ରାଜଧାନୀରେ ୪୨ଡିଗ୍ରୀ ଛୁଇଁଲା ତାପମାତ୍ରା

ରାଜଧାନୀରେ ୪୨ଡିଗ୍ରୀ ଛୁଇଁଲା ତାପମାତ୍ରା

ଭୁବନେଶ୍ୱର,୨୩/୪ : ଜଳୁଛି ସାରା ରାଜ୍ୟ। ତତଲା କଡେଇରେ ଭାଜି ହେଉଛନ୍ତି ଲୋକେ। ଚାରି ଆଡେ ଅଗ୍ନିବର୍ଷା ହେଉଛି। ସକାଳ ୯ଟା ହେବା କ୍ଷଣି ଲୋକଙ୍କୁ ଡରାଉଛି । କାମ ଥିଲେ କିଛି ଲୋକେ ବାହାରକୁ ବାହାରୁଛନ୍ତି । ନ ହେଲେ ଯିଏ ଜୁଆଡ଼େ ଯାଉଛନ୍ତି ଗଛ ଛାଇ ଦେଖି ରହୁଛନ୍ତି । ଗୁରୁବାର ରାଜଧାନୀରେ ପାରଦ ଛୁଇଁଛି ୪୨ ଡିଗ୍ରୀ। ଅସମ୍ଭାଳ ତାତି ସହ ସାଢେ ୧ଟା ସୁଦ୍ଧା ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି । ଏୟାରପୋର୍ଟ ଅଞ୍ଚଳରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ ହୋଇଛି ।

ବୁଧବାର ଦେଶର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା। ଝାରସୁଗୁଡ଼ାରେ ତାପମାତ୍ରା ୪୪.୬ଡିଗ୍ରୀ ଛୁଇଁଥିଲା। ଭୁବନେଶ୍ବରରେ ବୁଧବାର ତାପମାତ୍ରା ୪୧.୨ ଡିଗ୍ରୀ ରହିଥିଲା। ଗତ କିଛିଦିନ ହେଲା ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଥିବାବେଳେ ଏବେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରଚଣ୍ଡ ରୌଦ୍ରତାପ ହେଲାଣି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୫ତାରିଖ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ; କିନ୍ତୁ ୨୬ତାରିଖରୁ ଅନେକ ସ୍ଥାନରେ ପାରଦ ୨ରୁ ୩ ଡିଗ୍ରୀ କମିପାରେ।