ତିନି ରଥର ଦକ୍ଷିଣ ମୋଡ଼ ପରମ୍ପରା କ’ଣ ,ଜାଣନ୍ତୁ…

ତିନି ରଥର ଦକ୍ଷିଣ ମୋଡ଼ ପରମ୍ପରା କ’ଣ ,ଜାଣନ୍ତୁ…

ପୁରୀ,୨/୭ :  ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପର ଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ଆଜ୍ଞାମାଳକୁ ତିନି ଜଣ ପାଳିଆ ପୂଜା ପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହଳି ସହ ତିନି ରଥକୁ ଉକ୍ତ ଆଜ୍ଞାମାଳ ପ୍ରଦାନ କରିଥାନ୍ତି। ଏହା ପରେ ତିନି ରଥର ଦକ୍ଷିଣ ମୋଡ଼ ହୋଇଥାଏ। ରଥତ୍ରୟ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରଠାରେ ଥାଏ। ପ୍ରଚଳିତ ପ୍ରଥାନୁଯାୟୀ ଦେବୀ ସୁଭଦ୍ରାଙ୍କ ରଥ ସର୍ବ ପ୍ରଥମେ ଟଣା ହୋଇଥାଏ। ତତ୍ପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ।

ଉଲ୍ଲେଖଯୋଗ୍ୟ ଯେ, ମନ୍ଦିର ଅଧିକାରୀ, କର୍ମଚାରୀ, ରଥ ନିର୍ଦ୍ଦେଶକ ଦଳ ଓ ସରକାରୀ ପୋଲିସ ଏହି ରଥକୁ ଟାଣିଥାନ୍ତି। ପୂର୍ବେ କଳା ବେଠିଆ (ଶ୍ରମିକ) ଓ ହସ୍ତୀମାନଙ୍କ ସାହାଯ୍ୟରେ ରଥର ଦକ୍ଷିଣ ମୋଡ଼ ହେଉଥିଲା । ଏହି ରଥଟଣାର ତାତ୍ପର୍ଯ୍ୟ ହେଲା ଯେ ରଥର ଉଭୟ ସମ୍ମୁଖ ଓ ପଶ୍ଚାତ୍ ଭାଗରେ ଦଉଡି ସଂଯୋଗ ହେଉଥିଲା। ଗୋଟିଏ ରଥଟଣା ହେବା ବେଳେ ରଥକୁ କିଛି ଦୂର ଆଗକୁ ଓ ପୁନଶ୍ଚ ପଛକୁ ଏହିପରି ବାରମ୍ବାର ଟଣାଯାଇ ଧିରେ ଧିରେ ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରଠାରୁ ଅପରପାର୍ଶ୍ୱରେ ଥିବା ନାକଚଣା ଦ୍ୱାର ସମ୍ମୁଖରେ ଦକ୍ଷିଣାଭିମୁଖରେ ଯଥାସମ୍ଭବ ସମାନ ଭାବେ ରଖାଯାଇଥାଏ। ସାଧରଣତଃ ରଥର ଦକ୍ଷିଣ ମୋଡ଼ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିଥାଏ।କିନ୍ତୁ କେତେ ବର୍ଷ ଏକ ଦିନରେ ଦକ୍ଷିଣ ମୋଡ଼ ହୋଇଥିବାର ପ୍ରମାଣ ରହିଛି। ସୂଚନାଯୋଗ୍ୟ ଯେ, ଦକ୍ଷିଣ ମୋଡ଼ ସମୟରେ ରଥ ଉପରେ ଘଣ୍ଟୁଆ ଘଣ୍ଟ ବଜାଇବା ସହିତ ଡାକୁଆ ରଥ ଉପରେ ଠିଆ ହୋଇ ରଥ ଗୀତ ବୋଇଥାନ୍ତି। ଭୋଇ ଓ ମହାରଣାମାନେ ରଥଟଣାରେ ସାହାଯ୍ୟ କରିଥାନ୍ତି। ୧୯୮୫-୮୬ ମସିହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ବଡ଼ ଶଙ୍ଖ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱ ଅଞ୍ଚଳ ନିମ୍ନ ଥିଲା। ପ୍ରାୟ ୨-୩ ଫୁଟ୍ ପର୍ଯ୍ୟନ୍ତ ଜଳ ଉଭୟ ପାର୍ଶ୍ୱରେ ଜମି ରହୁଥିଲା । ସେତେବେଳେ ରଥର ଦକ୍ଷିଣ ମୋଡ଼ ବହୁ କଷ୍ଟରେ କରାଯାଉଥିଲା