ଓଡ଼ିଶା ବଜେଟ୍ ୨୦୨୬-୨୭ : ‘ସୁଭଦ୍ରା ଯୋଜନା’ ପାଇଁ ୧୦ହଜାର କୋଟି ଟଙ୍କାର ବ୍ୟୟ ବରାଦ

ଓଡ଼ିଶା ବଜେଟ୍ ୨୦୨୬-୨୭ : ‘ସୁଭଦ୍ରା ଯୋଜନା’ ପାଇଁ ୧୦ହଜାର କୋଟି ଟଙ୍କାର ବ୍ୟୟ ବରାଦ

ଭୁବନେଶ୍ୱର,୨୦/୨ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରାଯାଇଛି । ଗତ ବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ବଜେଟ-୨୦୨୬-୨୭ରେ ନାରୀ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନାକୁ ସ୍ୱତନ୍ତ୍ର ଫୋକସ୍ ଦିଆ ଯାଇଛି। ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦ ହଜାର ୧୪୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏଥିରେ ପ୍ରାୟ ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ। ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହାସହ ବଜେଟ ଉପସ୍ଥାପନ ବେଳେ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ଯୋଜନାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆର୍ଥିକ ଦୁର୍ବଳ ଝିଅଙ୍କୁ ସ୍ନାତକ ପର୍ଯ୍ୟନ୍ତ ପଢ଼ାଇବାକୁ ଯୋଜନା କାର୍ଯ୍ୟ କରିବ। ଗରିବ ଝିଅଙ୍କ ନାଁରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ ସୃଷ୍ଟି ହେବ। ସ୍ନାତକ ସମାପ୍ତ ପରେ ସେମାନଙ୍କୁ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ।

ଏହାସହ ମାଗଣା ଓ ସୁନିଶ୍ଚିତ ସ୍ୱାସ୍ଥ୍ୟ ସେବା , ମାନବ ସମ୍ୱଳର ସୁଦୃଢୀକରଣ , ଅତ୍ୟାଧୁନିକ ଜନସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ , ସେବା ଯୋଗାଣର ସମ୍ପ୍ରସାରଣ , ଚିକିତ୍ସା ବୈଷୟିକ ଜ୍ଞାନକୌଶଳର ବ୍ୟବହାର , ଘରୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ବିନିଯୋଗ, ଆୟୁଷ ବ୍ୟବସ୍ଥାକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ବହୁବିଧ ଦକ୍ଷତା ସମ୍ପନ୍ନ କରିବା ଉପରେ ଓଡ଼ିଶା ସରକାର ଗୁରୁତ୍ୱ ଦେଉଥିବା କଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଆଗତ ବେଳେ କହିଛନ୍ତି। ଏଥିପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ଗୁରୁତ୍ୱ ଦିଆଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ୨୩,୧୮୨ କୋଟିଟଙ୍କାର ଏକ ବିପୁଳ ବ୍ୟୟ ବରାଦ ପ୍ରସ୍ତାବ ରଖିଛନ୍ତି ,ଯେଉଁଥିରେ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୭ ହଜାର ୭ ଶହ ୩୭ କୋଟି ଟଙ୍କା ସାମିଲ ଅଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତାବିତ ଏହି ବ୍ୟୟ ମୋଟ ବଜେଟ୍ ଆକାରର ୭.୫ ପ୍ରତିଶତରୁ ଅଧିକ। ଯାହା ଆମର ପ୍ରତିବଦ୍ଧତା , ଅଭିପ୍ରାୟ ଓ କାର୍ଯ୍ୟଧାରାକୁ ପ୍ରତିଫଳିତ କରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।