ବିଶାଳ ଶିରିଡ଼ି ସାଇ ଭଜନ ସନ୍ଧ୍ୟା ଅନୁଷ୍ଠିତ

ବିଶାଳ ଶିରିଡ଼ି ସାଇ ଭଜନ ସନ୍ଧ୍ୟା ଅନୁଷ୍ଠିତ

ଭୁବନେଶ୍ୱର, ୩/୧ : କେ ୱାନ ଏଣ୍ଟରନେଟମେଣ୍ଟ ପକ୍ଷରୁ ଗୁରୁବାର ୟୁନିଟ୍‌-୧ ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଏକ ବିଶାଳ ‘ଶିରିଡ଼ି ସାଇ ଭଜନ ସନ୍ଧ୍ୟା’ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଚିରଞ୍ଜୀବି ମିଶ୍ର ସାଇବାବାଙ୍କର ବିଭିନ୍ନ ପୂଜାବିଧି କରିଥିଲେ । ଗୁରୁପୂଜନ, ଘଟ ସ୍ଥାପନ, ହୋମ, ମହାଅଭିଷେକ, ଆଳତୀ ଏବଂ ପୁଷ୍ପାର୍ଘ୍ୟ ଅର୍ପଣ କରାଯିବା ପରେ ବିସର୍ଜନ ମଧ୍ୟ ହୋଇଥିଲା ।

ମଧ୍ୟାହ୍ନରେ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ସନ୍ଧ୍ୟା ୬ ଘଟିକା ସମୟରେ କେ ୱାନ ଏଣ୍ଟରଟେନମେଣ୍ଟ ପକ୍ଷରୁ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ଭଜନ ସନ୍ଧ୍ୟା ପୂର୍ବରୁ ଶିରିଡି଼ ସାଇବାବାଙ୍କର ଆଳତୀ ମଧ୍ୟ କରାଯାଇଥିଲା । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଅର୍ଚ୍ଚନା ସାମଲ, ମାନସ ଚୌଧୁରୀ, ପବିତ୍ର ସାମଲ, ପ୍ରଦୀପ ମହାନ୍ତି, ପ୍ରସନ୍ନ ଷଡ଼ଙ୍ଗୀ ପ୍ରମୁଖ ଆୟୋଜନ କରିଥିଲେ ।

ଡଃ ଶ୍ରୀନିବାସଙ୍କ ସଂଯୋଜନାରେ ଏହି ଭଜନ ସନ୍ଧ୍ୟାରେ ଶଶାଙ୍କ ଶେଖର, ଲିପ୍ସା ମହାପାତ୍ର, ଚେଲ୍‌ସି ବେହୁରା, ଇପ୍‌ସିତ ପତି, ପ୍ରଦୀପ ଦଳେଇ, ମୋନାଲି ମଧୁସ୍ମିତା ଓ ଅଭିରାମ ଖୁଣ୍ଟିଆ ପ୍ରମୁଖ ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନେ ସାଇ ଭଜନ ପରିବେଷଣ କରିଥିଲେ । ହଜାର ହଜାର ଭକ୍ତ ଏହି ଆଧ୍ୟାତ୍ମିକ ପରିବେଶ ସନ୍ଧ୍ୟାରେ ନିଜକୁ ହଜାଇ ଦେଇଥିଲେ । ଦୀର୍ଘ ୩ ଘଣ୍ଟା ଧରି ଭଜନ ସନ୍ଧ୍ୟା ଚାଲିଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲେ । ଭଜନ ସନ୍ଧ୍ୟା ସହିତ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।