ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର,୩୦/୩ : ପଶ୍ଚିମ ଏସିଆ ଯୁଦ୍ଧ ସଂକଟ ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସମ୍ପର୍କରେ ଜିଲ୍ଳାପାଳମାନଙ୍କ ସହିତ ଆଭାସୀ ମାଧ୍ୟମରେ ଆଲୋଚନା କରି ଜିଲ୍ଲାସ୍ତରୀୟ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍କୁ ୨୪ଘଣ୍ଟିଆ ଆକ୍ସନ୍ ମୋଡ୍ରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ଜିଲ୍ଲାସ୍ତରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିବା ସହିତ କଳାବଜାରୀ, ବେଆଇନ ମହଜୁଦକାରୀ ଦରଦାମ୍ ବୃଦ୍ଧି ପ୍ରତି ଜିଲ୍ଲାପାଳମାନେ ନିୟମିତ ଭାବେ ବିଭିନ୍ନ ମାର୍କେଟର ସ୍ଥିତି ଅନୁଧ୍ୟାନ କରି ଅସାଧୁ ବେପାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଗତ ୨୭ମାର୍ଚ୍ଚର ବୈଠକରେ ପ୍ରଧାନମନ୍ତ୍ରୀ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସମସ୍ତଙ୍କୁ ଟିମ୍ ଇଣ୍ଡିଆ ସ୍ପିରିଟ୍ରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପରିସ୍ଥିତିରେ ସମସ୍ତେ ଗୋଟିଏ ଟିମ୍ ମନୋଭାବ ନେଇ କୋ-ଅର୍ଡିନେଟେଡ୍ ମ୍ୟାନରରେ କାମ କରିବା ଅତ୍ୟନ୍ତ ଜରୁରୀ । ଗୁଜବ ସୃଷ୍ଟି କରି ଭୟର ବାତାବରଣ ସୃଷ୍ଟି କରୁଥିବା ଲୋକମାନଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଶେଷ କରି ସୋସିଆଲ ମିଡିଆ ଉପରେ ସ୍ୱତନ୍ତ୍ର ଧ୍ୟାନ ରଖିବା ପାଇଁ ସେ କହିଥିଲେ । ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କ୍ରାଇସିସ୍ ମ୍ୟାନେଜ୍ମେଣ୍ଟ ଗ୍ରୁପ୍ ଗଠନ କରାଯାଇଛି, ଉପଯୁକ୍ତ ସମନ୍ୱୟ ରଖି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ନିୟମିତ ଭାବେ ଉପଲବ୍ଧ ହେବ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
ଜିଲ୍ଲାରେ ପେଟ୍ରୋଲ, ଡିଜେଲ, ଗ୍ୟାସ୍, ସାର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଉପଲବ୍ଧତା ସମ୍ପର୍କରେ ନିୟମିତ ମନିଟରିଂ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଜନସାଧାରଣ ଭୟଭୀତ ନ ହେବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନା ରଖିଥିଲେ । ଜିଲ୍ଲାପାଳମାନେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ ସିଂହ, ଗୃହ ଏବଂ ସୂଚନା ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ଶ୍ରମ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ୍, ଏବଂ ବିଭିନ୍ନ ବିଭାଗର ଶାସନ ସଚିବମାନେ ଉପସ୍ଥିତ ଥିଲେ ।

Editor 


