ରାସ୍ତା ମରାମତି ଦାବି ; ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଉତ୍ୟକ୍ତ ଗ୍ରାମବାସୀ

ଖୁଣ୍ଟା, ୨୩/୮ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧିନ ଭୋଳାଗଡ଼ିଆ ପଞ୍ଚାୟତ ୱାର୍ଡ଼ ନମ୍ବର ୧୨ସରର୍ଜମଡ଼ିହ ଗ୍ରାମରେ ଥିବା ପ୍ରାୟ ୧କି.ମି ମାଟି ରାସ୍ତାର ମରାମତି ଦାବି କରି ଗ୍ରାମବାସୀଙ୍କ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକାଇ ଦେଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବର୍ଷା ହେଲେ ଏହି ରାସ୍ତା ଦେଇ ଯାତାୟତ କରିବା କଷ୍ଟକର ହୋଇପଡ଼ି ଥାଏ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଅବହେଳିତ ଅବସ୍ଥାରେ ଥିବା ରାସ୍ତାଟିର ମରାମତି ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ବ୍ଲକ ଓ ପଞ୍ଚାୟତରେ ଦାବି ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନ ଥିବାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ଯାହାକୁ ନେଇ ଶୁକ୍ରବାର ଗ୍ରାମବାସୀ ପୁନର୍ବାର ରାସ୍ତା ମରାମତି ଦାବି କରି ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ । ମାତ୍ର ସରପଞ୍ଚ ଗ୍ରାମବାସୀଙ୍କୁ ପ୍ରାୟ ଏକ କିମି ରାସ୍ତାର ସଂପୂର୍ଣ୍ଣ ମରାମତି ପାଇଁ ପଞ୍ଚାୟତରେ ପର୍ଯ୍ୟାପ୍ତ ପରିମାଣରେ ଅନୁଦାନ ନ ଥିବା ଯୋଗୁଁ ସେ ବିଡ଼ିଓଙ୍କ ଠାରେ ମଧ୍ୟ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଯାହାକୁ ନେଇ ଗ୍ରାମବାସୀ ଉତ୍ୟକ୍ତ ହୋଇ ସକାଳ ୯ ଟାରୁ ପଞ୍ଚାୟତକୁ ତାଲା ପକାଇ ଏହାର ପ୍ରତିବାଦ କରିଥିଲେ ।
ଘଟଣା ସମ୍ପର୍କରେ ଭୋଳାଗଡ଼ିଆ ସରପଞ୍ଚ ନନ୍ଦକିଶୋର ହାଁସଦାଙ୍କ ମତାମତ ଲୋଡ଼ାଯାଇଥିବାବେଳେ ନିର୍ବାଚନ ଯୋଗୁଁ ପଞ୍ଚାୟତରେ ଉତ୍ସ ଗୁଡ଼ିକ ନିଲାମ ହୋଇ ପାରିନଥିବା କାରଣରୁ ପଞ୍ଚାୟତରେ ଅର୍ଥର ଅଭାବ ଦେଖା ଦେଇଛି । ପଞ୍ଚାୟତରେ ଅନୁଦାନ ପର୍ଯ୍ୟାପ୍ତ ନ ଥିଲେ ମଧ୍ୟ ଏହି ସମସ୍ୟାର ଅସ୍ଥାୟୀ ମରାମତି ପାଇଁ ପ୍ରସ୍ତାବ ରହିଥିଲେ ହେଁ ବର୍ଷା ଯୋଗୁଁ ତାହା ମରାମତି କରିବା ସମ୍ଭବ ପର ହୋଇପାରୁ ନାହିଁ । ଏତଦ୍ ବ୍ୟତିତ ଖରାପ ଥିବା ଉକ୍ତ ସର୍ଜନଡ଼ିହିରୁ ବମ୍ବେଛକ ରାସ୍ତାଟିର ଉନ୍ନତି କରଣ ନିମନ୍ତେ ମନେରେଗା ମାଧ୍ୟମରେ ୫ଲକ୍ଷ ଟଙ୍କା ବ୍ୟୟବରାତ ମଞ୍ଜୁର ହୋଇଥିବା ବେଳେ ଏହାର କାର୍ଯ୍ୟ ଯଥାଶୀଘ୍ର ସଂପାଦନ ହେବ ବୋଲି ସରପଞ୍ଚ ଶ୍ରୀ ହାଁସଦା ପ୍ରକାଶ କରିଛନ୍ତି । ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟର ତାଲା ଖୋଲା ଯାଇନଥିବା ଜଣାପଡ଼ିଛି l