ଓଲିଉଡ଼ : ଆମ ଅଡ଼ିଏନ୍ସ କିଏ ?

ସିନେମା ଏକ ଆବେଗ । ପ୍ରତିଟି ମଣିଷର ସିନେମାକୁ ନେଇ କିଛି ନା କିଛି ସ୍ମୃତି ରହିଛି । ଖରାପ ହେଉ ଅବା ଭଲ । ଆଜି ଏ ସବୁ ଲେଖି ବସିବାବେଳେ ମୋ ନଜରରେ କିଛି ବର୍ଷ ଭିତରେ ପାଖରୁ ଦେଖିଥିବା ଓଲିଉଡ଼ ନଜରକୁ ଆସିଲା । ଯାହାକୁ ମୁଁ ନିଜ ଭିତରେ ସମୀକ୍ଷା କଲି । ମୁଁ ଠିକ୍ ଦେଖୁଛି ତ । ପିଲାବେଳେ ସିନେମା ଦେଖିବାର ଏକ ଜୋଶ୍ ଥିଲା । ସେବେଠାରୁ ସିନେମା ପ୍ରତି କେଉଁ ଏକ ଅଜଣା ଭଲ ପାଇବା ରହି ଯାଇଛି । ଜାଣିନି କ’ଣ ପାଇଁ । କିନ୍ତୁ ସତରେ ଏ ଗ୍ଲାମର ଦୁନିଆ ଏଭଳି ଏଠି ଏଣ୍ଟ୍ରିର ବାଟଥାଏ କିନ୍ତୁ ଏକ୍ଜିଟ୍ ନ ଥାଏ । ପ୍ରତିଦିନ ବହୁ ବ୍ୟକ୍ତିଙ୍କ ସହ କଥା ହେବାକୁ ପଡ଼ିଥାଏ , ଯେଉଁମାନେ ସିନେମା ସହ ଜଡ଼ିତ ଥାନ୍ତି । କହି ବସିଲେ ଅନେକ କଥା ହେବ । ମାତ୍ର ଆଜିର ଯେଉଁ ଟପିକ୍ ନେଇଛି ‘ଆମ ଅଡ଼ିଏନ୍ସ କିଏ ?’ ଏହା ବିଷୟରେ କିଛି ଲେଖିବାକୁ ମୁଁ ସ୍ଥିର କଲି ଆଉ ଏହାପରେ ଧିରେ ଧିରେ ବହୁ ଘଟଣା ଆଖି ସାମ୍ନାକୁ ଚାଲିଆସିଲା ।
ମୁଁ ପିଲାବେଳୁ ଯେଉଁ ଓଲିଉଡ଼ ଦେଖିଥିଲି ଆଜି ତାହା ଭିନ୍ନ । ଏବେ ଗାଁର ସେହି ଛୋଟ ପିଲାଟିର ଓଲିଉଡ଼ର ଡ୍ରିମ୍ ଅଭିନେତା କିମ୍ବା ଅଭିନେତ୍ରୀ କେହି ନାହାଁନ୍ତି ଯେପରି । ସେ ଆଉ ଏବେ ମନ ବଳାଉ ନାହିଁ ମୁଁ ବି ହିରୋ ହେବି କିମ୍ବା ଅଭିନେତା ହେବି । କାରଣ ଏବେ ଯେମିତି ଓଲିଉଡ଼କୁ ସମସ୍ତେ ଜାଣି ସାରିଛନ୍ତି। କାରଣ ଘର କଥା ଯେମିତି ପଦାରେ ପଡ଼ି ହାଟରେ ଗଡ଼େ ସେଭଳି ଏବେ ଓଲିଉଡ଼ ହୋଇଯାଇଛି । ଏଠାକୁ ନୂଆ କରି ଆସିଥିବା କିଛି ଜଣ ଏବେ ଗୋଟିଏ କଥା କହୁଛନ୍ତି ଏଠି ଆଉ ଟଙ୍କା କି ଇଜ୍ଜତ ନାହିଁ । ଆଉ ତାହା ରାତି ପାହିଲେ ମୋବାଇଲକୁ ମୋବାଇଲ୍ ଘୁରି ବୁଲୁଛି । ଯାହାର ପରିଣାମ ହେଉଛି ନୂଆ ପ୍ରଯୋଜକ, ନିର୍ଦ୍ଦେଶକ , ଅଭିନେତା ଓ ନୂଆ ଅଭିନେତ୍ରୀ ସୃଷ୍ଟି ହେଉନାହାନ୍ତି । ଏ ସବୁ ନିତିଦିନିଆ ଘଟଣା ।
କିନ୍ତୁ ଆଜି ମୁଁ ଲକ୍ଷ୍ୟ କଲି ଏବେ ଓଲିଉଡ଼ ଯେମିତି ଖୋଜୁଛି ମୋ ଅଡ଼ିଏନ୍ସ କିଏ ? ସିନେମା ଟି ପ୍ରସ୍ତୁତ ହେଲେ ପ୍ରଥମେ ଟାର୍ଗେଟ ଫିକ୍ସ କରିବାକୁ ପଡ଼ିଥାଏ । କିଏ ଆମ ଅଡ଼ିଏନ୍ସ । କାହାକୁ ଆମେ ଟାର୍ଗେଟ କରିବୁ । ଆମ ସିନେମା କିଏ ଦେଖିବ ? ମାତ୍ର ସେ ସବୁ ଯେମିତି ଏବେ ଆଉ ଦେଖାଯାଉନାହିଁ । କାରଣ ଜଣେ ଯଦି ବାହାର ଇଣ୍ଡଷ୍ଟ୍ରିରେ ସିନେମା କରୁଛି ସେ ତାଙ୍କ ଅଡିଏନ୍ସଙ୍କୁ ନେଇ ସିନେମା ପ୍ରସ୍ତୁତ କରିଥାଏ । ମାନୁଛି ସବୁ ଇଣ୍ଡଷ୍ଟ୍ରିରେ କପି ହେଉଛି । କିନ୍ତୁ ଆମର ଏଠି କେଉଁ ଦର୍ଶକ ଫିଲ୍ମ ଦେଖୁଛନ୍ତି, କାହାକୁ ନେଇ ଆମେ ସିନେମା ପ୍ରସ୍ତୁତ କରିବା ତାହାର ଡାଟା ବେଶ୍ ପ୍ରସ୍ତୁତ କରିବା ଜରୁରୀ ହୋଇପଡ଼ୁଛି ଏବେ । କାହିଁକି ନା ଅନ୍ଧାରରେ ବାଡ଼ି ବୁଲାଇବା ଭଳି ସିନେମା କଲେ କ’ଣ ହେବ । କେବଳ ନିଜର କ୍ଷତି ହେବା ସହ ଜଣେ ନୂଆ ପ୍ରଯୋଜକଙ୍କୁ ଆମେ ହରାଇ ବସିବା ଛଡ଼ା ଆଉ କିଛି ନୁହେଁ । ବରଂ ଉପଯୁକ୍ତ ଡାଟା ବେଶ୍ ସହ ଆମ ଅଡ଼ିଏନ୍ସଙ୍କୁ ଟାର୍ଗେଟ କରି ସିନେମା ନିର୍ମାଣ କଲେ ଆମେ ଆଗକୁ ଯାଇପାରିବା ମୋ ମତରେ ।
ଯେମିତି କି ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ ଥିଲା । ୧୯୩୬ମସିହାରେ ଓଡ଼ିଆ ସିନେମା ଜଗତକୁ ୨୯ହଜାର ୭୮୧ଟଙ୍କା ୧୦ଅଣା ବଜେଟରେ ସୀତା ବିବାହ ଚଳଚ୍ଚିତ୍ର ଆସିଥିଲା । ହେଲେ ଅବଶୋଷର କଥା ଆଗାମୀ କିଛି ବର୍ଷ ପରେ ୧୦୦ବର୍ଷରେ ପାଦ ଦେବାକୁ ବସିଥିବା ଓଡ଼ିଆ ଇଣ୍ଡଷ୍ଟ୍ରି ଏବେ ଅନେକ ପ୍ରଶ୍ନ ଘେରରେ । ନିମ୍ନମାନର ଚଳଚ୍ଚିତ୍ର, ବିଷୟ ବସ୍ତୁ, କପି ଆଦିର ଅପବାଦରେ ମାଡ଼ି ମକଚି ଯାଉଛି । ଅନ୍ୟପଟେ ଆଉ ଗୋଟିଏ ମୁଖ୍ୟ ସମସ୍ୟା ଦେଖାଦେଇଛି ଯଦିଓ ସିନେମା ଭଲ ଚାଲୁଛି, କିନ୍ତୁ ପ୍ରଯୋଜକ ପ୍ରେକ୍ଷାଳୟରୁ ଟଙ୍କା ପାଉନାହାନ୍ତି। ପ୍ରାପ୍ୟ ପାଇବାକୁ ବେଳେବେଳେ ବର୍ଷ ବର୍ଷ ବିତି ଯାଉଛି । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଚଳଚ୍ଚିତ୍ର ପ୍ରତି ସରକାର, ସଂସ୍କୃତି ବିଭାଗ ଏବଂ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ସେତେଟା ଧ୍ୟାନ ଦେଉ ନ ଥିବା ଜଣାପଡ଼ିଛି । ପ୍ରେକ୍ଷାଳୟ ସମସ୍ୟା, ସବ୍ସିଡି, ଆର୍ଥିକ ସହାୟତା ଭିତରେ ଏବେ ବି ଓଡ଼ିଆ ଚଳଚ୍ଚିତ୍ର ଜଗତ ଛନ୍ଦି ହୋଇ ରହିଛି।
ଏଣୁ ଶେଷରେ ଏତିକି କହିବି ପ୍ରଥମେ ଆମକୁ ଆମ ଅଡିଏନ୍ସ ଫିକ୍ସ କରିବାକୁ ପଡ଼ିବ । ଏହାପରେ ଆମେ ଆମ ସିନେମାକୁ ଭଲ ବିଜନେସ ଦେଇପାରିବା । ନଚେତ ଅନ୍ଧାରରେ ବାଡ଼ି ବୁଲାଇବା ସାର ହେବ ।
ଆପଣଙ୍କ କଥାକାର
ଗୁରୁପଦ ନାଥ
୮୯୦୮୮୩୪୭୩୪