ଆଶା କର୍ମୀ ଶିବାନୀ ମଣ୍ଡଳଙ୍କୁ ଜୟ ହନୁମାନ ସମ୍ମାନରେ ସମ୍ମାନିତ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ

କେନ୍ଦ୍ରାପଡ଼ା, ୨୬/୧୦ : ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅର୍ନ୍ତଗତ ବାଘମାରି ପଂଚାୟତର ଖାସମୁଣ୍ଡା ଗ୍ରାମର ଆଶାକର୍ମୀ ଶିବାନୀ ମଣ୍ଡଳଙ୍କୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାତ୍ୟା ସମୟରେ ସେବା କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି । ସେ ନିଜ ସୁକର୍ମ ପାଇଁ ଆଜି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବାତ୍ୟା ଦାନାର ପ୍ରଭାବରେ ଲୋକେ ଆତଙ୍କିତ ଥିବାବେଳେ ଶିବାନୀ ମଣ୍ଡଳ ନିଜ ପରିବାରକୁ ଛାଡ଼ି ସେବା କାର୍ଯ୍ୟରେ ବ୍ୟସ୍ତ ଥିଲେ । ତାଙ୍କର ବୟସ ୪୫ବର୍ଷ ହେବ।
ସେ ୩ଟି ପିଲାର ମା’ଅଟନ୍ତି । ଏହି ବୟସରେ ବାତ୍ୟା ସମୟରେ ବୃଦ୍ଧା ଓ ପ୍ରସୂତି ମହିଳା ଏବଂ ରୋଗୀଙ୍କୁ ନିଜ ପିଠିରେ ବୋହି ନେଇ ବାତ୍ୟା ଆଶ୍ରୟ ସ୍ଥଳରେ ପହଞ୍ଚୁଥିଲେ। ଯାହା ସମାଜ ଏବଂ ନାରୀ ଜାତି ପାଇଁ ଉଦାହରଣ ଅଟେ। ଗତ ବାତ୍ୟାରେ ସେ ସାତ ଜଣକୁ ପିଠିରେ ବୋହି ନେଇଥିଲେ । ଏହି ସେବା କାର୍ଯ୍ୟ ଦେଖି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶିବାନୀ ମଣ୍ଡଳଙ୍କୁ ଜୟ ହନୁମାନ ସମ୍ମାନରେ ସମ୍ମାନିତ କରିଥିଲେ। ଆଜିର ଏହି କାର୍ଯ୍ୟରେ ଉପସ୍ଥିତ ଥିବା ଭାଈମାନେ ହେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଟ୍ରଷ୍ଟର ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର, ଜୟନ୍ତ ମଲ୍ଲିକ, ନିହାର ରଞ୍ଜନ ସାହୁ ଓ ପ୍ରଫୁଲ୍ଲ ଦାସ।