ଭବିଷ୍ୟତର ପ୍ରଜ୍ବଳିତ ଦୀପ ଶୀଖା : ସଂଯୁକ୍ତା ଦାଶ
ଆଜିର ଶିଶୁ ଭବିଷ୍ୟତର ନାଗରିକ। ଯେମିତି ବଗିଚାରେ ଅନେକ ପ୍ରକାରର ରଙ୍ଗବେରଙ୍ଗ ସୁବାସିତ ଫୁଲ ଫୁଟେ, ସେମିତି ପ୍ରତ୍ୟେକଟି ଶିଶୁର କିଛି ନା କିଛି ଅନ୍ତର୍ନିହିତ ଗୁଣ ରହିଥାଏ। ମାତୃଗର୍ଭରୁ ଆରମ୍ଭ କରି ଶିଶୁର ଶାରୀରିକ, ମାନସିକ, ଚାରିତ୍ରିକ ବିକାଶ ଘଟାଇବା ପାଇଁ ବାପା, ମାଆଙ୍କୁ ଯତ୍ନବାନ ହେବାକୁ ପଡ଼େ। ମୋଟାମୋଟି ଭାବେ କହିବାକୁ ଗଲେ, ଶିଶୁ ପାଇଁ ପରିବାର ହେଉଛି ପ୍ରଥମ ଶିକ୍ଷାନୁଷ୍ଠାନ ଓ ମାଆ ହେଉଛି ପ୍ରଥମ ଗୁରୁ । ଶିଶୁର ମୂଳଦୁଆକୁ ସୁଦୃଢ କରିବାରେ ପରିବାରର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ।
ଆଜିକାଲି କିନ୍ତୁ ଅଲଗା କିଛି ଦେଖିବାକୁ ମିଳୁଛି। ବାପା, ମାଆ ଉଭୟ କର୍ମଜୀବୀ ହୋଇଥିଲେ, ଶିଶୁର ଯତ୍ନ ନେବା ଏବଂ ତାକୁ ସମୟ ଦେବାରେ ଅସୁବିଧା ହେତୁ, ଆୟା ପାଖରେ ଛାଡ଼ି ଚାଲି ଯାଉଛନ୍ତି । ଯାହାଦ୍ଵାରା ପିଲାଟି ଉପରେ ସକାରାତ୍ମକ ପ୍ରଭାବ ପଡ଼ିବା ପରିବର୍ତ୍ତେ ନକାରାତ୍ମକ ପ୍ରଭାବ ପଡୁଛି । ନଚେତ୍ ଶିଶୁଟି ମୋବାଇଲ୍ ଓ ଟିଭିକୁ ନିଜର ସାଥୀ ଭାବରେ ଗ୍ରହଣ କରି ନେଉଛି। ଶୈଶବ ଅବସ୍ଥାରେ ଯେଉଁଠି ଶିଶୁଟି ମନଖୋଲି ଖେଳିବା ଦରକାର, ହସିବା ଦରକାର, ତା ଠାରୁ ଅଧିକ ଓଜନର ବ୍ୟାଗ୍ ଝୁଲାଇଦେଇ, ଆମେ ତାକୁ ସ୍କୁଲ୍ ପଠାଇ ଦେଉଛେ । ଶୈଶବ ଯେମିତି ତା ପାଇଁ ଅଭିଶପ୍ତ ହୋଇଯାଉଛି।
ଖାଲି ସେତିକି ନୁହେଁ, ଆମେ ବୁଝିବା ଦରକାର, ସମସ୍ତଙ୍କର ସ୍ମରଣ ଶକ୍ତି ସମାନ ହୋଇନଥାଏ, ତାକୁ ଅନ୍ୟ ସହ ତୁଳନା ନ କରି, ଯେଉଁଥିରେ ସେ ଆଗ୍ରହୀ, ତାକୁ ପ୍ରୋତ୍ସାହନ ଦେବା ଆମର କର୍ତ୍ତବ୍ୟ। ନଚେତ୍ ଆମେ ଦେଖୁଥିବା ସ୍ବପ୍ନ ଯେ କେତବେଳେ ଭାଙ୍ଗିଯିବ, କିଏ କହିପାରିବ? ଗୋଟିଏ ଶିଶୁ ପାଇଁ ତାର ଚଲାପଥ ଅନେକ ଦୂର, ଆଉ ସେହି ଚଲାପଥ ର ଅନ୍ତିମ ଭାଗକୁ ଛୁଇଁବାକୁ ସାରା ଜୀବନ ତା ପାଇଁ ଅଛି। ଗୁରୁଜନ ହିସାବରେ ଶିଶୁଟିର ଉତ୍ତମ ଚରିତ୍ର ଗଠନ କରିବାରେ ସହଯୋଗ କରିବା ଆମର କର୍ତ୍ତବ୍ୟ। ଶିଶୁ ହେଉଛି ନିଷ୍ପାପ, କୋମଳ, ନା ଅଛି ତା ପାଖରେ ହିଂସା, ନା ଦ୍ୱେଷ, ନା ରାଗ, ନା ନିନ୍ଦା, ଯଦି ତାରି ଆଖିରେ ଆମେ ବିଶ୍ୱକୁ ଦେଖିବା, ସାରା ବିଶ୍ବ ଆମ ପାଇଁ ଅମୃତମୟ ହୋଇ ଉଠିବ।
ଶିଶୁ ଦିବସ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
ସଂଯୁକ୍ତା ଦାଶ
କଳିଙ୍ଗ ବିହାର, ଭୁବନେଶ୍ୱର

Editor 


