ସରପଞ୍ଚମାନଙ୍କୁ ଉପେକ୍ଷା ଅଭିଯୋଗ ; ବ୍ଲକ ସମ୍ମୁଖରେ ସରପଞ୍ଚ ସଂଘର ଧାରଣା

ସରପଞ୍ଚମାନଙ୍କୁ ଉପେକ୍ଷା ଅଭିଯୋଗ ; ବ୍ଲକ ସମ୍ମୁଖରେ ସରପଞ୍ଚ ସଂଘର ଧାରଣା

ଖୁଣ୍ଟା,୧୩/୯ : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧିନରେ ନିର୍ବାଚିତ ସରପଞ୍ଚମାନଙ୍କୁ ବ୍ଲକ ଅଧ୍ୟକ୍ଷ ଓ ବିଡିଓଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡ଼ିକରେ ଅଣଦେଖା କରାଯାଉଥିବା ଅଭିଯୋଗ । ଏଥିଯୋଗୁଁ ସେମାନଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ ହେଉଛି । ଏହାସହ ୭ ଦଫା ଦାବି ନେଇ ବ୍ଲକ ସମ୍ମୁଖରେ ସମସ୍ତ ପଞ୍ଚାୟତର ସରପଞ୍ଚଙ୍କ ସମେତ ୱାର୍ଡ଼ ସଭ୍ୟମାନେ ଧାରଣାରେ ବସି ଏହାର ପ୍ରତିବାଦ କରିଛନ୍ତି ।

ପଞ୍ଚାୟତରାଜ ବ୍ୟବସ୍ଥାରେ ସରପଞ୍ଚମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବାବେଳେ ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓଙ୍କ ସରପଞ୍ଚମାନଙ୍କୁ ଅଣଦେଖା ଓ ପାତରଅନ୍ତର ନୀତି ଯୋଗୁଁ ସରପଞ୍ଚମାନେ ତାଙ୍କର ଅସ୍ତିତ୍ଵ ହରାଉଥିବା ଅଭିଯୋଗ ଆଣିଛନ୍ତି । ଧାରଣାରତ ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ ବ୍ଲକରେ ଥିବା ୧୪ଟି ପଞ୍ଚାୟତ ପାଇଁ ବିଶେଷ କରି ଗ୍ରାଣ୍ଟ ଇନ ଏଡ଼ ବାବଦରେ ୧ କୋଟି ୬୨ ଲକ୍ଷ ଟଙ୍କା ଚଳିତ ଆର୍ଥିକ ବର୍ଷରେ ଅନୁଦାନ ପ୍ରାପ୍ତ ହୋଇଛି l ତେବେ ଏହି ଅନୁଦାନ ସମସ୍ତ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉପରେ ଖର୍ଚ୍ଚ ହେବକୁ ଥିବାବେଳେ ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚମାନଙ୍କ ଦ୍ୱାରା ବିଭିନ୍ନ ପ୍ରସ୍ତାବ ଆଗତ ହୋଇଥିଲା l 

ମାତ୍ର ବିଡ଼ିଓ ଗୌରାଙ୍ଗ ଚରଣ ଘୋଷ ଓ ବ୍ଳକ ଅଧ୍ୟକ୍ଷ ସୁଧନ୍ୟା ନାୟକ ଉକ୍ତ ପ୍ରସ୍ତାବ ଗୁଡ଼ିକୁ ଯାଞ୍ଚ କରିବା ଆଳରେ ଉଦ୍ଦେଶ୍ୟମୂଳକ ଭାବେ ସରପଞ୍ଚମାନଙ୍କର ଅଧିକାଂଶ ପ୍ରସ୍ତାବକୁ ନାକଜ କରି ସମତି ସଭ୍ୟମାନଙ୍କର ପ୍ରସ୍ତାବ ଗୁଡ଼ିକୁ ଅନୁମୋଦନ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିବା ଅଭିଯୋଗ ଆଣିଥିଲେ । ଏହି ଅନୁଯାୟୀ ୧ କୋଟି ୬୨ ଲକ୍ଷ ଅନୁଦାନ ଅର୍ଥରାଶି ମଧ୍ୟରୁ ସମସ୍ତ ସରପଞ୍ଚମାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରକଳ୍ପର ପ୍ରସ୍ତାବ ମଧ୍ୟରୁ ମାତ୍ର ୧୬ ଲକ୍ଷ ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ଅନୁମୋଦନ ପାଇଁ ଯାଇଥିବା ତାଲିକାରେ ସ୍ଥାନ ପାଇଥିବା ସଂପର୍କରେ ସରପଞ୍ଚମାନେ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ । 

ଯାହାକୁ ନେଇ ସରପଞ୍ଚମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା l ଏ ସମ୍ପର୍କରେ ଖୁଣ୍ଟା ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଓ ପିଡି ଡିଆରଡିଏଙ୍କ ନିକଟରେ ଅଭିଯୋଗ କରିଥିଲେ । ମାତ୍ର ଏ ସମ୍ପର୍କରେ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନ ଥିବାରୁ ଉତ୍ୟକ୍ତ ସରପଞ୍ଚ ଓ ୱାର୍ଡ଼ ମେମ୍ବରମାନେ ଶୁକ୍ରବାର ସକାଳ ୮ ଟା ଠାରୁ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ଶ୍ଳୋଗାନ ମାନ ଦେଇଥିଲେ । 

ବିଡ଼ିଓ ଶ୍ରୀ ଘୋଷ ଧାରଣାରତ ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିଲା | ଏବଂ ସେମାନେ ତାଙ୍କ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଧାରଣାରୁ ଓହରିବେ ନାହିଁ ବୋଲି କହିଥିଲେ । ଦିନ ତମାମ ଏଭଳି ପରିସ୍ଥିତି ଲାଗିରହି ଥିବା ଯୋଗୁଁ କର୍ମଚାରୀମାନେ କାର୍ଯ୍ୟାଳୟକୁ ପ୍ରବେଶ କରିପାରି ନ ଥିଲେ । ବିଭିନ୍ନ କାର୍ଯ୍ୟ ନେଇ ଆସିଥିବା ଲୋକମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା । ମାତ୍ର ଅପରାହ୍ନ ପ୍ରାୟ ୫ଟା ସମୟର ପୂର୍ନବାର ବିଡ଼ିଓ ଶ୍ରୀ ଘୋଷ ଧାରଣାରତ ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କଦ୍ୱାରା ଆଗତ ୭ ଗୋଟି ଦାବି ମଧ୍ୟରୁ ପ୍ରଥମ ୬ ଗୋଟି ଦାବି ଗୁଡ଼ିକୁ ତତକାଳ ସମାଧାନ କରାଯିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ । ଗ୍ରାଣ୍ଟ - ଇନ୍ - ଏଡ଼କୁ ନେଇ ଦେଖାଦେଇଥିବା ସମସ୍ୟା ଆଗାମୀ ୧୫ଦିନ ମଧ୍ୟରେ ଜିଲ୍ଲାର ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚ଼ନା କରାଯାଇ ଏହାର ସମାଧାନ କରାଯିବ ବୋଲି ବିଡିଓ ଶ୍ରୀ ଘୋଷ ପ୍ରତିଶ୍ରୁତି ଦେବା ପରେ ସରପଞ୍ଚମାନେ ଦୀର୍ଘ ୯ ଘଣ୍ଟା ପରେ ଧାରଣାରୁ ଓହରିଥିଲେ l