ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ନିରୀକ୍ଷକଙ୍କ ଦ୍ବାରା ସୁନ୍ଦରଗଡ ପୋଲିସ୍ ସହାୟତା କେନ୍ଦ୍ର ଉଦଘାଟିତ

ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ନିରୀକ୍ଷକଙ୍କ ଦ୍ବାରା ସୁନ୍ଦରଗଡ ପୋଲିସ୍ ସହାୟତା କେନ୍ଦ୍ର ଉଦଘାଟିତ

ସୁନ୍ଦରଗଡ, ୧୧/୧୨ : ସୁନ୍ଦରଗଡ ଲୁହୁରାଢିପାଠାରେ ନବ ନିର୍ମିତ ବସ୍ ଷ୍ଟାଣ୍ଡରେ ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ନିରୀକ୍ଷକ (ଡିଆଇଜି) ବ୍ରିଜେଶ କୁମାର ରାୟଙ୍କ ଦ୍ବାରା ଏକ ପୋଲିସ୍ ସହାୟତା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ସୁନ୍ଦରଗଡ ସହରର ବହୁ ପୁରାତନ ବସଷ୍ଟାଣ୍ଡ ସ୍ଥାନାନ୍ତର କରାଯାଇ ସହରର ଲୁହୁରାଢିପାଠାରେ ନୂତନ ବସ୍ ଟର୍ମିନାଲ ତିଆରି କରାଯାଇଥିଲା। ଜନସାଧାରଣଙ୍କ ଦାବୀ ଏବଂ ନୂତନ ବସଷ୍ଟାଣ୍ଡରେ ଜନସାଧାରଣ, ବିଶେଷକରି ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆ ବସଷ୍ଟାଣ୍ଡ ଠାରେ ସୁନ୍ଦରଗଡ଼ ପୋଲିସ୍ ପକ୍ଷରୁ ଏକ ପୋଲିସ୍ ସହାୟତା କେନ୍ଦ୍ରର ଆବଶ୍ୟକତା ହୋଇପଡିଥିଲା। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ ପୋଲିସ୍ ପକ୍ଷରୁ ଏକ ପୋଲିସ୍ ସହାୟତା କେନ୍ଦ୍ରର ସ୍ଥାପନା କରାଯାଛି।

ଏହି ପୋଲିସ୍ ସହାୟତା କେନ୍ଦ୍ରକୁ ମଙ୍ଗଳବାର ପଶ୍ଚିମାଞ୍ଚଳ ପୋଲିସ୍ ଡିଆଇଜି ବ୍ରିଜେଶ କୁମାର ରାୟ ଉଦଘାଟିତ କରିଛନ୍ତି। ମହିଳା, ଶିଶୁ ଓ ସାଧାରଣଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉକ୍ତ ପୋଲିସ୍ ସହାୟତା କେନ୍ଦ୍ର କରାଯାଇଛି। ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକଙ୍କୁ ସମସ୍ତ ଜନସାଧାରଣ ସହଯୋଗ କରନ୍ତୁ, ଦରକାର ହେଲେ ଆହୁରି ଅଧିକ ପୋଲିସ୍ ସହାୟତା କେନ୍ଦ୍ର ଖୋଲିବାକୁ ଆମେ ସଂକଳ୍ପବଦ୍ଧ ବୋଲି ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ।

ଏହି ଶୁଭ ଅବସରରେ ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ପ୍ରତ୍ଯୁଷ ଦିବାକର, ସୁନ୍ଦରଗଡ ଟାଉନ୍ ଥାନା ଅଧିକାରୀ ଆଦିତ୍ୟ ମହାକୁଳଙ୍କ ସମେତ ବହୁ ପୋଲିସ୍ ଅଧିକାରୀ ଏବଂ ସୁନ୍ଦରଗଡ ପୌରପାଳିକା ଅଧ୍ଯକ୍ଷା ଶ୍ରୀମତୀ ତନ୍ମୟା ମିଶ୍ର, ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ମୁଣ୍ଡାରୀ, ପୌରପାଳିକା ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡା, ସୁନ୍ଦରଗଡ ବସ୍ ମାଲିକ ପ୍ରମୁଖ ଉପସ୍ଥିତ ଥିଲେ।