ତୃଣମୂଳସ୍ତରରୁ ପ୍ରତିଭାଙ୍କୁ ଚିହ୍ନଟ କରିବା ପାଇଁ ଆମ ସରକାର ଚେଷ୍ଟିତ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩/୧୧ : କେନ୍ଦୁଝରର ରାଇକଳାଠାରେ ଆୟୋଜିତ ୭ମ ସର୍ବଭାରତୀୟ ମିନି କଳିଙ୍ଗ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ "ଅନୁରାଗ FC, ଶୁଆକାଟୀ" ଦଳକୁ ପୁରସ୍କୃତ କରିବା ସହିତ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ ଯେ, ୭ମ ସର୍ବଭାରତୀୟ ମିନି କଳିଙ୍ଗ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତ ୧୨ତାରିଖଠାରୁ ରାଇଜିଂ ଷ୍ଟାର, ରାଇକଳା ଦ୍ୱାରା ଆୟୋଜିତ ହୋଇଥିଲା ଏବଂ ଏହାର ଫାଇନାଲ ମ୍ୟାଚ ଆଜି ଅନୁରାଗ FC, ଶୁଆକାଟୀ ଏବଂ ରିଷି ଫାଇଟର, ଝୁମ୍ପୁରା ମଧ୍ୟରେ ହୋଇଥିଲା। ରନର୍ସ ଅପ ରିଷି ଫାଇଟର, ଝୁମ୍ପୁରାକୁ ୧. ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ଯ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳିଙ୍ଗ କପ ହେଉଛି ଶ୍ରମ, ସଂଘର୍ଷ, ଏବଂ ଦଳୀୟ ଆତ୍ମାର ସମ୍ମିଳିତ ଫଳ। ଏହା ଆମକୁ ଶିଖାଏ—ଖେଳ କେବଳ ଶାରୀରିକ କ୍ରିୟାନୁଷ୍ଠାନ ନୁହେଁ, ବରଂ ଏକ ଜୀବନ ଶୈଳୀ, ଏକ ମନୋଭାବ।ଦଳୀୟ ଆତ୍ମା, ସମୟନୁଷ୍ଠାନ, ଶିଷ୍ଟାଚାର ଓ ସମ୍ମାନ—ଏହି ସବୁ ହେଉଛି ଏହି ପ୍ରତିଯୋଗିତାର ପ୍ରକୃତ ଲକ୍ଷ୍ୟ। କ୍ରୀଡ଼ା କ୍ଷେତ୍ରରେ ଆମର ନିରନ୍ତର ପ୍ରୋତ୍ସାହନ ପାଇଁ ଆଜି ଓଡ଼ିଶା ଭାରତର କ୍ରୀଡ଼ା ରାଜଧାନୀ ଭାବେ ପରିଚିତ। ଓଡ଼ିଶା ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡା କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଛି । ବିଗତ ଦିନରେ ଓଡିଶା ଦ୍ବାରା ଓଡ଼ିଶା ଇଣ୍ଡିଆନ୍ ସୁପର ଲିଗ୍, କଳିଙ୍ଗ ସୁପର କପ୍, BWF ଓଡ଼ିଶା ମାଷ୍ଟର୍ସ (ବ୍ୟାଡମିଣ୍ଟନ୍), FIH ହକି ପ୍ରୋ ଲିଗ୍ ଆଦି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟ ସଫଳତାର ସହିତ ଆୟୋଜନ ହୋଇଛି; ଭାରତରେ କ୍ରୀଡା ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ଓଡିଶାର ମର୍ଯ୍ୟାଦା ଅଧିକ ସୁଦୃଢ଼ ହୋଇଛି । ଗୋଷ୍ଠୀସ୍ତରୀୟ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଏବଂ ତୃଣମୂଳସ୍ତରରୁ ପ୍ରତିଭାଙ୍କୁ ଚିହ୍ନଟ କରିବା ପାଇଁ ଏକ ପରିବର୍ତ୍ତନମୂଳକ ପଦକ୍ଷେପ ଭାବରେ ସି.ଏମ୍. ଟ୍ରଫି ଶୁଭାରମ୍ଭ କରାଯାଇଛି । ଗ୍ରାମୀଣ ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଶ୍ବସ୍ତରୀୟ ସ୍ବୀକୃତି ଆଣିଦେବା ହେବ ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ ଆହୁରି କହିଥିଲେ ଯେ, ଆମ ନୂଆ ସରକାର ଆସିବା ପରେ ରାଜ୍ୟରେ ଆମେ କ୍ରୀଡ଼ାକୁ ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବା ପାଇଁ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରୁଛୁ । ଆମ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଭଲିବଲ, କ୍ରିକେଟ, ଫୁଟବଲ ଓ ଆଥଲେଟିକ୍ସ ସମେତ ବିଭିନ୍ନ କ୍ରୀଡ଼ା ପାଇଁ ଅତ୍ଯାଧୁନିକ ସୁବିଧା ରହିବ । ଏହାବ୍ୟତୀତ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଏବଂଅନ୍ୟାନ୍ୟ ଇଣ୍ଡୋର କ୍ରୀଡା ପାଇଁ ଏକ ଇଣ୍ଡୋର ହଲ ରହିବ। ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ନିମନ୍ତେ ଆଗାମୀ ୫ ବର୍ଷରେ ୩୧୪ ଟି ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ୪ ହଜାର ୧୨୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୨୦୨୫-୨୬ ରେ ବ୍ଳକସ୍ତରୀୟ ଷ୍ଟାଡିୟମର ବିକାଶ ପାଇଁ ୮୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ ସ୍ପୋର୍ଟସ ହବ୍ ଭାବେ ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡ଼ା. ଫକୀର ମୋହନ ନାଏକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ ଆୟୋଜକ ରାଇଜିଂ ଷ୍ଟାର କ୍ଳବର ଚେୟାରମ୍ୟାନ ଗଣେଶ୍ୱର ମହାନ୍ତ, ସଭାପତି ଶ୍ରୀକାନ୍ତ ନାଏକ, ସାଧାରଣ ସମ୍ପାଦକ ଗୋପାଳ ବାରିକ, ଉପସଭାପତି ରାମଚନ୍ଦ୍ର ମହାନ୍ତ, ହୃଷିକେଶ ମହାନ୍ତ, ବୀରେନ୍ଦ୍ର ମହାନ୍ତ, ସମ୍ପାଦକ ତରଣୀସେନ ମହାନ୍ତ, ଲୋଚନ ମହାନ୍ତ, ମହମ୍ମଦ ମଝାର ହୁସେନ ଓ ବଳଭଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Editor 


