ଦୁଷ୍କର୍ମ ଅଭିଯୋଗରେ ୩ ଜଣ ଗିରଫ

ଦୁଷ୍କର୍ମ ଅଭିଯୋଗରେ ୩ ଜଣ ଗିରଫ

ରାଉରକେଲା, ୨୦/୧୨ : ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଉଦିତନଗର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ମଧ୍ୟରେ ୨ ଜଣ ବିଶ୍ରା ଅଞ୍ଚଳର ଥିବାବେଳେ ଅନ୍ୟ ଜଣେ ରାଉରକେଲାର। ଉଦ୍ଧାର ହୋଇଥିବା ନାବାଳିକାକୁ ପୋଲିସ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ଉଦିତନଗର ପୋଲିସ୍ ଘଟଣାର ତଦନ୍ତ କରୁଛି। 

ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଉଦିତନଗର ଥାନା ଅଞ୍ଚଳର ଜଣେ ନାବାଳିକା, ଘରେ ଝଗଡା କରି ଘରୁ ପଳାଇ ଆସିଥିଲା। ବସ୍ ଷ୍ଟାଣ୍ଡ ଏରିଆରେ ଏକାକୀ ବୁଲୁଥିବା ବେଳେ ୩ ଜଣ ଯୁବକ ଉକ୍ତ ନାବାଳିକାକୁ ଫୁସୁଲାଇ ବିଶ୍ରା ନେଇ ଯାଇଥିଲେ। ସେଠାରେ ଦୁଇ ଦିନ ଗୋଟିଏ ଘରେ ଝିଅକୁ ରଖି ଧମକାଇ ଦୁଷ୍କର୍ମ କରିଥିଲେ। ଦୁଇ ଦିନ ରଖିବା ପରେ ଆଜି ସକାଳେ ଉକ୍ତ ଯୁବକମାନେ ନାବାଳିକାକୁ ଆଣି ବସଷ୍ଟାଣ୍ଡ ପାଖରେ ଛାଡି ଦେଇଥିଲେ। ଅସହାୟ ଭାବେ ନାବାଳିକା ଜଣକ ବୁଲୁଥିବା ବେଳେ ସେଠାରେ କାର୍ଯ୍ୟରତ ଥିବା ପୋଲିସର ସନ୍ଦେହ ହୋଇଥିଲା। ଉକ୍ତ ନାବାଳିକାକୁ ପଚରା ଉଚୁରା ପରେ ଗଣ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା। 

ଉକ୍ତ ଝିଅକୁ ପୋଲିସ ଉଦିତନଗର ଥାନା ଅଞ୍ଚଳରେ ରହୁ ଥିବା ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ଏ ବାବଦରେ ଉଦିତନଗର ଥାନାରେ ପୋଲିସ୍ ଏକ ମାମଲା ରଜ୍ଜୁ କରି ତଦନ୍ତ ଚଳାଇଛି। ୩ ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରାଯାଇଛି। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।