ଓଡ଼ିଶା ବିଧାନସଭା ପରିଦର୍ଶନ କଲେ ୧୨ଟି ଦେଶର ୪୦ଜଣ ବିଦେଶୀ ପ୍ରତିନିଧି

ଓଡ଼ିଶା ବିଧାନସଭା ପରିଦର୍ଶନ କଲେ ୧୨ଟି ଦେଶର ୪୦ଜଣ ବିଦେଶୀ ପ୍ରତିନିଧି

ଭୁବନେଶ୍ଵର,୧୮/୧୧ : ଆଜି ନୂଆଦିଲ୍ଲୀ ସ୍ଥିତ ଲୋକସଭା ସଚିବାଳୟର Parliamentary Research and Training Institute for Democracies (PRIDE) ତରଫରୁ ୧୨ଟି ଦେଶର ୪୦ଜଣ ବିଦେଶୀ ପ୍ରତିନିଧି ପରିଦର୍ଶନ କରିବା ସହ ସଚିବାଳୟ ସମ୍ମିଳନୀ କକ୍ଷରେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଓଡ଼ିଶା ସଚିବାଳୟର ବାଚସ୍ପତି ସୁରମା ପାଢୀ ଏହି ବୈଠକକୁ ଉଦଘାଟନ କରିଥିଲେ । ସେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସ୍ଵାଗତ କରିବା ସହ ବିଧାନସଭାର ଗୌରବମୟ ଇତିହାସ ଓ ଏହାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।

ବିଧାନସଭାର ସଂସଦୀୟ କାର୍ଯ୍ୟ ପ୍ରଣାଳୀ ଭାରତର ସର୍ବଶ୍ରେଷ୍ଠ । ଚଳିତ ୧୭ତମ ବିଧାନସଭାର ପ୍ରଥମ ବର୍ଷରେ ମୋଟ ୬୨ଦିନ ଅଧିବେଶନ କାର୍ଯ୍ୟ ଦିବସ ସମ୍ପାଦନ କରିବା ପାଇଁ ସକ୍ଷମ ହୋଇପାରିଛି । ଏତଦବ୍ୟତୀତ ଓଡ଼ିଶା ବିଧାନସଭାର ସମସ୍ତ କାର୍ଯ୍ୟ ଡିଜିଟାଇଜେସନ୍ ଏବଂ କମ୍ପ୍ୟୁଟରୀକରଣ ହେବା ସହ ନେଭା (NeVA) ପ୍ରୋଜେକ୍ଟ ଦ୍ଵାରା ସମସ୍ତ କାର୍ଯ୍ୟକୁ କାଗଜ ଶୂନ୍ୟ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମାନ୍ୟବର ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଓଡ଼ିଶା ବିଧାନସଭାର ବିଧି ବ୍ୟବସ୍ଥା ଓ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ସମସ୍ତ ପ୍ରତିନିଧିମାନଙ୍କୁ ଅବଗତ କରିଥିଲେ । ସେହିପରି ବିଭିନ୍ନ ଦେଶର ଲୋକଙ୍କ ମଧ୍ୟରେ ସଂସଦୀୟ ଓ ସାଂସ୍କୃତିକ ପରମ୍ପରାର ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଆହୁରି ନିବିଡ଼ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।

ଅନ୍ୟତମ ଅତିଥି ମାନ୍ୟବର ସାଂସଦ ସୁଜିତ କୁମାର ଭାରତୀୟ ସଂସଦୀୟ ପରମ୍ପରା ଓ କାର୍ଯ୍ୟ ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ସଚିବ ସତ୍ୟବ୍ରତ ରାଉତ, ବିଧାନସଭାର ଗବେଷଣା ନିର୍ଦ୍ଦେଶକ ତ୍ରିବିକ୍ରମ ପ୍ରଧାନ, ପ୍ରଶାନ୍ତ ମଲ୍ଲିକ, ନିର୍ଦ୍ଦେଶକ ପ୍ରାଇଡ ଏବଂ ବିଧାନସଭାର ଅଧିକାରୀ ମାନେ ଉପସ୍ଥିତ ଥିଲେ ।