ରାଉରକେଲା ସେକ୍ଟର-୩ ଥାନା ପୋଲିସ୍ ଦ୍ବାରା ଦୁଇ ଅପରାଧିଙ୍କ ସହ ମାରଣାସ୍ତ୍ର ଜବତ

ରାଉରକେଲା,୧୭/୧୨ : ଦୁଇ ଅପରାଧି ରବିବାର ସନ୍ଧ୍ୟାରେ ଏକ ଓ୍ବାଗନର କାରରେ ମାରଣାସ୍ତ୍ର ଧରି ଯାଉଥିବା ସମୟରେ, ସେକ୍ଟର-୩ ପୋଲିସ୍ କୌଣସି ବିଶ୍ବସ୍ତ ସୂତ୍ରରୁ ଖବରପାଇ ଓ୍ବାଗନର କାରକୁ ଅଟକାଇ ଦୁଇ ଜଣ ଅପରାଧୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ଗୋଟିଏ ଗୁଳି ଭର୍ତ୍ତି ଦେଶୀ ପିସ୍ତଲ ଜବତ୍ କରିଥିବା ବିଷୟ ଆଜି ସେକ୍ଟର-୩ ପୋଲିସ୍ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆଇସିଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ସେକ୍ଟର-୩ ପୋଲିସ୍ ଥାନାର ସବ୍ଇନିସପେକ୍ଟର ରବିନ୍ଦ୍ର କୁମାର ଭୋଇ, ଏ. ତିର୍କୀ ଏବଂ ଏସ୍. ମିଞ୍ଜ ସନ୍ଧ୍ୟା ସମୟରେ ପେଟ୍ରୋଲିଂ କରୁଥିବା ସମୟରେ, ସେକ୍ଟର-୩ ଥାନାକୁ ଖବର ପଠାଇଥିଲେ ଯେ, ଦୁଇଜଣ ଯୁବକ କିଛି ବେଆଇନ ମାରଣାସ୍ତ୍ର ଧରି ଏକ ବାଦାମୀ ରଙ୍ଗର ଓ୍ବାଗନର କାର (ଓଡି ୧୪ଏକ୍ସ ୧୮୭୨)ରେ ସେକ୍ଟର-୨ ଆଡ଼କୁ ଯାଉଛନ୍ତି। ଏହି ଖବର ପାଇଲା ପରେ, ସବ୍ଇନ୍ସପେକ୍ଟର ଆର କେ ଭୋଇ ସଦଳବଳେ ସେକ୍ଟର-୪ ଚିପଟାଇପ୍ ମାର୍କେଟ୍ ନିକଟରେ କାରକୁ ଜଗି ରହିଥିଲେ। ରାତି ୯ଟା ୩୦ ମିନିଟ୍ ସମୟରେ ତଥାକଥିତ ବ୍ରାଉନ ରଙ୍ଗର ଓ୍ବାଗନର କାରଟିକୁ ଚିପଟାଇପ୍ ମାର୍କେଟର ହନୁମାନ ମନ୍ଦିର ନିକଟରେ ଅଟକାଇଥିଲେ।
କାରକୁ ସର୍ଚ କରିବା ସମୟରେ ଦୁଇଜଣ ଯୁବକ ବସିଥିବା ଏବଂ ତାଙ୍କ ନିକଟରେ ଗୋଟିଏ ଗୁଳି ଭର୍ତ୍ତି ଦେଶୀ ପିସ୍ତଲ ଥିବା ଜଣାପଡ଼ିଥିଲା। ପୋଲିସ୍ ପକ୍ଷରୁ ପଚରାଉଚରା ପରେ, ସେମାନେ ପିସ୍ତଲର କୌଣସି ଲାଇସେନ୍ସ ଦେଖାଇ ପାରିନଥିଲେ। ସେମାନଙ୍କ ମଧ୍ୟରୁ ଜଣକର ନାମ ଭିକି ଚୌଧୁରୀ (୨୪ ବର୍ଷ) ସେକ୍ଟର-୬ ଏବଂ ଅନ୍ଯ ଜଣଙ୍କ ନାମ ସୁମିତ ରଂଜନ ରାଉତ (୨୩ ବର୍ଷ) ସେକ୍ଟର-୧୬ କ୍ବାର୍ଟର ନମ୍ବର ସି-୧୮୯ ବୋଲି ଜଣାପଡିଛି। ସେମାନଙ୍କୁ ପଚରା ଯିବାରୁ ଭିକି ଚୌଧୁରୀ ସ୍ବୀକାର କରିଥିଲା ଯେ, ସେ ପିସ୍ତଲଟିକୁ ତାଙ୍କ ଭିଣୋଇ ଆକାଶ ପ୍ରଧାନଙ୍କ ନିକଟରୁ ଗୋଟିଏ ମାସ ପୂର୍ବରୁ ଆଣିଥିଲା। ପିସ୍ତଲକୁ ବିକ୍ରୀ କରିବା ପାଇଁ ଅନ୍ଯତମ ଅଭିଯୁକ୍ତ ସୁମିତ ରଂଜନ ରାଉତଙ୍କ ସହ ବିଚାରବିମର୍ଶ କରି ସେଥିରୁ ଟଙ୍କା ରୋଜଗାର କରିବା ପାଇଁ ମସୁଧା ରଖିଥିଲା।
ସେମାନଙ୍କ ନିକଟରୁ ଗୋଟିଏ ଗୁଳି ଭର୍ତ୍ତି ଦେଶୀ ପିସ୍ତଲ ସହ ଓ୍ବାଗନର କାର (ଓଡି ୧୪ଏକ୍ସ ୧୮୭୨), ଗୋଟିଏ ଆଇ ଫୋନ୍ ୧୩, ଗୋଟିଏ ଓ୍ବାନ୍ ପ୍ଲସ୍ ମୋବାଇଲ ସହ ସିମ୍ କାର୍ଡ ନଂ ୯୩୪୮୦୦୪୮୭୧, ଗୋଟିଏ ସେମସଙ୍ଗ୍ ଗ୍ଯାଲେକ୍ସି ଏ୧୨ ମୋବାଇଲ ଫୋନ୍ ଜବତ୍ କରାଯିବା ସହିତ ସେମାନଙ୍କ ବିରୋଧରେ ଆର୍ମ ଆକ୍ଟ ୨୫ (୧ଏ) ଦଫାରେ ସେକ୍ଟର-୩ ମୋକଦ୍ଦମା ନମ୍ବର ୨୮୯ ରୁଜ୍ଦୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।