ଆଉଟରିଚ୍ ଏବଂ ଓସଡମା ପକ୍ଷରୁ ରେଡ଼ିଓ ପ୍ରସାରକମାନଙ୍କ ପାଇଁ ଦୁଇ ଦିନିଆ କର୍ମଶାଳା

ଆଉଟରିଚ୍ ଏବଂ ଓସଡମା ପକ୍ଷରୁ ରେଡ଼ିଓ ପ୍ରସାରକମାନଙ୍କ ପାଇଁ ଦୁଇ ଦିନିଆ କର୍ମଶାଳା

ଭୁବନେଶ୍ବର,୧୩/୨ : ଆଉଟରିଚ ତରଫରୁ ଉପକୂଳ ବର୍ତ୍ତୀ ରେଡିଓ ଷ୍ଟେସନ ଗୁଡ଼ିକର ରେଡ଼ିଓ ପ୍ରସାରକମାନଙ୍କ ପାଇଁ ୨ଦିନିଆ କର୍ମଶାଳା ଶୁକ୍ରବାର ଭୁବନେଶ୍ୱରସ୍ଥିତ ଏକାମ୍ର ହାଟ ପରିସରରେ ଥିବା ସଭାଗୃହରେ ଉଦଘାଟିତ ହୋଇଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲାର ରେଡ଼ିଓ ଷ୍ଟେସନମାନେ ପ୍ରତି ବର୍ଷ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜରୁରୀକାଳିନ ପ୍ରସାରଣ କରିଥାନ୍ତି । ତେଣୁ ସେମାନଙ୍କର ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହେଉଛି ।

ଏଥିରେ ରାଜ୍ୟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାର ରେଡ଼ିଓ ଷ୍ଟେସନରେ କାମ କରୁଥିବା ୨୫ରୁ ଊର୍ଦ୍ଧ୍ବ ରେଡ଼ିଓ ପ୍ରସାରକ ସାମିଲ ହୋଇଛନ୍ତି । ଆଜି ଏହାର ଉଦଘାଟନୀ ଉତ୍ସବରେ ଆଉଟରିଚ ମୁଖ୍ୟ ସୁବ୍ରତ କୁମାର ପତି ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ରେଡିଓ ପ୍ରସାରକ ତଥା ନ୍ୟାସନାଲ ଏକାଡେମୀ ଅଫ ମଲ୍ଟିମିଡ଼ିଆର ଅବସରପ୍ରାପ୍ତ କାର୍ଯ୍ୟକ୍ରମ ନିଷ୍ପାଦକ ଅଶୋକ ପାଣିଗ୍ରାହୀଙ୍କ ସଂଯୋଜନାରେ ୨ଦିନ ଧରି ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହେଉଛି । ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀ ମେଘନାଥ ବେହେରା ଯୋଗଦେଇ ଓଡ଼ିଶା ପ୍ରତି ବର୍ଷ ସାମ୍ନା କରୁଥିବା ବିଭିନ୍ନ ପ୍ରକାର ବିପର୍ଯ୍ୟୟ ସମ୍ପର୍କରେ ଆଲୋଚନା କରିଥିଲେ ।

ଅଶୋକ ପାଣିଗ୍ରାହୀ ରେଡ଼ିଓ ଷ୍ଟେସନ ଗୁଡ଼ିକ କିପରି ଅଧିକ ଦାୟିତ୍ୱ ସମ୍ପନ୍ନ ଭାବେ କାର୍ଯ୍ୟ କରିବେ ସେ ସମ୍ପର୍କରେ ଅଂଶ ଗ୍ରହଣକାରିଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ସମ୍ପର୍କରେ ଆୟୋଜକ ସଂସ୍ଥା ଆଉଟରିଚର ମୁଖ୍ୟ ଶ୍ରୀ ପତି କହିଛନ୍ତି ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ତ୍ରୁଣ ମୂଳ ସ୍ତରରେ କାର୍ଯ୍ୟ କରୁଥିବା ରେଡ଼ିଓ ପ୍ରସାରକ ମଧ୍ୟରେ ଏହି କର୍ମଶାଳାଟି ସେତୁଭଳି କାର୍ଯ୍ୟ କରିବ । ଆଗାମୀ ସମୟରେ ରେଡ଼ିଓ ପ୍ରସାରକମାନଙ୍କୁ ଦକ୍ଷ କରିବାରେ ଏହା ସହାୟକ ହେବ । ଶନିବାର ଏହି କାର୍ଯ୍ୟକ୍ରମର ୨ୟ ଦିବସରେ ଓଡିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀ ଜୟଜଗତ ସାହୁ ଏବଂ କୋଣାର୍କସ୍ଥିତ ରେଡିଓ ନମସ୍କାରର ପ୍ରତିଷ୍ଠାତା ଏନ ଏ ଶାହା ଅନସାରୀ ଯୋଗଦେଇ ପ୍ରଶିକ୍ଷଣ ଦେବେ।