ଜଳ ଉତ୍ସ ସୁରକ୍ଷା ଦିବସ ପାଳନ
ଭୁବନେଶ୍ବର,୫/୧୧ : ଦୃତ ସହରୀକରଣ, ଜୀବନ ଶୈଳୀରେ ପରିବର୍ତ୍ତନ ସହ ପର୍ବପର୍ବାଣୀ ଗୁଡ଼ିକର ପାଳନ କ୍ଷେତ୍ରରେ ପରିବେଶ ସୁରକ୍ଷାପ୍ରତି ଦାୟିତ୍ବବୋଧ ରହିବା ଜରୁରୀ ବୋଲି ଯୁବ ପରିବେଶ ପ୍ରେମୀମାନେ ମତ ଦେଇଛନ୍ତି । ରାଜ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ବନ୍ଦାଣ ଅବସରରେ ବିଭିନ୍ନ ପାରମ୍ପରିକ ଓ ପ୍ରାକୃତିକ ଜଳ ଉତ୍ସ ଗୁଡ଼ିକ ସବୁଠାରୁ ଅଧିକ ଭାବେ ପ୍ରଦୂଷଣ ବଳୟ ଭିତରକୁ ଆସିଯାଉ ଥିବାରୁ ଏ ସବୁକୁ ପରିସ୍କାର କରିବା ପ୍ରତ୍ୟେକ ବ୍ୟକ୍ତିର ସାମାଜିକ ଦାୟିତ୍ବ ବୋଲି ମଧ୍ୟ ମତ ପ୍ରକାଶ ପାଇଛି ।
ଗତ ୨୦୧୨ମସିହାଠାରୁ ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୁବନେଶ୍ବର ନୟାପଲ୍ଲୀସ୍ଥିତ ନୀଳକଣ୍ଠେଶ୍ବର ମନ୍ଦିର ସଂଲଗ୍ନ ପୁଷ୍କରିଣୀକୁ ସଫେଇ କରିବା ପାଇଁ ଯୁବ ସାମ୍ବାଦିକ ଓ ଅଧ୍ୟାପନା ସହ ସମ୍ପୃକ୍ତ ଏକ ଗୋଷ୍ଠୀ ଉଦ୍ୟମ କରି ଆସିଛନ୍ତି । କାର୍ତ୍ତିକ ପୂର୍ଣ୍ଣିମା ଦିନଟିକୁ " ଜଳ ଉତ୍ସ ସୁରକ୍ଷା ଦିବସ" ଭାବରେ ପାଳନ କରି ପୋଖରୀ ସଫେଇ କରୁଛନ୍ତି । ଆଜି ନୟାପଲ୍ଲୀ ପୋଖରୀ ସଫେଇ ଅବସରରେ ଅଧ୍ୟାପକ ତଥା ଓଡ଼ିଶା ଅପଡେଟର ସମ୍ପାଦକ ଟିକାୟତ ନାୟକ, ସୁଧାଂଶୁ ଶେଖର ଧଡ଼ାଙ୍କ ନେତୃତ୍ବରେ ମନୋଜ ଦଳେଇ, ଦୀପ୍ତିରାଣୀ ନାୟକ, ଆଦିତ୍ୟ ନାରାୟଣପତି, ଅନୁପମା ଦାଶ, ଜିତେନ୍ଦ୍ର କୁମାର ବେହେରା, ପ୍ରିତୀପ୍ରିୟଦର୍ଶିନୀ ବେହେରା ପ୍ରମୁଖ ଏହି ପୋଖରୀ ସଫେଇ କାର୍ଯ୍ୟରେ ଯୋଗଦେଇଥିଲେ । ଜଳାଶୟରେ ପଡ଼ିଗଲେ ବୁଡ଼ି ନ ଯାଇ ଭାସିବାର କୌଶଳ ସୁଧାଂଶୁ ଶେଖର ଧଡ଼ା ପ୍ରଦର୍ଶନ କରିଥିଲେ ।

Editor 


