୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ବର,୨/୭ : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ ଆଗକୁ ଆସୁଛି ଆଉ ଏକ ଲଘୁଚାପ । ଜୁଲାଇ ୪ ରୁ ୬ ତାରିଖ ମଧ୍ୟରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଥିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଏପଟେ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଏନେଇ ସୂଚନା ରହିଛି । ଲଘୁଚାପ ଏବେ ଝାଡ଼ଖଣ୍ଡ ଦେଇ ଗତି କରୁଛି । ଯାହାର ପ୍ରଭାବରେ ଝାଡ଼ଖଣ୍ଡରେ ବର୍ଷା ଲାଗି ରହିଛି ।

ଜୁଲାଇ ୬ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହିତ ମହାନଦୀ ଉପର ମୁଣ୍ଡରେ ବର୍ଷା ଅଧିକ ହେବ ବୋଲି ସୂଚନା ରହିଛି ।ଏବେ ଜାରି ରହିଥିବା ଲଘୁଚାପ ବର୍ଷାର ପ୍ରଭାବ ଆସନ୍ତା ୪ ତାରିଖ ଯାଏଁ ଦେଖିବାକୁ ମିଳିପାରେ । ଉତ୍ତର ପଶ୍ଚିମରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଉପକୂଳ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଚି ଲଘୁଚାପ। କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨ ଦିନ ଉତ୍ତର ଓଡ଼ିଶା, ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଗତି କରିବ । ସେପଟେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟରେ ପ୍ରବଳରୁ ପ୍ରବଳ ବର୍ଷା ନେଇ ଅରେଞ୍ଜ୍ ଆଲର୍ଟ ଜାରି ହୋଇଛି । ଉତ୍ତର ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ତେବେ ଏସବୁ ଅଞ୍ଚଳରେ ସତର୍କ ରହିବାକୁ ଆଲର୍ଟ ଜାରି କରାଯାଇଛି ।