ଲlଠିକଟା ନୂଆଗାଁ ମାଈହାତୀ ମୃତ୍ୟୁ ମାମଲାରେ ଜଣେ ଗିରଫ, ୧ ଫେରାର

ରାଉରକେଲା,୧୨/୯ : ରାଉରକେଲା ବନଖଣ୍ଡ ଅଧନସ୍ତ ଲାଠିକଟା ବ୍ଲକ ବଲାଣି ପଂଚାୟତ ନୂଆଗାଁ ଗ୍ରାମର ଏକ ଧାନ କ୍ଷେତରେ ଗତ ୧୦ତାରିଖ ସକାଳ ୪ଟା ୩୦ରେ ଘଟିଯାଇଥିଲା ଏକ ଅଭାବନୀୟ ଘଟଣା । ଏକ ୧୫ବର୍ଷିୟ ମାଈ ହାତୀ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା । ବନ ବିଭାଗ ସୂଚନାକ୍ରମରେ ଉକ୍ତ ଦିନ ପ୍ରାୟ ୭୯ଟି ହାତୀପଲ ଗ୍ରାମୀଣ ଜମିକ୍ଷେତ୍ର ମୁହାଁ ଖାଦ୍ୟ ଅନ୍ୱେଷଣ ପାଇଁ ହୋଇଥିଲେ । ତନ୍ମଧ୍ୟରୁ ୨୮ଟି ହାତୀପଲ ନୂଆଗାଁ ଗ୍ରାମ ଧାନକ୍ଷେତ ମୁହାଁ ହୋଇଥିଲେ । ଏହି ୨୮ଟି ହାତୀପଲ ମଧ୍ୟରେ ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁ ଲାଭ କରିଥିବା ୧୫ବର୍ଷିୟ ମାଈହାତୀ ରହିଥିଲା। ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିବା ଜାଣିବା ପରେ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଅବଗତ ପାଇବା କ୍ଷଣି ଘଟଣାସ୍ଥଳରେ ପହଞ୍ଚି ଅଭାବନୀୟ ମାଈ ହାତୀ ମୃତ୍ୟ ଜନିତ କାରଣର ଖୋଳତାଡ଼ କରିବା ଆରମ୍ଭ କରିଥିଲେ ।
ଅଧିକାରୀଙ୍କ ପ୍ରାଥମିକ ତଦନ୍ତରୁ ମାଈ ହାତୀ ବିଦ୍ୟୁତ ସଂସ୍ପର୍ଶରେ ଆସିବା ହେତୁ ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ ଭାବେ ଜଣା ପଡ଼ିଥିଲା । ଏହାପରେ ଏସଡିଭିଓ, ପାନପୋଷ ତଥା ବିଭିଓ ଲାଠିକଟାଙ୍କ ନିକଟକୁ ମୃତ ମାଈହାତୀର ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଗଲା ପରେ ବିଭାଗ ପକ୍ଷରୁ ପୁନଃ ଘଟଣାର ଆମୁଳଚୁଳ ତଦନ୍ତ ହେଲା । ବର୍ତ୍ତମାନ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ହୋଇଥିବା ତଦନ୍ତରୁ ଏବଂ ବନବିଭାଗ କହିବା ଅନୁସାରେ ଯେଉଁ ଜମି କ୍ଷେତ୍ର ଦେଇ ମୃତ ମାଈ ହାତୀ ଖାଦ୍ୟ ଅନ୍ଵେଷଣ ପାଇଁ ଯାଉଥିଲା । ଉକ୍ତ ଜମିକ୍ଷେତ୍ରକୁ ଲାଗି ଜନୈକ ବ୍ୟକ୍ତି ଏକ ଇଟାଭାଟି ସ୍ଥାପନ କରିଥିଲେ । ଉକ୍ତ ଇଟାଭାଟିର ମାଲିକ ହେଉଛନ୍ତି ରାଉରକେଲାର ଇମତିଆଜ ଆଜମ(୪୫) ଓ ଇଟାଭାଟି ଦେଖ ରେଖ ପାଇଁ ସେ ଜଣେ ମୁନସିକୁ ରଖିଥିଲେ ।
ଉକ୍ତ ମୁନସି ଜଣକ ହେଉଛନ୍ତି ଲାଠିକଟା ଅଂଚଳର ଚନ୍ଦ୍ରମଣୀ ରଣା । ଉଭୟ ମାଲିକ ଓ ମୁନସୀ ଅବୈଧ ଭାବେ ଇଟାଭାଟି ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରୁ ବିଦ୍ୟୁତ ତାର ଟାଣି ନିଜ ଇଟାଭାଟିକୁ ବିଦ୍ୟୁତ ସଂଯୋଗ କରିଥିଲେ । ଲମ୍ବିଥିବା ତାରର ବିଭିନ୍ନ ଅଂଶ ଛିଣ୍ଡି ଯାଇଥିବାବେଳେ ଭକ୍ତ ଛିଣ୍ଡିତ ବିଦ୍ୟୁତ ସରବରାହ ତାର ସଂସ୍ପର୍ଶରେ ଆସି ମାଈହାତୀର ମୃତ୍ୟୁ ଘଟିଥିଲା । ତେବେ ଏଭଳି ଅବୈଧ ବିଦ୍ୟୁତ ଚୋରୀ ଓ ଅବହେଳିତ କାର୍ଯ୍ୟ କଳାପ ପାଇଁ ଇଟାଭାଟି ମୁନସୀ ଚନ୍ଦ୍ରମଣୀ ରଣାଙ୍କୁ ଗିରଫ କରାଯାଇଥିବାବେଳେ ଇଟା ଭାଟି ମାଲିକ ଫେରାର ରହିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ନେଇ ବନ ବିଭାଗ ପକ୍ଷରୁ ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ ୧୯୭୨ର ଧାରା ୯ ଓ ୩୯ ଅନୁଯାୟୀ କେସ ନମ୍ବର ଓଆର-୧୧୬ରେ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତକୁ ଗୁରୁବାର ଜେଲ ହାଜତକୁ ପଠାଯାଇଥିବାବେଳେ ଫେରାର ଇଟାଭାଟି ମାଲିକଙ୍କ ଟେର ଲଗାଉଛି ବନବିଭାଗ।
ଅନ୍ୟପଟେ ଏଭଳି ଏକ ଅଭାବନୀୟ ଘଟଣାର ବିଭିନ୍ନ କାରଣ ଖୋଜିବା ପାଇଁ ଅନ୍ୟ ସବୁ ଦିଗ ଉପରେ ବିଭାଗର ତଦନ୍ତ ଜାରୀ ରହିଛି ବୋଲି ରାଉରଜେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଗୁରୁବାର ଖବରଦାତାମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି । ତେବେ ପ୍ରକାଶ ଯେ, ରାଉରକେଲା ସହକାରୀ ବନ ସଂରକ୍ଷକ ସୌମ୍ୟ ରଞ୍ଜନ ଗୋଛାୟତ ଏହି ଅଭାବନୀୟ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ତଦନ୍ତ ଅଧିକାରୀ ଭାବେ ନିଯୁକ୍ତ ଅଛନ୍ତି । ତେବେ ଏ ପର୍ଯ୍ୟନ୍ତ ଚାଲିଥିବା ବନ ବିଭାଗର ତଦନ୍ତ ପ୍ରକ୍ରିୟାରେ ପାନପୋଷ ବନାଞ୍ଚଳ ଅଧିକାରୀ ଜ୍ଞାନେନ୍ଦ୍ର ଲିମାଙ୍କ ସହ ବନପାଳ ଶୂଳପାଣି ଦାଶ, ପାନପୋଷ ସେକ୍ସନର ବନପାଳ ପ୍ରତୀପ ସାହ, ବନରକ୍ଷା ରଜତ ମହାନ୍ତି, ଅଳିଅଳ ବେହେରା ପ୍ରମୁଖ ସହଯୋଗୀତା କରିଥିଲେ ।