ଆମେ ଓଡ଼ିଆ ଆମ ଭାଷା ବଢିଆ : ସଂଯୁକ୍ତା ଦାଶ

ଆମେ ଓଡ଼ିଆ ଆମ ଭାଷା ବଢିଆ : ସଂଯୁକ୍ତା ଦାଶ

ମାଆ, ମାଟି ଓ ମାତୃଭାଷା ଏ ତିନି ସ୍ବର୍ଗଠାରୁ ଅଧିକ ଅଟେ । ନିଜ ଜାତିର ପ୍ରାଣ ଓ ପରିଚୟ ହେଉଛି ମାତୃଭାଷା । ପ୍ରତିଟି ମନୁଷ୍ୟର ଆତ୍ମସମ୍ମାନକୁ ମାତୃଭାଷା ହିଁ ରକ୍ଷା କରିଥାଏ। ଯଦି ନିଜ ମା, ମାଟି ଓ ମାତୃଭାଷାର ସମ୍ମାନ ଆମେ ରକ୍ଷା କରିପାରିବା, ତେବେ ଆମେ ଗୋଟିଏ ସଫଳ ବ୍ୟକ୍ତିତ୍ୱର ପରିଚୟ ପାଇପାରିବା।

ଅତୀତକୁ ଦେଖିଲେ ଅନେକ ସୂପୁତ୍ରଗଣ ନିଜର ମାତୃଭାଷାର ସ୍ୱାଭିମାନକୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ି ଆନ୍ଦୋଳନକୁ ଓହ୍ଲାଇଥିଲେ। ସେତେବେଳେ ଗାଁରେ ଭାଗବତ ଟୁଙ୍ଗୀ ରହିଥିଲା, କେବଳ ମାତୃଭାଷାର ବହୁମାତ୍ରାରେ ବୃଦ୍ଧି ଘଟିବା ପାଇଁ । ମାଆ, ବାପା ପିଲାଟିକୁ ପାଠପଢ଼ାଉଥିଲେ, ଭାଗବତ ବହିଟିକୁ ପାଠ କରି ଶୁଣାଇପାରିବ। କିନ୍ତୁ ଦୁଃଖର ବିଷୟ ଧିରେଧିରେ ଆମର ମାତୃଭାଷା ପ୍ରତି ଆଗ୍ରହ କମିଯାଉଛି ଏବଂ ହିନ୍ଦୀ, ଇଂରାଜୀ ପ୍ରତି ଆଗ୍ରହ ଦେଖିବାକୁ ମିଳୁଛି । ଓଡ଼ିଆ ହୋଇ ମଧ୍ୟ ଓଡ଼ିଆ ପରିବର୍ତ୍ତେ ହିନ୍ଦୀ, ଇଂରାଜୀରେ ବାପା, ମାଆ ଘରେ ପିଲାଟି ସହ କଥାବାର୍ତ୍ତା ହେଉଛନ୍ତି । ତେଣୁ ଆମର ପରବର୍ତ୍ତି ପିଢ଼ି ମାତୃଭାଷାକୁ ମମତା ଦେବା ପରିବର୍ତ୍ତେ, ଅବକ୍ଷୟ କରିବାର ସମ୍ଭାବନା ଅଧିକ ମାତ୍ରାରେ ରହିଛି । ତତ୍ ସହିତ ଯଦି ଆମର ଭାଷା ପ୍ରତି ଆଗ୍ରହ ରହିବ ନାହିଁ, ସବୁ ପ୍ରଥା, ପରମ୍ପରା ଲୋପ ହୋଇଯିବା ସହ, ସାହିତ୍ୟର ସୃଷ୍ଟି ମଧ୍ୟ ଅସମ୍ଭବ ହୋଇପଡିବ।

ଅନ୍ୟପଟେ ଦେଖିଲେ, ପୂର୍ବେ ଲୋକମାନଙ୍କର ଗଳ୍ପ, କବିତା, ଉପନ୍ୟାସ ବିଭିନ୍ନ ପତ୍ରପତ୍ରିକା ପଢ଼ିବାରେ ଆଗ୍ରହ ଦେଖିବାକୁ ମିଳୁଥିଲା, କିନ୍ତୁ ବର୍ତ୍ତମାନ ବହି ଦୋକାନରେ ବହିଟିଏ ଖୋଜିଲା ବେଳକୁ, ଦୋକାନିଟି ଖୁସି ହୋଇ ପଚାରୁଛି - " ଆଜ୍ଞା, ଆଜିକାଲି ମୋବାଇଲ୍ ପାଇଁ ଏହାକୁ କେହି ଖୋଜୁ ନାହାଁନ୍ତି, ଆପଣ ଏହାକୁ ପଢ଼ିବେ?"

କୌଣସି ଉତ୍ତର ସେହି ଜାଗାରେ ନ ଥାଏ। ସମୟ ବଦଳୁଛି, ତା ସହ ମଣିଷର ରୁଚି ମଧ୍ୟ ବଦଳୁଛି । ଆଧୁନିକତାକୁ ଆପଣାଇବା କିମ୍ବା ଅନେକ ଭାଷା ପ୍ରତି ରୁଚି ରଖିବା ଭୁଲ ନୁହେଁ, କିନ୍ତୁ ନିଜକୁ ଭୁଲିଯାଇ, ଅନ୍ୟକୁ ଉଚ୍ଚ ଆସନରେ ବସାଇବା, କୌଣସି ଗୌରବାନ୍ଵିତ କାର୍ଯ୍ୟ ନୁହେଁ। ଯେହେତୁ ମାତୃଭାଷା ମନୁଷ୍ୟକୁ ଉନ୍ନତ ଓ ସମୃଦ୍ଧ କରାଏ, ତା ମାଧ୍ୟମରେ ଆମର ଚିନ୍ତାଶକ୍ତିର ଉତ୍ତମ ବିକାଶ ଘଟେ, ତାକୁ ସମ୍ମାନ ଦେବା ଆମର ପ୍ରଥମ କର୍ତ୍ତବ୍ୟ।

ସଂଯୁକ୍ତା ଦାଶ 

କଳିଙ୍ଗ ବିହାର, ଭୁବନେଶ୍ୱର