ବିଜୁ ବାବୁଙ୍କ ପ୍ରତି ନିଶିକାନ୍ତ ଦୁବେ ଦେଇଥିବା ମନ୍ତବ୍ୟକୁ ନିନ୍ଦା କଲେ ପୂର୍ବତନ ମନ୍ତ୍ରୀ ଡ.ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ

ବିଜୁ ବାବୁଙ୍କ ପ୍ରତି ନିଶିକାନ୍ତ ଦୁବେ ଦେଇଥିବା ମନ୍ତବ୍ୟକୁ ନିନ୍ଦା କଲେ ପୂର୍ବତନ ମନ୍ତ୍ରୀ ଡ.ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ

ଭୁବନେଶ୍ଵର,୩୦/: କଳିଙ୍ଗର ବରପୁତ୍ର, ଖାରବେଳଙ୍କ ସୁଯୋଗ୍ୟ ଦାୟାଦ, ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଅଦ୍ଵିତୀୟ ପ୍ରବାଦ ପୁରୁଷ, ବିଜୁ ବାବୁଙ୍କ ପ୍ରତି ଝାଡଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ଅସମ୍ମାନ ଏବଂ ଅସୂୟା ସୂଚକ ମନ୍ତବ୍ୟକୁ ପୂର୍ବତନ ମନ୍ତ୍ରୀ ତଥା କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଡ.ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଘୋର ନିନ୍ଦା କରିବା ସହିତ ଏହା ଅତ୍ୟନ୍ତ ଦୁଃଖ ଦାୟକ, ନିନ୍ଦନୀୟ ଏବଂ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି । ଓଡିଆ ଅସ୍ମିତା ପାଇଁ ସଦା ସମର୍ପିତ ବିଜୁ ବାବୁଙ୍କ ପ୍ରତି ହୋଇଥିବା ଅପମାନ ଓଡିଶା ବାସୀଙ୍କ ମନରେ ଗଭୀର ଆଘାତ ଦେଇଛି ।

ବିଜୁ ବାବୁ ଭାରତର ସ୍ଵାଧୀନତା ସଂଗ୍ରାମରୁ ଆରମ୍ଭ କରି ଋଷ ଏବଂ ଇଣ୍ଡୋନେସିଆର ସଂଗ୍ରାମରେ ସହଯୋଗ କରି ଦେଶ ବିଦେଶରେ ଅନେକ ଯଶ, କୀର୍ତ୍ତି ଏବଂ ସମ୍ମାନ ଲାଭକରିଥିଲେ । କାଶ୍ମୀରକୁ ପାକିସ୍ତାନ ସେନା କବଳରୁ ରକ୍ଷା କରିବା, ୧୯୬୨ ମସିହାର ଭାରତ-ଚୀନ ଯୁଦ୍ଧ ଏବଂ ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସବୁ ସମୟରେ ସେ ଦେଶର ସୁରକ୍ଷା ପାଇଁ ଆଗେଇ ଆସିଥିଲେ । ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ବିଶ୍ଵ ପ୍ରସିଦ୍ଧ ୟୁନେସ୍କୋ କଳିଙ୍ଗ ପୁରସ୍କାରର ପ୍ରତିଷ୍ଠାତା ବିଜୁବାବୁ କେବଳ ଓଡିଶା ନୁହେଁ ସମଗ୍ର ଦେଶରେ ଜଣେ ଅନନ୍ୟ ଜନ ନାୟକ ଥିଲେ ।

ବିଜୁ ବାବୁଙ୍କ ଭଳି ଜଣେ ଦେଶପ୍ରେମୀ ମହାନାୟକଙ୍କ ସ୍ଵର୍ଣ୍ଣିମ ଇତିହାସ ବିଷୟରେ ନଜାଣି ନଶୁଣି ନିନ୍ଦନୀୟ ଏବଂ ଅପାମନ ସୂଚକ ମନ୍ତବ୍ୟ ଦେଇଥିବା ଶ୍ରୀ ଦୁବେ ଓଡିଶାବାସୀ ତଥା ଦେଶବାସୀଙ୍କ ନିକଟରେ ନିଃସର୍ତ କ୍ଷମାପ୍ରାର୍ଥନା କରିବା ସହିତ ବିଜୁ ବାବୁଙ୍କ ପ୍ରତି ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଏକ ପ୍ରେସ ବିବୃତିରେ ଡଃ.ଘଡାଇ ପ୍ରକାଶ କରିଛନ୍ତି ।