ଇଟାରେ ଛେଚି ଯୁବକଙ୍କୁ ହତ୍ୟା ଘଟଣା; ହତ୍ୟାକାରୀ ସାଙ୍ଗ ଗିରଫ
ଖୁଣ୍ଟା,୨୯/୧୧ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ବଡ଼ଖୁଣ୍ଟା ଗ୍ରାମରୁ ଶୁକ୍ରବାର ସକାଳ ସମୟରେ ରାସ୍ତାପାର୍ଶ୍ଵରୁ ଜଣେ ଯୁବକଙ୍କ ମୃତଦେହ ଉଧାର ହେବା ଘଟଣାର ୨୪ଘଣ୍ଟା ନ ପୁରୁଣ ଖୁଣ୍ଟା ପୋଲିସକୁ ମିଳିଛି ବଡ଼ ସଫଳତା । ଏହି ହତ୍ୟାକାଣ୍ଡ ଘଟାଥିବା ମୃତକର ଜଣେ ସାଙ୍ଗଙ୍କୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ଉକ୍ତ ଥାନା ଅଧିନ ଭୁଡ଼ୁରୁକୁଲା ଗ୍ରାମର ମଙ୍ଗଲ ମୁର୍ମୁ ବୋଲି ପୋଲିସ ପ୍ରକାଶ କରିଛି । ଯାହା କି ଅଭିଯୁକ୍ତ ଜଣକ ପୋଲିସ ସମ୍ମୁଖରେ କେଉଁଭଳି ଓ କେଉଁ ପରିସ୍ଥିତିରେ ହତ୍ୟା କଲା ସେ ଘଟଣା ସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିଛି । ସୂଚନା ଅନୁସାରେ, ଗତ ୨୭ତାରିଖରେ ଖୁଣ୍ଟା ସାପ୍ତାହିକ ହାଟକୁ ଉଭୟ ଗଣେଷ ଓ ତାର ସାଙ୍ଗ ମଙ୍ଗଲ ଏକ ମଲା ଛେଳିର କଟା ମାଂସ ନେଇ ବିକ୍ରି କରିବାକୁ ଆସିଲେ। ହାଟରେ ଉଭୟ ମିଶି ମାଂସ ବିକ୍ରି କରିଥିଲେ । ଫେରିବା ସମୟରେ ଅଭିଯୁକ୍ତ ମଙ୍ଗଲ ତା'ର ସାଙ୍ଗ ଗଣେଷକୁ ଛେଳି ବିକ୍ରି ଟଙ୍କା ମାଗିଥିଲା।
ମାତ୍ର ଗଣେଷ ଟଙ୍କା ନାହିଁ ବୋଲି କହିବାରୁ ବଡ଼ ଖୁଣ୍ଟା ନିକଟ ରାସ୍ତା ପାଖରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ଉଗ୍ରରୂପ ଧାରଣ କଲା ଯେ, ଅଭିଯୁକ୍ତ ମଙ୍ଗଲ ତାର ହିତାହିତ ଜ୍ଞାନ ହଜାଇ ନିକଟରେ ଥିବା ଏକ ଇଟା ସାହାଯ୍ୟରେ ସାଙ୍ଗ ଗଣେଷର ମୁଣ୍ଡକୁ ଛେଚି ହତ୍ୟା କରିଥିଲା । ହତ୍ୟା କରି ମଙ୍ଗଲ ମୃତକଙ୍କ ପକେଟରେ ଥିବା ମୋବାଇଲ ଏବଂ ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ଘଟଣାସ୍ଥଳରେ ପଡ଼ିଥିବା ବାଇକର ଚାବି କାଠିକୁ ଜବତ କରିବା ସହ କେସ ନମ୍ବର ୩୮୦/୨୫ରେ ଏକ ହତ୍ୟା ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଅଭିଯୁକ୍ତ ସାଙ୍ଗ ମଙ୍ଗଲ ମୁର୍ମୁକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ I ଗିରଫ ଅଭିଯୁକ୍ତ ମଙ୍ଗଲକୁ ଶନିବାର କୋର୍ଟଚାଲାଣ କରାଯାଇଥିବା ଖୁଣ୍ଟା ଥାନା ଆଇଆଇସି ପଞ୍ଚାନନ ମହାନ୍ତି ପ୍ରକାଶ କରିଛନ୍ତି ।

Editor 


