୍ଡ଼ ଟ୍ରାକରେ ଲାଗିଲା ବ୍ରେକ୍ । ୨୪ବର୍ଷର ଶାସନର ଘଟିଲା ଅନ୍ତ । ଚଳିତ ସାଧରଣ ନିର୍ବାଚନରେ ବିଜେଡିକୁ ୫, ବିଜେପିକୁ ୭, କଂଗ୍ରେସକୁ ୧୪, ଅନ୍ୟଦଳକୁ ୪ ମିଳିଛି । ଏହାକୁ ନେଇ ଏବେ ବିଜେଡି ଶିବର ନିରାଶ ହୋଇପଡ଼ିଥିବାବେଳେ ବିଜେପି ଶିବରରେ ଉତ୍ସାହ ଦେଖାଦେଇଛି । ଦୀର୍ଘ ଦୁଇ ଦଶନ୍ଧି ପରେ ରାଜ୍ୟ ରାଜନୀତିରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଦେଖାଦେଇଛି ।

ବଦଳିଲା ଭୋଟରଙ୍କ ମନ । ବିଜେଡି ସରକାରକୁ କଲେ ବାଏ ବାଏ । ବିଜେପିକୁ କଲେ ସ୍ବାଗତ । ଯଦି ଓଡ଼ିଶା ରାଜନୀତିକୁ ଆମେ ଲକ୍ଷ କରିବା ତେବେ ଗତ ୨୦୦୦ମସିହାରୁ ନୋ ବ୍ରେକରେ ବିଜୟ ହୋଇ ଆସୁଥିଲେ ନବୀନ ପଟ୍ଟନାୟକ । ମାତ୍ର ଚଳିତ ନିର୍ବାଚନରେ ତାଙ୍କର ବିଜୟ ରଥ ଆଗକୁ ଗଡ଼ି ପାରିନି । ଚଳିତ ଥର ବିଜୟ ହୋଇଥିଲେ ଲଗାତର ଷଷ୍ଠଥର ପାଇଁ ହୋଇଥାନ୍ତେ ମୁଖ୍ୟମନ୍ତ୍ରୀ । ଆଉ ନବୀନ କରିଥାନ୍ତେ ଦେଶରେ ନୂଆ ରେକର୍ଡ଼ । ଯେଉଁଥିରେ ଏବେ ପୂର୍ଣ୍ଣଛେଦ ପଡ଼ିଛି । ଦେଶରେ ଯଦି ସବୁଠାରୁ ଅଧିକ ଦିନର ମୁଖ୍ୟମନ୍ତ୍ରୀଙ୍କ କଥା ଆମେ କହିବା ତେବେ ପ୍ରଥମେ ଆସିବେ ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଂ । ସେ ୧୨ଡିସେମ୍ବର ୧୯୯୪ରୁ ୨୬ମେ ୨୦୧୯ ପର୍ଯ୍ୟନ୍ତ ରହିଥିଲେ । ଯାହାକି ୨୪ବର୍ଷ ୧୬୫ଦିନ ଥିଲେ । ସେହିଭଳି ଦ୍ବିତୀୟରେ ରହିଛନ୍ତି ଓଡ଼ିଶାର ପୂର୍ବତନ ନବୀନ ପଟ୍ଟନାୟକ । ସେ ୫ମାର୍ଚ୍ଚ ୨୦୦୦ରୁ ୫ଜୁନ୍ ୨୦୨୪ପର୍ଯ୍ୟନ୍ତ ରହିଥିଲେ । ଯେଉଁ ରେକର୍ଡ଼ରେ ଏବେ ବ୍ରେକ ଲାଗିଛି ।

ନବୀନ ପଟ୍ଟନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର । ବିଜୁ ବାବୁଙ୍କ ଦେହାନ୍ତ ପରେ ନବୀନ ଓଡ଼ିଶା ରାଜନୀତିରେ ତାଙ୍କର ଭାଗ୍ୟ ପରୀକ୍ଷା କରିଥିଲେ । ୧୯୯୮ମସିହାରେ ପ୍ରଥମ ଥର ସେ ଲୋକସଭାକୁ ଆସ୍କା ଲୋକସଭାରୁ ସାଂସଦ ହୋଇଥିଲେ । ପରେ ୧୯୯୯ରେ ମଧ୍ୟ ସମାନ ଭାବେ ଆସ୍କା ଲୋକସଭାରୁ ସାଂସଦ ହୋଇ କେନ୍ଦ୍ର ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ପରେ ୧୯୯୭ ମସିହା ଡିସେମ୍ବର ୨୬ତାରିଖରେ ରାଜ୍ୟରେ ଜନ୍ମ ନେଇଥିଲା ‘ବିଜେଡି’ନାମକ ଏକ ଆଞ୍ଚଳିକ ଦଳ । ଯାହାର ମୁଖିଆ ହୋଇଥିଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାସ୍ ଏଇଠୁ ଆରମ୍ଭ ହୋଇଥିଲା ତାଙ୍କ ବିଜୟ ଯାତ୍ରା । କ୍ରମାଗତ ଭାବେ ୨୦୦୦, ୨୦୦୪, ୨୦୦୯, ୨୦୧୪, ୨୦୧୯, ୨୦୨୪ନିର୍ବାଚନରେ ଜିତି ଆସିଛି ବିଜେଡି । ପ୍ରଥମେ ୨୦୦୦ ଏବଂ ୨୦୦୪ରେ ବିଜେପି ସହ ମେଣ୍ଟ କରି ବିଜେଡି ରାଜ୍ୟରେ ସରକାର ଚଳାଇବାରେ ସକ୍ଷମ ହୋଇଥିଲା । ମାତ୍ର ୨୦୦୯ରେ ନବୀନ ବିଜେପି ସହ ସମ୍ପର୍କ ତୁଟାଇ ଦେଇଥିଲେ । ଆଉ ରାଜ୍ୟରେ ନିଜ ବଳରେ ନିର୍ବାଚନ ଲଢିଥିଲେ । ସବୁ ନିର୍ବାଚନରେ ବହୁମତ ସହ ସରକାର ଗଢିବାରେ ସକ୍ଷମ ହୋଇଥିଲା ବିଜେଡି । ମାତ୍ର ଚଳିତ ନିର୍ବାଚନରେ ନବୀନଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି । ନବୀନ ଶାନ୍ତ ସରଳ ସ୍ବଭାବର ହୋଇଥିବାରୁ ସେ ସହଜରେ ଲୋକଙ୍କ ବିଶ୍ବାସ ଭାଜନ ହୋଇପାରିଥାନ୍ତି । ଯାହାକୁ ନେଇ ସାରା ଦେଶରେ ଏକ ପ୍ରକାର କ୍ରେଜ ରହିଛି ତାଙ୍କର । ନିରନ୍ତର, ନିରବଛିନ୍ନ ଭାବେ ୨୪ବର୍ଷ ଧରି ଶାସନ ଭାର ନିଜ ପାଖରେ ରଖିବାରେ ସଫଳ ହୋଇଥିଲେ ।

ଯଦି ନୀବନଙ୍କ ରାଜନୈତିକ କ୍ୟାରିୟର କଥା ଆମେ ନଜର ପକାଇବା ତେବେ ତାଙ୍କ ରାଜନୈତିକ ଜୀବନରେ ଦୁଇଟି ନାଁ ବେଶ ଚର୍ଚ୍ଚାରେ ରହିଛି । ଗୋଟିଏ ହେଲା ପ୍ୟାରୀ ମୋହନ ମହାପାତ୍ର ଏବଂ ଅନ୍ୟଟି ଭି.କେ. ପାଣ୍ଡିଆନ । ପ୍ୟାରୀ ମୋହନଙ୍କ କଥା ଯଦି ଆମେ ନଜର ପକାଇବା ତେବେ ପ୍ୟାରୀ ଥିଲେ ବିଜେଡିର ଏକଦା ପାଓ୍ବାରଫୁଲ୍ । ଯାହାଙ୍କୁ ନେଇ ସେତେବେଳେ ବେଶ ଆଲୋଚନା ବି ହୁଏ । ୧୯୯୦ରୁ ୯୫ମସିହାରେ ଯେତେବେଳେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ସେହି ସମୟରେ ପ୍ୟାରୀ ମୋହନ ମହାପାତ୍ର ତାଙ୍କର ପ୍ରମୁଖ ସଚିବ ରୂପରେ କାମ କରୁଥିଲେ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ୟାରୀ ବାବୁ ବିଜେଡିରେ ସବୁ କିଛି ଦେଖୁଥିଲେ ।

ପ୍ୟାରୀମୋହନ ମହାପାତ୍ର କଲେଜ ଜୀବନରୁ ଏଆଇଏସଏଫ ଭଳି ଛାତ୍ର ସଂଗଠନରେ ଜଣେ ଆଗଧାଡ଼ିର କର୍ମୀ ଭାବେ କାର୍ଯ୍ୟ କରି କମ୍ୟୁନିଷ୍ଟ ଭାବେ ପରିଚିତ ହୋଇଥିଲେ । ଆଇଏଏସ ପଦରୁ ଅବସର ନେଇ ୨୦୦୦ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ୨୦୧୦ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ବିଭିନ୍ନ ସମୟରେ ବିଜେଡିକୁ ନିର୍ବାଚନ ରାଜନୀତିରେ ସଫଳତାର ସ୍ୱାଦ ଚଖାଇବାରେ ପ୍ୟାରୀମୋହନଙ୍କ ଉଲ୍ଲେଖନୀୟ ଅବାଦାନ ଥିଲା । ବିଜେପିର କେନ୍ଦ୍ରୀୟ ଲୋକପ୍ରିୟତାକୁ ନେଇ ବିଜେଡି ସହିତ ମେଣ୍ଟ କରିବା ଏବଂ ଦୀର୍ଘ ୧୧ ବର୍ଷ କାଳ ମେଣ୍ଟ ରାଜନୀତିରେ ରହି ନବୀନଙ୍କ ତଥା ବିଜେଡିକୁ ଲୋକାଭିମୁଖୀ କରିବାରେ ପ୍ୟାରୀ ଥିଲେ ଗୋଟି ଚାଳକ । ଏମିତି କି ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ମେଣ୍ଟ ଭାଙ୍ଗିବା ତଥା ପୂର୍ବ ପ୍ରସ୍ତୁତ ନିର୍ବାଚନ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ବିଜେଡିକୁ ଫାଈଦା ଦେବାରେ ପ୍ୟାରୀମୋହନଙ୍କ ଉଲ୍ଲେଖନୀୟ ଅବଦାନ ଥିଲା । ଯେଉଁଥିପାଇଁ ୨୦୦୯ ସାଧାରଣ ନିର୍ବାଚନରେ ବିଜେଡି ସମଗ୍ର ରାଜ୍ୟରେ ୧୦୯ ବିଧାନ ସଭା ଆସନରୁ ବିଜୟୀ ହୋଇ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ବିଭିନ୍ନ ସମୟରେ ବାଦ ବିବାଦର ସମ୍ମୁଖୀନ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ପ୍ୟାରୀମୋହନ । ଗେଷ୍ଟ ହାଉସ ସେକ୍ସ କାରବାରଠାରୁ ଆରମ୍ଭ କରି ବହୁ ବାଦ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ସୁଦ୍ଧା ସହଜରେ ମୁକୁଳିଯାଇଥିଲେ ।

ପ୍ୟାରୀମୋହନ ମହାପାତ୍ରଙ୍କ ରାଜନୈତିକ ଜୀବନରେ ୨୦୧୨ ମସିହା ମେ ୨୯ ତାରିଖରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିଥିଲା । ନବୀନ ପଟ୍ଟନାୟକଙ୍କ ଲଣ୍ଡନ ଗସ୍ତ ସମୟରେ କ୍ଷମତା ଅପହରଣ ପାଇଁ ରାତି ଅଧିଆ ଷଡ଼ଯନ୍ତ୍ର କରିଥିବାର ଅଭିଯୋଗ ତାଙ୍କ ବିରୁଦ୍ଧରେ ଆସିଥିଲା । କ୍ଷମତା ଅପହରଣ ଷଡଯନ୍ତ୍ରର ଅପବାଦ ଲାଗିବା ପରେ ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ ୨୦୧୨ ମସିହା ଅଗଷ୍ଟ ୪ ତାରିଖରେ ବିଜେଡ଼ି ଦଳୀୟ ପାର୍ଲ୍ୟାମେଣ୍ଟାରୀ ଗ୍ରୁପ ଲିଡ଼ର ପଦରୁ ଓହରି ଯାଇଥିଲେ ବିଜେଡ଼ିରୁ ବହିଷ୍କୃତ ହେବା ପରେ ଓଡ଼ିଶା ଜନମୋର୍ଚ୍ଚା ନାମରେ ଏକ ରାଜନୈତିକ ଦଳ ଗଠନ କରି ୨୦୧୪ ନିର୍ବାଚନରେ ୬୮ଟି ପ୍ରାର୍ଥୀ ଦେଇଥିଲେ ହି ନୂଆ ଦଳର ସମସ୍ତ ୬୮ ପ୍ରାର୍ଥୀଙ୍କ ପରାଜୟ ହୋଇଥିଲେ । ବିଫଳତା ସହ ଧୀରେ ଧୀରେ ରାଜନୀତି କ୍ଷେତ୍ରରେ ତାଙ୍କ ପ୍ରଭାବ କମିବାକୁ ଲାଗିଲା । ଶାରୀରିକ ଅସୁସ୍ଥତା କାରଣରୁ ତାଙ୍କ ରାଜନୈତିକ ଜୀବନରେ ପୂର୍ଣ୍ଣଛେଦ ପଡ଼ିଥିଲା

ସେହିଭଳି ଆଉ ଜଣେ ହେଲେ ଭି.କେ.ପାଣ୍ଡିଆନ । ପ୍ୟାରୀଙ୍କ ପରେ ନବୀନ ବାବୁଙ୍କ ଏକରକମ ବିଶ୍ବସ୍ତ ହୋଇଥିଲେ । ସେ ୨୦୦୦ମସିହାରେ ଭାରତୀୟ ପ୍ରସାଶନିକ ସେବାରେ ଯୋଗ ଦେଇଥିଲେ ଏବଂ ୨୦୦୨ ମସିହାରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପ-ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୦୫ ମସିହାରେ ସେ ମୟୂରଭଞ୍ଜର ଜିଲ୍ଲାପାଳ ଭାବରେ ଦାୟିତ୍ୱ ନେଇଥିଲେ ଏବଂ ୨୦୦୭ ମସିହାରେ ଗଞ୍ଜାମକୁ ବଦଳି ହୋଇଥିଲେ । ୨୦୧୧ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ ହୋଇଥିଲେ  ୨୦୨୩ ମସିହା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ

୨୦୧୯ ମସିହାରେ ସେ ଓଡ଼ିଶା ସରକାରଙ୍କ ୫ଟି (ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ଦଳଗତ କାର୍ଯ୍ୟକ୍ରମ, ସମୟ ଏବଂ ପରିବର୍ତ୍ତନ) କାର୍ଯ୍ୟକ୍ରମର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ  ୨୦୨୩ ମସିହାରେ ସେ ପ୍ରସାଶନିକ ସେବାରୁ ସ୍ୱଚ୍ଛାକୃତ ଭାବରେ ଅବସର ନେଇଥିଲେ   ୨୭ ନଭେମ୍ବର ୨୦୨୩ରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ଯୋଗ ଦେବା ପରେ ସେ ପୁଣିଥରେ ୫ଟିର ଅଧକ୍ଷ ଭାବରେ ନିଯୁକ୍ତ ହୋଇଥିଲେ  

ଚଳିତ ସାଧାରଣ ନିର୍ବାଚନରେ ସେ ବିଜେଡିର ଦ୍ବିତୀୟ ଷ୍ଟାର କ୍ୟାମ୍ପେନର ଥିଲେ । ଦଳର ପ୍ରଚାର ଭାର ନିଜ କାନ୍ଧରେ ବୋହିଥିଲେ । ରାଜ୍ୟ ସରା ତୁଫାନୀ ଗସ୍ତ କରି ବିଜେଡି ପାଇଁ ପ୍ରଚାର କରିଥିଲେ । ମାତ୍ର ତାଙ୍କର ଏହି ଗସ୍ତ ବିଜେଡି ପାଇଁ ବୁମେରାଂ ହେଲା । ଯାହାର ଫାଇଦା ସିଧାସଳଖ ଭାରତୀୟ ଜନତା ପାର୍ଟି ପାଖକୁ ଗଲା । ଚଳିତ ନିର୍ବାଚନରେ ବିଜେପି ଓଡ଼ିଆ ଅସ୍ମିତାର କଥା କହି ପ୍ରଚାର ମଇଦାନକୁ ଓହ୍ଲାଇଥିଲା । ବିଜେଡି କିନ୍ତୁ ତା’ର ମାଗଣା ବିଜୁଳି ହେଉ କି ମିଶନ ଶକ୍ତି ମହିଳାଙ୍କ ପେନସନ ଏଭଳି କିଛି ମେନିଫେଷ୍ଟୋକୁ ନେଇ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା । କିନ୍ତୁ ବାଜି ମାରି ନେଇଥିଲା ଓଡ଼ିଆ ଅସ୍ମିତାର ନିର୍ବାଚନୀ ମୁଦ୍ଦା। ପାଣ୍ଡିଆନ ଅଣ ଓଡ଼ିଆ ହୋଇଥିବାରୁ କାମ କଲାନି ତାଙ୍କର ମ୍ୟାଜିକ୍ । ଯାହା ପରେ ବିଜେଡି ଚଳିତ ନିର୍ବାଚନରେ ପରାଜୟର ସ୍ବାଦ ଚାଖିଲା । ଲୋକସଭାରେ ଖାତା ଖୋଲିପାରିନଥିବାବେଳେ ବିଧାନସଭାରେ କିନ୍ତୁ ୫୧ଟି ସିଟ୍ ନିଜ ଖାତାକୁ ନେଇଛି । ଏହାସହ ରାଜ୍ୟରେ ନବୀନ ଯୁଗର ଅନ୍ତ ଘଟିଛି । ଦୀର୍ଘ ୨୪ବର୍ଷର ଶାସନର ଡୋରିରେ ପୂର୍ଣ୍ଣଛେଦ ପଡ଼ିଛି ।

ଭି. କେ. ପାଣ୍ଡିଆନ ନିର୍ବାଚନ ପ୍ରଚାର ବେଳେ କହିଥିଲେ ଯଦି ନବୀନ ପଟ୍ଟନାୟକ ଜୁନ ୯ତାରିଖ ୨୦୨୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନିଅନ୍ତି ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ । ବିଜେଡିର ପରାଜୟ ପରେ ଜୁନ୍ ୪ତାରିଖରୁ ପାଣ୍ଡିଆନ ଏକ ପ୍ରଚାର ଚୁପ୍ ରହିଥିଲେ । ଜୁନ୍ ୯ତାରିଖ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ସେ ପ୍ରତ୍ୟେକ୍ଷ ରାଜନୀତିରୁ ସନ୍ନ୍ୟାସ ନେବା ସହ ବିଜୁ ପରିବାରର ସଦସ୍ୟ ଏବଂ କର୍ମକର୍ତ୍ତାଙ୍କୁ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିଛନ୍ତି । ଏହାସହ ନବୀନଙ୍କ ଯୁଗ ଶେଷ ହେବା ସହ ପାଣ୍ଡିଆନଙ୍କର ମଧ୍ୟ ରାଜନୈତିକ କ୍ୟାରିୟର ଶେଷ ହୋଇଛି । ଆଗାମୀ ଦିନରେ ପାଣ୍ଡିଆନଙ୍କ ରଣନୀତି କ’ଣ ହେବ ତାହା ସମୟ କହିବ ।