ସନ୍ଦେହଜନକ ବ୍ୟକ୍ତିଙ୍କୁ ଦେଖିଲେ ପୋଲିସକୁ ସୂଚନା ଦିଅନ୍ତୁ : ଏସପି ବରୁଣ ଗୁଣ୍ଟୁପଲ୍ଲୀ
ବାରିପଦା,୨୪/୨ : ବର୍ତ୍ତମାନ ପରିସ୍ଥିତିରେ ମୟୂରଭଞ୍ଜ ଜିଲ୍ଲାରେ ପିଲା ଚୋରି ଗୁଜବକୁ ନେଇ ସବୁଆଡେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବାର ଲାଗିଛି। ଏହାକୁ ରୋକ୍ ଲଗାଇବାକୁ ଏସ୍ପି ବରୁଣ ଗୁଣ୍ଟୁପଲ୍ଲୀ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ପରିସ୍ଥିତିର ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଯେ, ଏହିପରି ଗୁଜବ ଯୋଗୁଁ ବିଭିନ୍ନ ସ୍ଥାନରେ ଅନେକ ସାଧାରଣ ବ୍ୟକ୍ତିମାନଙ୍କୁ ମାରପିଟ୍ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି।
ଏସ୍ପିଙ୍କ କହିବା ଅନୁସାରେ, ଗତକାଲି ମୋରାଡା ଥାନା ଅନ୍ତର୍ଗତ ଡେଙ୍ଗାସଲ ଲୋଧା ସାହିରେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କୁ ମାରପିଟ୍ କରାଯାଇଥିଲା । ଏହାପରେ ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୧୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେହିପରି ବାରିପଦା ସଦର ଥାନା ଅନ୍ତର୍ଗତ ଅମ୍ବାସିକଡା ଗାଁରେ ଗତକାଲି ରାତିରେ ଏହିପରି ଛୁଆ ଚୋରି ଘଟଣାରେ ଗଣ୍ଡଗୋଳ କରିଥିବା ୧୬ଜଣ ସ୍ଥାନୀୟ ବାସୀନ୍ଦାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେହିପରି କୁଳିଅଣା ଥାନା ଅଂଚଳରେ ମଧ୍ୟ ପିଲା ଚୋରି ନେଇ ଲୋକଙ୍କୁ ଏହା ବ୍ୟତୀତ ଜିଲ୍ଲାର ଏକାଧିକ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଥିବା ସେ ସୂଚନା ମିଳିଛି।
ତେବେ ଏହିସବୁ ଘଟଣାକୁ ରୋକ୍ ଲଗାଇବା ପାଇଁ ଆଜି ସାମ୍ୱାଦିକ ସମ୍ମିଳନୀରେ ଗଣମାଧ୍ୟମ ଜରିଆରେ ଏସ୍ପି ଗୁଣ୍ଟୁପଲ୍ଲୀ ଲୋକମାନଙ୍କୁ ଅପିଲ୍ କରିଛନ୍ତି ଯେ, ଏହିପରି ଗୁଜବ ପ୍ରଚାର ନକରିବାକୁ ଏବଂ କୌଣସି ସନ୍ଦେହଜନକ ବ୍ୟକ୍ତିଙ୍କୁ ଦେଖିଲେ ସ୍ଥାନୀୟ ପୋଲିସ୍କୁ ତୁରନ୍ତ ସୂଚନା ଦେବାକୁ । ଆଇନ୍କୁ ନିଜ ହାତରେ ନନେବାକୁ ସେ ଅପିଲ କରିଛନ୍ତି। ଏହା ସହ ଜିଲ୍ଲାର ସମସ୍ତ ଥାନାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସବୁ ସରପଞ୍ଚ ଏବଂ ଲୋକ ପ୍ରତିନିଧିମାନଙ୍କୁ ଏ ବାବଦରେ ସଚେତନ କରିବାକୁ । ଏହି ସଚେତନତା ଅଭିଯାନ ଜରିଆରେ ଗୁଜବକୁ କିପରି ରୋକ୍ ଲଗାଯାଇପାରିବ ଏବଂ କିଭଳି ଶାନ୍ତି ରକ୍ଷା କରାଯିବ ସେ ନେଇ ଏସ୍ପି ନିଜ ପ୍ରତିକ୍ରିୟାରେ କହିଛନ୍ତି।

Editor 


