ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ " ସୁଶ୍ରୀ ଲିଟିଲ୍ କର "

ଭୁବନେଶ୍ୱର, ୧୭ / ୭ : ଓଡ଼ିଶାର ସମସାମୟିକ କଣ୍ଠଶିଳ୍ପୀ ମାନଙ୍କ ମଧ୍ୟରୁ ଯିଏ ଅଦ୍ଭୂତପୂର୍ବ ଭାବରେ ମଞ୍ଚରେ ବାରିହୋଇ ପଡନ୍ତି, ଯାହାଙ୍କ କଣ୍ଠସ୍ଵରରେ ମନ୍ତ୍ରମୁଗ୍ଧ ହୋଇ ହଜାର ହଜାର ଶ୍ରୋତା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମଞ୍ଚ ସହିତ ଯୋଡ଼ିହୋଇ ରହନ୍ତି, ଯାହାଙ୍କ କଣ୍ଠ ତରଙ୍ଗର ସ୍ପର୍ଶ ପାଇବାକୁ ଘଣ୍ଟା ଘଣ୍ଟା ଲୋକ ଅପେକ୍ଷା କରନ୍ତି ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ " ସୁଶ୍ରୀ ଲିଟିଲ୍ କର "।
ଯେ କେହି ତାଙ୍କୁ ମଞ୍ଚ କାର୍ଯ୍ୟକ୍ରମରେ ଦେଖିଥିବ ସେ ନିଶ୍ଚୟ ତାଙ୍କୁ ସ୍ମୃତିପଟରେ ସାଇତି ରଖିଥିବ ବୋଲି ଆଶା କରାଯାଏ।ଖାଲି ମଞ୍ଚ କାର୍ଯ୍ୟକ୍ରମ ନୁହେଁ, ଅନେକ ଗୀତ ତାଙ୍କର ରେକଡ଼ କରା ଯାଇଛି। ତାଙ୍କ ଗାଇବାର ଶୈଳୀ ଅତି ସ୍ପଷ୍ଟ ଏବଂ ଭାବଉଦ୍ଦିପକ।ଯେ କୌଣସି ଗୀତ ରେକଡିଂ ସମୟରେ ଗୀତର ଭାବକୁ ବୁଝି ନ୍ୟାୟୋଚିତ କଣ୍ଠଦାନ କରିବାରେ ସେ ସିଦ୍ଧହସ୍ତ ।ଆଜି ପର୍ଯ୍ୟନ୍ତ ସେ ଯେତେ ଗୁଡ଼ିଏ ଗୀତ ଗାଇଛନ୍ତି ପ୍ରତିଟି ଗୀତକୁ ସେ ଅତି ଯତ୍ନଶୀଳା ହୋଇ ଗାଇଛନ୍ତି। ସେ ଭଜନ ହେଉକି ଆଧୁନିକ, ଲୋକଗୀତ ହେଉ କି ସମସାମୟିକ ଟ୍ରେଣ୍ଡି ଗୀତ ସେସବୁ ଗାଇବାରେ ଥାଏ ତାଙ୍କର କିଛି ସ୍ୱତନ୍ତ୍ରତା।
ଗାଇବା ବେଳେ ସଙ୍ଗୀତ ସହିତ ତାଙ୍କର ଆଛାଦନ ନିର୍ଦ୍ଦେଶକମାନଙ୍କୁ ପ୍ରସନ୍ନ କରିଥାଏ। ସମୟ ସୁଯୋଗ ଅଭାବରୁ ଯଦିଓ ସେ ବ୍ୟବସାୟୀକ ଓଡ଼ିଆ ସିନେମା ପାଇଁ ଗାଇ ନାହାନ୍ତି ତଥାପି ଅନେକ ଆଲବମ୍ ଏବଂ ଭଜନ ଗାଇ ନିଜ ଦକ୍ଷତାର ପରିଚୟ ସେ ଦେଇଛନ୍ତି। ତାଲ୍ ମ୍ୟୁଜିକ କମ୍ପାନୀ ଦ୍ଵାରା ପ୍ରସ୍ତୁତ "ଆଖିରେ ଆଖରେ ପ୍ରେମ ହୋଇଗଲା" "ଆୱାରା" ,ସିଲ୍କ ମ୍ୟୁଜିକ୍ ଦ୍ଵାରା ପ୍ରସ୍ତୁତ "ରାମ ବୋଲ ଶ୍ୟାମ ବୋଲ" ବେଶ ଜନାଦୃତୀ ଲାଭ କରିଛି।ନିକଟରେ ରଥ ଯାତ୍ରା ଉପଲକ୍ଷେ ପ୍ରସ୍ତୁତ ଭଜନ "କାଳିଆ ସାଆନ୍ତେ ହୋ ତତେ ଜୁହାର","ହେ ହେ ପଣ୍ଡା ଭାଇନା ମତେ ଧକ୍କା ଦିଅନା" ଭଜନ ଗୁଡ଼ିକ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହୋଉଛି।
ପ୍ରତିଟି ଟିଭି ଚ୍ୟାନେଲକୁ ସେ ଦେଇଥିବା ସାକ୍ଷାତ କାରକୁ ଅନୁଶୀଳନ କଲେ ତାଙ୍କର ଗାଇବା ପ୍ରତି ଥିବା ନିଷ୍ଠା,ପ୍ରଚେଷ୍ଟା, ସମର୍ପଣ ଭାବ ଏବଂ ବିନୟୀ ଭାବ ରହିଥିବାର ସୂଚନା ମିଳେ।